Biblia Todo Logo
Bìoball air-loidhne

- Sanasan -

ଗଣନା ପୁସ୍ତକ 36 - ପବିତ୍ର ବାଇବଲ


ସଲଫାଦର କନ୍ୟାମାନଙ୍କର ଭୂମି

1 ତା'ପରେ ଗିଲିୟଦ ପରିବାରବର୍ଗର ଅଧିପତିମାନେ ଆସିଲେ। ମାଖୀରର ପୁତ୍ର ଗିଲିୟଦ, ମନଃଶିର ପୁତ୍ର ମାଖୀର ଓ ମନଃଶି ଯୋଷେଫଙ୍କର ପୁତ୍ର ଥିଲେ, ମୋଶାଙ୍କ ଓ ଇସ୍ରାଏଲ ଲୋକମାନଙ୍କର ଅଧିପତିମାନେ ସେମାନଙ୍କ ସମ୍ମୁଖରେ ପ୍ରାସ୍ତାବ କଲେ।

2 ସେମାନେ କହିଲେ, “ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ଦେଶାଧିକାର ଦେବା ପାଇଁ ଆମ୍ଭମାନଙ୍କର ମୁନିବ ମୋଶାଙ୍କୁ ଆଜ୍ଞା ଦେଲେ। ଆମ୍ଭ ମୁନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ।

3 ଯଦି ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ କାହାରି ସଙ୍ଗେ ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ। ସେମାନଙ୍କ ଅଧିକାର ସେମାନଙ୍କ ସ୍ୱାମୀ ପରିବାରବର୍ଗରେ ଯୁକ୍ତ ହେବ।

4 ଯେତେବେଳେ ମହୋଲ୍ଲାସ-ଉତ୍ସବ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ପାଳନ କରାଯିବ, ସେମାନଙ୍କର ସମ୍ପତ୍ତି ଅଧିକାର ସେମାନେ ବିବାହ କରିଥିବା ପରିବାରକୁ ଗ୍ଭଲିଯିବ। ଏହି ପ୍ରକାରେ ସେମାନଙ୍କର ସମ୍ପତ୍ତିର ଅଧିକାର ଆମ୍ଭମାନଙ୍କ ପରିବାରରୁ ନିଆଯିବ।”

5 ତହୁଁ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ଆଜ୍ଞା ଦେଇ କହିଲେ, “ଯୋଷେଫଙ୍କ ପରିବାରବର୍ଗର ଏହି ଲୋକମାନେ ଯଥାର୍ଥ କହୁଛନ୍ତି।

6 ସଦାପ୍ରଭୁ ସଲଫାଦରଙ୍କ କନ୍ୟାମାନଙ୍କ ସମ୍ବନ୍ଧରେ ଏହି ନିଷ୍ପତ୍ତି ଦେଇ, ତୁମ୍ଭେ ନିଜ ଇଚ୍ଛା ଅନୁସାରେ କେହି ଜଣଙ୍କୁ ବିବାହ କରିପାର, କିନ୍ତୁ ନିଜ ପିତୃ ପରିବାରବର୍ଗର କୌଣସି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍।

7 ଅଧିକାର ଗୋଟିଏ ପରିବାରବର୍ଗରୁ ଅନ୍ୟ ଗୋଟିଏ ପରିବାରବର୍ଗକୁ ଯିବା ଉଚିତ୍ ନୁହେଁ। ଇସ୍ରାଏଲର ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଭୂମିର ଅଧିକାର ନିଜ ନିଜ ପରିବାରବର୍ଗଙ୍କ ମଧ୍ୟରେ ରଖିବା ଉଚିତ୍।

8 କୌଣସି ନାରୀ ଯିଏ ନିଜର ପିତୃ ଅଧିକାର ପାଇଛି, ତା'ର ନିଜ ପିତୃ ପରିବାରବର୍ଗର କୌଣସି ଏକ ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍, ତାହାହେଲେ ଇସ୍ରାଏଲର ପ୍ରତ୍ୟେକ ବ୍ୟକ୍ତି ଆପଣା ସମ୍ବନ୍ଧୀୟ ପରିବାରବର୍ଗଙ୍କ ଅଧିକାର ଭୋଗ କରିବେ।

9 ଏକ ପରିବାରବର୍ଗରୁ ଅନ୍ୟ ପରିବାରବର୍ଗକୁ ଅଧିକାର ଯିବା ଉଚିତ୍ ନାହିଁ। ଇସ୍ରାଏଲର ପ୍ରତ୍ୟେକ ପରିବାରବର୍ଗ ସେମାନଙ୍କ ଅଧିକାର ମଧ୍ୟରେ ରହିବେ।”

10 ସଦାପ୍ରଭୁ ମୋଶାଙ୍କୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ୟାମାନେ ସେହି ଅନୁସାରେ କର୍ମ କଲେ।

11 ଏଣୁ ସଲଫାଦରଙ୍କ କନ୍ୟାଗଣ ଯଥା: ମହଲା, ତିର୍ସା, ହ‌ଗ୍‌‌‌ଲା, ମି‌ଲ୍‌କା ଓ ନୋୟା, ସେମାନଙ୍କ ପିତୃବ୍ୟ ପୁତ୍ରମାନଙ୍କୁ ବିବାହ କଲେ।

12 ମନଃଶି ପରିବାରବର୍ଗ ମଧ୍ୟରେ ସେମାନେ ବିବାହ କଲେ। ତେଣୁ ସେମାନଙ୍କର ଭୂମି ଅଧିକାର ସେମାନଙ୍କ ପିତୃ ସମ୍ବନ୍ଧୀୟ ପରିବାର ମଧ୍ୟରେ ରହିଲା।

13 ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ ପଦାରେ ମୋଶାଙ୍କୁ ବ୍ୟବସ୍ଥା ଦେଲେ। ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସଦାପ୍ରଭୁ ଏହିସବୁ ଆଜ୍ଞା ଓ ଶାସନ ଆଦେଶ ଦେଇଥିଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan