Biblia Todo Logo
Bìoball air-loidhne

- Sanasan -

ଗଣନା ପୁସ୍ତକ 12 - ପବିତ୍ର ବାଇବଲ


ମରିୟମ ଓ ହାରୋଣଙ୍କର ମୋଶାଙ୍କ ବିଷୟରେ ଅଭିଯୋଗ

1 ମୋଶା ଏକ କୁଶୀୟା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିୟମ ଓ ହାରୋଣ ସେହି କୁଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ।

2 ସେମାନେ କହିଲେ, “ସଦାପ୍ରଭୁ କ’ଣ ମୋଶାଙ୍କ ସହିତ କେବଳ କଥା କହିଅଛନ୍ତି? ସେ କ’ଣ ଆମ୍ଭମାନଙ୍କ ସହିତ କଥା କହି ନାହାନ୍ତି?” ମାତ୍ର ଏକଥା ସଦାପ୍ରଭୁ ଶୁଣିଲେ।

3 ମୋଶା ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧ୍ୟରେ ଅତି ନମ୍ର ଥିଲେ।

4 ହଠାତ୍ ସଦାପ୍ରଭୁ ମୋଶାଙ୍କୁ, ହାରୋଣଙ୍କୁ, ମରିୟମଙ୍କୁ କହିଲେ, “ତୁମ୍ଭେ ତିନି ଜଣ ବାହାର ହୋଇ ସମାଗମ-ତମ୍ବୁ ନିକଟକୁ ଆସ।” ତହୁଁ ସେ ତିନି ଜଣ ବାହାର ହୋଇ ଆସିଲେ।

5 ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ-ତମ୍ବୁ ନିକଟରେ ଛିଡ଼ା ହେଲେ। ସେ ଡାକିଲେ, “ହାରୋଣ ଓ ମରିୟମ!” ତହୁଁ ସେମାନେ ବାହାର ହୋଇ ଆସିଲେ।

6 ସଦାପ୍ରଭୁ କହିଲେ, “ମୋର ବାକ୍ୟ ଶୁଣ, ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟ‌ଦ୍‌ବକ୍ତା ଥାଏ, ତେବେ ମୁଁ ସଦାପ୍ରଭୁ ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ୱପ୍ନଦ୍ୱାରା ତାହା ସହିତ କଥା କହିବି।

7 ମାତ୍ର ମୋଶା ମୋର ସେବକ, ସେପରି ନୁହେଁ। ସେ ହିଁ ମୋର ସମଗ୍ର ଗୃହରେ ଜଣେ ସବୁଠାରୁ ବିଶ୍ୱସ୍ତ ଅଟେ।

8 ମୁଁ ତା’ ସହିତ ଦର୍ଶନ କିମ୍ବା ନିଦର୍ଶନ ବାକ୍ୟରେ ନୁହେଁ, ମାତ୍ର ସମ୍ମୁଖା-ସମ୍ମୁଖୀ ହୋଇ ପ୍ରକାଶ୍ୟ ଭାବରେ ତା’ ସହିତ କଥା କହେ। ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରେ। ତାଙ୍କ ବିରୁଦ୍ଧରେ କଥା କହିବାକୁ ତୁମ୍ଭେମାନେ କାହିଁକି ଭୀତ ହେଲ ନାହିଁ?”

9 ଏହିରୂପେ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ।

10 ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିୟମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ୟ ଶ୍ୱେତବର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।

11 ତହିଁରେ ହାରୋଣ ମୋଶାଙ୍କୁ କହିଲେ, “ହେ ମୋହର ମହାଶୟ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ; ଏଣୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ।

12 ମାତାର ଗର୍ଭରୁ ନିର୍ଗତ ହେଲାବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଶିଶୁ ସଦୃଶ ସେ ନ ହେଉ।”

13 ତେଣୁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ହେ ପରମେଶ୍ୱର, ବିନୟ କରୁଅଛି, ତାହାକୁ ସୁସ୍ଥ କର।”

14 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯଦି ତା'ର ପିତା ତା'ର ମୁହଁରେ ଛେପ ପକାଇଥା’ନ୍ତା, ସେ କ’ଣ ସାତ ଦିନ ଲଜ୍ଜିତା ହୋଇ ନ ଥା’ନ୍ତା? ତେଣୁ ସେ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ, ଅନ୍ୟମାନଙ୍କଠାରୁ ରୁଦ୍ଧା ହୋଇ ରହୁ, ତା'ପରେ ସେ ଛାଉଣି ଭିତରକୁ ଆସି ପାରିବ।”

15 ତହୁଁ ମରିୟମ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ ରହିଲା। ସେ ପୁନର୍ବାର ଭିତରକୁ ନ ଆସିବା ଯାଏ ଲୋକମାନେ ଯାତ୍ରା କଲେ ନାହିଁ।

16 ତା'ପରେ ଲୋକମାନେ ହ‌‌ତ୍‌ସେରୋତଠାରୁ ଯାତ୍ରା କରି ପାରଣ ମରୁଭୂମିରେ ଛାଉଣି ସ୍ଥାପନ କଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan