ହିତୋପଦେଶ 12 - ପବିତ୍ର ବାଇବଲ1 ଯଦି ଜଣେ ଜ୍ଞାନୀ ହେବାକୁ ଗ୍ଭହେଁ, ସେ ତା'ର ଭୁଲକୁ ଠିକ୍ କରିବାକୁ ଭଲ ପାଏ। ଯେଉଁ ଲୋକ ଅନୁଯୋଗ ଘୃଣା କରେ ସେ ମୂର୍ଖ। 2 ସତ୍ଲୋକ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପା’ନ୍ତି। କିନ୍ତୁ ଯେଉଁ ବ୍ୟକ୍ତି କୁପଥ କଳ୍ପନା କରେ, ସେ ଭ୍ରଷ୍ଟ ହେବ। 3 କୁପଥ ଦ୍ୱାରା କେହି ସୁରକ୍ଷିତ ହେବ ନାହିଁ। କିନ୍ତୁ ଧାର୍ମିକ ଲୋକମାନେ ନିରାପଦରେ ରହିବେ। 4 ଗୁଣବତୀ ସ୍ତ୍ରୀ ଆପଣା ସ୍ୱାମୀର ମୁକୁଟ ସ୍ୱରୂପ। ଲଜ୍ଜାଦାୟୀନୀ ସ୍ତ୍ରୀ ତା'ର ହାଡ଼ ସବୁର କ୍ଷୟ ସ୍ୱରୂପ। 5 ଧାର୍ମିକମାନଙ୍କର ଯୋଜନାସବୁ ଯଥାର୍ଥ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଉପଦେଶ ପ୍ରବଞ୍ଚନାପୂର୍ଣ୍ଣ। 6 ଦୁଷ୍ଟମାନେ ରକ୍ତପାତ କରିବାକୁ ସେମାନଙ୍କର ଶବ୍ଦଗୁଡ଼ିକ ବ୍ୟବହାର କରନ୍ତି। କିନ୍ତୁ ନିଷ୍ଠାପର ଲୋକମାନଙ୍କର ଶବ୍ଦଗୁଡ଼ିକ ଅନ୍ୟ ଲୋକମାନଙ୍କୁ ବିପର୍ଯ୍ୟୟରୁ ରକ୍ଷା କରନ୍ତି। 7 ଦୁଷ୍ଟମାନେ ସମ୍ପୂର୍ଣ୍ଣ ଭାବେ ବିନାଶ ହୁଅନ୍ତି। ସେମାନଙ୍କ ସତ୍ତା ଲୋପ ପାଏ। ମାତ୍ର ଧାର୍ମିକମାନେ ମରିଗଲେ ମଧ୍ୟ ସେମାନେ ସ୍ମୃତିରେ ହିଁ ରହନ୍ତି। 8 ସେ କହୁଥିବା ଜ୍ଞାନ କଥା ପାଇଁ ମନୁଷ୍ୟ ପ୍ରଶଂସିତ ହେବ। କିନ୍ତୁ ସେହି ମନୁଷ୍ୟ ଯାହାର ହୃଦୟ ଦୁଷ୍ଟ ଓ ଜିଦ୍ଖୋର ତାକୁ ଲୋକମାନେ ତୁଚ୍ଛ ବୋଲି ଭାବିବେ। 9 ଯେଉଁ ଲୋକ ତୁଚ୍ଛୀକୃତ ଆଉ ଯାହାର ଦାସ ଅଛି, ସେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ, ଯିଏ ନିଜକୁ ମହତ୍ତ୍ୱ ବୋଲି ଛଳନା କରେ, କିନ୍ତୁ ତା’ ପାଖରେ ଯଥେଷ୍ଟ ଖାଦ୍ୟ ନ ଥାଏ। 10 ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକାରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦୟ ଅଟନ୍ତି। 11 ଯେଉଁ ଲୋକ ଆପଣା ଭୂମି ଚଷେ, ସେ ଯଥେଷ୍ଟ ଆହାର ପାଇବ। ମାତ୍ର ଯେ ବୃଥା ଅଭିମାନରେ ପ୍ରବୃତ୍ତ ହୁଏ, ସେ ବୁଦ୍ଧିହୀନ। 12 ଦୁଷ୍ଟ ଲୋକମାନେ କୁକର୍ମକାରୀ ଲୋକମାନଙ୍କର ଫାନ୍ଦକୁ ଆଦରି ନିଅନ୍ତି। ମାତ୍ର ଧାର୍ମିକର ମୂଳ ଫଳଦାୟକ ଅଟେ। 13 ଦୁଷ୍ଟର ଓଷ୍ଠରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ। 14 ମନୁଷ୍ୟ ଆପଣା ମୁଖର ଫଳ ଦ୍ୱାରା ମଙ୍ଗଳରେ ପରିତୃପ୍ତ ହେବ। ଏବଂ ସେ ହସ୍ତକୃତ କର୍ମଫଳ ତାହାକୁ ଭୋଗ କରିବାକୁ ହେବ। 15 ଅଜ୍ଞାନର ପଥ ତା'ର ନିଜ ଦୃଷ୍ଟିରେ ଯଥାର୍ଥ ମାତ୍ର ଜ୍ଞାନବାନମାନେ ପରାମର୍ଶ ଶୁଣନ୍ତି। 16 ଅଜ୍ଞାନର ବିରକ୍ତି ହଠାତ୍ ପ୍ରକାଶ ପାଏ; କିନ୍ତୁ ବିଜ୍ଞ ମନୁଷ୍ୟ ଅପମାନକୁ ଉପେକ୍ଷା କରେ। 17 ସତ୍ୟବାଦୀମାନେ ନ୍ୟାୟପୂର୍ଣ୍ଣ କଥା କହନ୍ତି। ମାତ୍ର ମିଥ୍ୟାସାକ୍ଷୀମାନେ ପ୍ରବଞ୍ଚନା ପ୍ରକାଶ କରନ୍ତି। 18 ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସେମାନଙ୍କର ଶବ୍ଦଗୁଡ଼ିକ ଦ୍ୱିଶାଣିତ ଖଡ଼୍ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ। 19 ମିଥ୍ୟାବାଦୀର କଥା କେବଳ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ୟତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ। 20 ଅନିଷ୍ଟ ଚିନ୍ତାକାରୀର ହୃଦୟରେ ପ୍ରବଞ୍ଚନା ଥାଏ। ମାତ୍ର ଶାନ୍ତି ପରାମର୍ଶଦାତାମାନଙ୍କର ହୃଦୟ ଆନନ୍ଦପ୍ରଦ ହୁଏ। 21 ଧାର୍ମିକ ପ୍ରତି କୌଣସି ବିପର୍ଯ୍ୟୟ ଘଟିବ ନାହିଁ, ମାତ୍ର ଦୁଷ୍ଟ ଲୋକମାନଙ୍କର ବହୁତ ସମସ୍ୟା ହେବ। 22 ମିଥ୍ୟାବାଦୀର ଶବ୍ଦଗୁଡ଼ିକ ସଦାପ୍ରଭୁଙ୍କ ଦ୍ୱାରା ଘୃଣିତ ଅଟେ। ମାତ୍ର ଯେଉଁମାନେ ସତ୍ୟ କୁହନ୍ତି, ସେମାନେ ତାଙ୍କର ସୁଖକର ଲୋକମାନେ ଅଟନ୍ତି। 23 ଚତୁର ଲୋକ ଜ୍ଞାନ ଆହରଣ କରେ। ମାତ୍ର ମୂର୍ଖମାନଙ୍କର ମନ ଅଜ୍ଞାନତା ପ୍ରକାଶ କରେ। 24 ଜଣେ କର୍ମଶୀଳଙ୍କ ହସ୍ତ କର୍ତ୍ତୃତ୍ୱ କରିବ, ମାତ୍ର ଅଳସୁଆଲୋକ ଦାସ ହେବ। 25 ମନୁଷ୍ୟର ମନୋବ୍ୟଥା ମନକୁ ନତ କରେ। ମାତ୍ର ମଙ୍ଗଳର ବାକ୍ୟ ତାହାର ହରଷ ଜନ୍ମାଏ। 26 ଧାର୍ମିକ ଲୋକ ଆପଣା ପ୍ରତିବାସୀର ଠିକ୍ ପଥ ପ୍ରଦର୍ଶକ, ମାତ୍ର ଦୁଷ୍ଟମାନଙ୍କ ପଥ ସେମାନଙ୍କୁ ଭୁଲାଏ। 27 ଅଳସୁଆ ମୃଗୟାରେ ଧରିଲା ପଶୁକୁ ପାକ କରେ ନାହିଁ। ମାତ୍ର ମନୁଷ୍ୟମାନଙ୍କର ବହୁମୂଲ୍ୟ ସମ୍ପତ୍ତି ପରିଶ୍ରମର ପକ୍ଷରେ ରହେ। 28 ଧାର୍ମିକତା ରୂପ ପଥରେ ଜୀବନ ଥାଏ। ପୁଣି ତହିଁର ଗମନ ମାର୍ଗରେ ମୃତ୍ୟୁ ନ ଥାଏ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International