Biblia Todo Logo
Bìoball air-loidhne

- Sanasan -

ଆୟୁବ 7 - ପବିତ୍ର ବାଇବଲ

1 ଆୟୁବ ଉତ୍ତର ଦେଲା, “ପୃଥିବୀରେ କ’ଣ ମନୁଷ୍ୟ ସଂଗ୍ରାମ କରେ ନାହିଁ? ତା'ର ଜୀବନ ହେଉଛି ଜଣେ ବେତନ ପାଉଥିବା ଶ୍ରମିକର ଜୀବନ ସଦୃଶ।

2 ମଣିଷ, ଜଣେ ଦାସ ଯେଭଳି ଦିନର କଠିନ ଶ୍ରମ ପରେ ଶୀତଳ ଛାୟା ଗ୍ଭହେଁ। ମଣିଷ ଜଣେ ମୂଲ ପାଉଥିବା ବ୍ୟକ୍ତି ଯେମିତି ତା'ର ବେତନ ଦିନକୁ ଅପେକ୍ଷା କରେ।

3 ଅନେକ ମାସ ମୋତେ ନିରାଶ କରି ରାତ୍ରି ପରେ ରାତ୍ରି କଷ୍ଟ ଦିଆଯାଇ ଥିଲା।

4 ଯେତେବେଳେ ମୁଁ ଶୟନ କରେ, ମୁଁ କହେ, ‘ଆଉ କେତେ ସମୟ ପରେ ଶଯ୍ୟା ତ୍ୟାଗ କରିବି?’ ମାତ୍ର ରାତ୍ରି ଦୀର୍ଘ ହୁଏ। ଏବଂ ପ୍ରଭାତ ପର୍ଯ୍ୟନ୍ତ ମୁଁ ବିଛଣାରେ ଛଟପଟ ହୁଏ।

5 ଯଦିଓ ମୋର ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର। ମୋର ଚର୍ମ ଫାଟିଯାଏ ଏବଂ ବହୁଥିବା ଘାଁରେ ଢାଙ୍କି ହୋଇଯାଏ।

6 “ମୋର ଦିନଗୁଡ଼ିକ ଶୀଘ୍ର ଗଡ଼ିଯାଏ। ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ। ଶେଷରେ ଜୀବନଟା କୌଣସି ଆଶାର ପୂରଣ ବିନା ଶେଷ ହୋଇଯାଏ।

7 ପରମେଶ୍ୱର, ସ୍ମରଣ କର, ମୋର ଜୀବନ କେବଳ ଗୋଟିଏ ପ୍ରଶ୍ୱାସ। ମୁଁ କେବେ ଆଉ କୌଣସି ଭଲ ବିଷୟ ଦେଖିବି ନାହିଁ।

8 ତୁମ୍ଭେ ବି ମୋତେ ଆଉ ଦେଖିବ ନାହିଁ। ତୁମ୍ଭେ ମୋତେ ଖୋଜିବ କିନ୍ତୁ ମୁଁ ନ ଥିବି।

9 ଭଷା ମେଘ ଅଦୃଶ୍ୟ ହେଲାପରି, ଜଣେ ବ୍ୟକ୍ତି କବର ଭିତରକୁ ଯାଏ ଏବଂ ସେ ସେଥିରୁ ଫେରି ଆସେ ନାହିଁ।

10 ସେ ଆଉ ତା'ର ଆପଣା ବାସଗୃହକୁ କେବେ ଆସିବ ନାହିଁ। ଏବଂ ତା'ର ସେ ପୁରୁଣା ଘର ମଧ୍ୟ ତାକୁ ଆଉ ଚିହ୍ନିବ ନାହିଁ।

11 “ତେଣୁ ମୁଁ ଆଉ ନୀରବ ରହି ପାରିବି ନାହିଁ, ମୁଁ ମୋର ଆତ୍ମାର ବେଦନା ପ୍ରକାଶ କରିବି। ମୁଁ ଅଭିଯୋଗ କରିବି କାରଣ ମୋର ଆତ୍ମା ତିକ୍ତ ହୋଇଅଛି।

12 ହେ ପରମେଶ୍ୱର, କାହିଁକି ତୁମ୍ଭେ ମୋତେ ପ୍ରହରା ଦେଉଛ? ମୁଁ କ’ଣ ସମୁଦ୍ର ପରି ନା ସାମୁଦ୍ରିକ ରାକ୍ଷସ ପରି?

13 ଯଦି ମୁଁ କହେ ମୋର ବିଛଣା ମୋତେ ଆନନ୍ଦ ଆଣି ଦେବା ଉଚିତ୍। ମୋର ବିଛଣା ମୋତେ ବିଶ୍ରାମ ଓ ଶାନ୍ତି ଆଣି ଦେବା ଉଚିତ୍।

14 କିନ୍ତୁ ହେ ପରମେଶ୍ୱର, ମୋର ଶୟନ ସମୟରେ ତୁମ୍ଭେ ମୋତେ ସ୍ୱପ୍ନରେ ଭୟ ଦେଖାଉଛ। ତା'ପରେ ତୁମ୍ଭେ ମୋତେ ଦର୍ଶନରେ ଡରାଉଛ।

15 ତେଣୁ ମୁଁ ବଞ୍ଚିବାଠାରୁ ଶ୍ୱାସରୋଧ ହୋଇ ମରିବାକୁ ଅଧିକ ପସନ୍ଦ କରେ।

16 ମୁଁ ଏ ଜୀବନକୁ ଘୃଣା କରେ। ମୁଁ ତ୍ୟାଗ କରୁଛି, ମୁଁ ଅଧିକ ଦିନ ବଞ୍ଚିବି ନାହିଁ। ମୋତେ ଛାଡ଼, ମୋର ବଞ୍ଚିବାର କିଛି ଅର୍ଥ ନାହିଁ।

17 ହେ ପରମେଶ୍ୱର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ? ତୁମ୍ଭେ କାହିଁକି ତାକୁ ସମ୍ମାନ ଦେବ, ତୁମ୍ଭେ କାହିଁକି ତା’ ପ୍ରତି ଧ୍ୟାନ ଦେବ?

18 କାହିଁକି ମଣିଷକୁ ତୁମ୍ଭେ ପ୍ରତ୍ୟେକ ସକାଳରେ ସାକ୍ଷାତ କର ଏବଂ ତା'ର ପ୍ରତ୍ୟେକ ମୁହୂର୍ତ୍ତକୁ ପରୀକ୍ଷା କର?

19 ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ମୋ'ଠାରୁ ଆପଣା ଦୃଷ୍ଟି ଦୂରେଇ ରଖିବ? ତୁମ୍ଭେ ମୋତେ ଏକାଳି ବହୁକାଳ ପର୍ଯ୍ୟନ୍ତ ଗ୍ରାସିତ ହେବାକୁ ଛାଡ଼ିଦିଅ ନାହିଁ।

20 ଯଦି ମୁଁ କିଛି ପାପ କରିଛି ତାହା କିପରି ତୁମ୍ଭକୁ ଆଘାତ କରୁଛି? ଯିଏ ମଣିଷମାନଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତି। କାହିଁକି ତୁମ୍ଭେ ମୋତେ ଆପଣା ଲକ୍ଷ୍ୟ ସ୍ୱରୂପ ରଖିଛ? ମୁଁ କ’ଣ ତୁମ୍ଭ ପାଇଁ କୌଣସି ସମସ୍ୟା ହୋଇଛି?

21 କାହିଁକି ତୁମ୍ଭେ ମୋତେ କ୍ଷମା କରୁ ନାହଁ, ଯଦି ମୁଁ କିଛି ଅଧର୍ମ କରିଥାଏ? କାହିଁକି ମୋର କୌଣସି ପାପ କ୍ଷମା କରୁ ନାହଁ? କାରଣ ମୁଁ ଶୀଘ୍ର ମରିବି ଓ କବରରେ ଶୟନ କରିବି, ତୁମ୍ଭେ ମୋତେ ଖୋଜିବ, କିନ୍ତୁ ପାଇବ ନାହିଁ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan