Biblia Todo Logo
Bìoball air-loidhne

- Sanasan -

ଯିହୋଶୂୟ 5 - ପବିତ୍ର ବାଇବଲ

1 ଇସ୍ରାଏଲର ଲୋକମାନେ ନଦୀ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଯର୍ଦ୍ଦନ ନଦୀକୁ ଶୁଷ୍କ ରଖିଲେ। ଯେତେବେଳେ ଯର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜାମାନେ ଓ ଭୂମଧ୍ୟ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାମାନେ ଏହା ଶୁଣିଲେ, ସେତେବେଳେ ସେମାନଙ୍କର ହୃଦୟ ତରଳି ଗଲା ଓ ଇସ୍ରାଏଲୀୟମାନଙ୍କୁ ସମ୍ମୁଖୀନ ହେବା ସକାଶେ ସେମାନେ ସେମାନଙ୍କର ସାହସ ହରାଇଲେ।


ଇସ୍ରାଏଲୀୟମାନେ ସୁନ୍ନତ ହେଲେ

2 ସେହି ସମୟରେ, ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଶିଳାର ଛୁରୀମାନ ତିଆରି କରି ଆଉ ଥରେ ଇସ୍ରାଏଲ ସନ୍ତାନଗଣକୁ ସୁନ୍ନତ କର।”

3 ତେଣୁ ଯିହୋଶୂୟ ଛୁରୀମାନ ତିଆରି କରି ଗିବିୟୋତ ହ‌ର୍‌ଲୋତ୍ ପର୍ବତ ନିକଟରେ ଇସ୍ରାଏଲ ସନ୍ତାନଗଣଙ୍କର ସୁନ୍ନତ କରାଇଲେ।

4-7 ଯିହୋଶୂୟ ସୁନ୍ନତ କରାଇବାର କାରଣ ଏହି, ମିଶରରୁ ବାହାରି ଆସିବା ପରେ ଇସ୍ରାଏଲର ସମସ୍ତ ଲୋକ ଯାତ୍ରା କରୁଥିବା ବେଳେ ମରୁଭୂମିରେ ମୃତ୍ୟୁବରଣ କଲେ। ସେମାନେ ସମସ୍ତେ ଯୋଦ୍ଧା ଥିଲେ ଓ ସୁନ୍ନତ ହୋଇଥିଲେ। କିନ୍ତୁ ମିଶର ଛାଡ଼ିବା ପରେ ମରୁଭୂମିରେ ଜନ୍ମ ହୋଇଥିବା ଇସ୍ରାଏଲୀୟମାନେ ସୁନ୍ନତ ହୋଇ ନ ଥିଲେ। ଯେହେତୁ ଲୋକମାନେ ସଦାପ୍ରଭୁଙ୍କ କଥା ମାନିଲେ ନାହିଁ। ତେଣୁ ସେମାନଙ୍କୁ ପ୍ରତିଜ୍ଞା କରାଯାଇଥିବା ଦେଶ ସେମାନେ ଦେଖି ପାରିଲେ ନାହିଁ ଏବଂ ଦୀର୍ଘ ଗ୍ଭଳିଶ୍ ବର୍ଷ ଯାଏ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ମରୁଭୂମିରେ ଘୁରି ବୁଲିଲେ। ସଦାପ୍ରଭୁ ସେମାନଙ୍କୁ “ଉର୍ବର ଓ ଦୁ‌ଗ୍‌ଧମଧୁପ୍ରବାହୀତ ଦେଶ” ନ ଦେଖାଇବା ପାଇଁ ପ୍ରତିଜ୍ଞା କଲେ, ଯାହା ସେ ସେମାନଙ୍କର ପୂର୍ବପୁରୁଷଗଣଙ୍କଠାରେ ଆମ୍ଭକୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ତେଣୁ ସେମାନଙ୍କର ପୁତ୍ରଗଣ ସେମାନଙ୍କର ମୃତ୍ୟୁପରେ ସେମାନଙ୍କର ଜାଗାଗୁଡ଼ିକ ନେଇଗଲେ। ସେମାନେ ବାଟରେ ସୁନ୍ନତ ହୋଇ ନ ଥିଲେ, ତେଣୁ ସେମାନେ ରାସ୍ତାରେ ଯିହୋଶୂୟଙ୍କ ଦ୍ୱାରା ସୁନ୍ନତ ହେଲେ।

8 ଯିହୋଶୂୟ ସେମାନଙ୍କର ସୁନ୍ନତ ଶେଷ କଲେ। ଲୋକମାନେ ସତେଜ ହେବା ପର୍ଯ୍ୟନ୍ତ ସେମାନଙ୍କର ସ୍ଥାନରେ ରହିଲେ।


କିଣାନରେ ପ୍ରଥମ ନିସ୍ତାରପର୍ବ

9 ସେହି ସମୟରେ, ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେମାନେ ମିଶରର ଦାସ ଥିଲ, ଏବଂ ଏହା ତୁମ୍ଭକୁ ଲଜ୍ଜା ଦେଉଥିଲା। କିନ୍ତୁ ଆଜି ମୁଁ ଲଜ୍ଜାକୁ ନିବାରଣ କରିଅଛି।” ତେଣୁ ଯିହୋଶୂୟ ସେ ସ୍ଥାନର ନାମ ଦେଲେ, ଗି‌ଲ୍‌ଗଲ୍, ଏବଂ ସେହି ଗି‌ଲ୍‌ଗଲ୍ ନାମ ଆଜି ମଧ୍ୟ ପ୍ରଚଳିତ ଅଛି।

10 ଇସ୍ରାଏଲ ଲୋକମାନେ ନିସ୍ତାରପର୍ବ ପାଳନ କଲେ, ଯେତେବେଳେ ସେମାନେ ଯିରୀହୋ ସମତଳ ଅଞ୍ଚଳ ନିକଟରେ ଛାଉଣି ସ୍ଥାପନ କଲେ। ତାହା ଥିଲା ସେହି ମାସ ଚଉଦ ତାରିଖ ସନ୍ଧ୍ୟା।

11 ଆଉ ନିସ୍ତାରପର୍ବର ପୂର୍ବଦିନ ସେମାନେ ଦେଶର ଶସ୍ୟ ତାଡ଼ିଶୂନ୍ୟ ରୋଟୀ ଓ ଭଜା ଶସ୍ୟ ଖାଇଲେ।

12 ତା’ ପରଦିନ ସକାଳେ, ସ୍ୱର୍ଗର ଖାଦ୍ୟ ମାନ୍ନା ଆକାଶରୁ ପଡ଼ିବା ବନ୍ଦ ହେଲା, ସେମାନେ ସେହି ଦେଶର ଶସ୍ୟ ଭୋଜନ କଲାରୁ ଏପରି ହେଲା। ତେଣୁ ଇସ୍ରାଏଲର ଲୋକମାନେ ଆଉ ମାନ୍ନା ଖାଦ୍ୟ ପାଇଲେ ନାହିଁ। ସେହି ସମୟଠାରୁ ସେମାନେ କିଣାନର ଶସ୍ୟ ଖାଇଲେ।

13 ଯେତେବେଳେ ଯିହୋଶୂୟ ଯିରୀହୋ ନିକଟରେ ଛିଡ଼ା ହୋଇଥିଲେ, ତାଙ୍କ ସମ୍ମୁଖରେ ଏକ ଲୋକ ଛିଡ଼ା ହୋଇଥିଲା। ସେ ଲକ୍ଷ୍ୟ କଲେ ଲୋକଟି ତା'ହାତରେ ଏକ ଖଣ୍ତା ଟାଣି ବାହାର କଲା। ଯିହୋଶୂୟ ତା'ର ନିକଟକୁ ଗଲେ ଓ ପଗ୍ଭରିଲେ, “ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧୁ ନା ଶତ୍ରୁ?”

14 ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦେଲା, “ମୁଁ ତୁମ୍ଭର ଶତ୍ରୁ ନୁହେଁ, ମୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଅଟେ। ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସିଲି।” ଏହା ପରେ ଯିହୋଶୂୟ ସମ୍ମାନ ଜଣାଇ ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ସେ କହିଲେ, “ମୋର ପ୍ରଭୁ ତାଙ୍କର ଦାସ ମୋ’ ପାଇଁ କିଛି ବାର୍ତ୍ତା ପଠାଇଛନ୍ତି କି?”

15 ସଦାପ୍ରଭୁଙ୍କର ସୈନ୍ୟଦଳର ସେନାପତି ଉତ୍ତର ଦେଲେ, “ତୁମ୍ଭ ପାଦରୁ ପାଦୂକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଛିଡ଼ା ହୋଇଅଛ, ସେ ସ୍ଥାନ ପବିତ୍ର।” ତେଣୁ ଯିହୋଶୂୟ ସେହିପରି କଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan