ଆୟୁବ 27 - ପବିତ୍ର ବାଇବଲ1 ତା'ପରେ ଆୟୁବ ତା'ର କାହାଣୀ ବର୍ଣ୍ଣନା କରି କହିଲା, 2 “ପ୍ରକୃତରେ ପରମେଶ୍ୱର ଜୀବିତ ଏବଂ ଯେତେ ସତ୍ୟ ଭାବରେ ସେ ଅଛନ୍ତି, ସେ ସତରେ ମୋ’ ପ୍ରତି ଅନ୍ୟାୟ କରିଛନ୍ତି। ପରମେଶ୍ୱର, ସର୍ବଶକ୍ତିମାନ ମୋ’ ଜୀବନ ତିକ୍ତ କରିଛନ୍ତି। 3 ଯେପର୍ଯ୍ୟନ୍ତ ମୋ’ ଶରୀରରେ ପ୍ରାଣ ଅଛି ଏବଂ ଯେପର୍ଯ୍ୟନ୍ତ ପରମେଶ୍ୱର ପ୍ରଦତ୍ତ ନିଶ୍ୱାସ ବାୟୁ ମୋ’ ନାକରୁ ନିର୍ଗତ ହେଉଛି। 4 ଏହା ପରେ ମୋ’ ଓଠରୁ ଖରାପ ବିଷୟ ବାହାରିବ ନାହିଁ। ମୋର ଜିହ୍ୱା ମିଥ୍ୟାକଥା କହିବ ନାହିଁ। 5 ମୁଁ କେବେ ମାନିବି ନାହିଁ ତୁମ୍ଭେ ସତ୍ୟ। ମୁଁ ମଲା ପର୍ଯ୍ୟନ୍ତ କହିଯିବି ଯେ, ମୁଁ ନିରପରାଧ ଅଟେ। 6 ମୁଁ ମୋର ଧାର୍ମିକତାକୁ ଦୃଢ଼ ଭାବରେ ଧରିବି। ମୁଁ କେବେ ଠିକ୍ ବାଟକୁ ପରିତ୍ୟାଗ କରିବି ନାହିଁ। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋର ବିବେକ ମୋତେ ନିନ୍ଦା କରିବ ନାହିଁ। 7 ଲୋକେ ମୋ’ ବିରୁଦ୍ଧରେ ଛିଡ଼ା ହେବେ। ମୁଁ ଆଶା କରୁଛି ମୋର ଶତ୍ରୁମାନେ ଦୁଷ୍ଟ ଲୋକଙ୍କ ଭଳି ଦଣ୍ଡ ପାଇଥିବେ। 8 ପରମେଶ୍ୱରଙ୍କଠାରେ ଆସ୍ଥା ବିହୀନ ବ୍ୟକ୍ତି ମୃତ୍ୟୁ ସମୟରେ କ’ଣ ଆଶା କରିବ? ଯେତେବେଳେ ପରମେଶ୍ୱର ତା'ର ପ୍ରାଣ ନିଅନ୍ତି, ସେହି ଲୋକର କୌଣସି ଆଶା ନ ଥାଏ। 9 ପରମେଶ୍ୱର କ’ଣ ତା'ର ସାହାଯ୍ୟର ଡାକ ଶୁଣିବେ, ଯେତେବେଳେ ତା’ ପ୍ରତି ଅସୁବିଧା ଆସିବ? 10 ସେହି ଲୋକ କ’ଣ ସର୍ବଶକ୍ତିମାନଙ୍କୁ ଗୁହାରି କରି ଆନନ୍ଦ ଅନୁଭବ କରିବ? ସେ ସବୁ ସମୟରେ ପରମେଶ୍ୱରଙ୍କୁ ଡାକିବା ଉଚିତ୍ ଥିଲା। 11 “ମୁଁ ତୁମ୍ଭକୁ ପରମେଶ୍ୱରଙ୍କ ଶକ୍ତି ସମ୍ପର୍କରେ ଶିକ୍ଷା ଦେବି। ମୁଁ ପରମେଶ୍ୱରଙ୍କ କୌଣସି ଯୋଜନା ତୁମ୍ଭଠାରେ ଲୁଗ୍ଭଇବି ନାହିଁ। 12 ତୁମ୍ଭେ ନିଜ ଆଖିରେ ପରମେଶ୍ୱରଙ୍କ ଶକ୍ତି ଦେଖିଛ। ତେଣୁ କାହିଁକି ତୁମ୍ଭେ ସେହି ବାଜେ କଥା କହୁଛ? 13 “ତେଣୁ ଏହା ହିଁ ପରମେଶ୍ୱରଙ୍କ ଇଚ୍ଛା ଦୁଷ୍ଟଲୋକଙ୍କ ପାଇଁ, ଏହା ହିଁ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଇଚ୍ଛା ନିଷ୍ଠୁର ଲୋକମାନଙ୍କ ପ୍ରତି। 14 ଜଣେ ଦୁଷ୍ଟ ଲୋକର ବହୁତ ସନ୍ତାନ ଥାଇ ପାରନ୍ତି। ତା'ର ସମସ୍ତ ସନ୍ତାନ ଯୁଦ୍ଧରେ ମୃତ୍ୟୁବରଣ କରିବେ। ଦୁଷ୍ଟ ଲୋକର ପିଲାମାନେ ଖାଇବାକୁ ଯଥେଷ୍ଟ ପାଇବେ ନାହିଁ। 15 ତା'ର ସମସ୍ତ ପିଲାମାନେ ମରିବେ ଏବଂ ତା'ର ବିଧବାମାନେ ଦୁଃଖ କରିବେ ନାହିଁ। 16 ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା’ ପ୍ରତି ମଇଳା ପରି। ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା’ ପ୍ରତି ମାଟିଗଦା ପରି। 17 କିନ୍ତୁ ଜଣେ ଧାର୍ମିକ ଲୋକ ତା'ର ପୋଷାକ ପିନ୍ଧିବାକୁ ପାଇବ। ନିରୀହ ଲୋକ ତା'ର ରୂପାସବୁ ପାଇବ। 18 ଜଣେ ଦୁଷ୍ଟ ଲୋକର ଗୃହ ତିଆରି କଲେ ବି ଏହା ବେଶୀଦିନ ତିଷ୍ଠିବ ନାହିଁ। ଏହା ବୁଢ଼ିଆଣୀ ଜାଲଭଳି ହେବ କିମ୍ବା ପ୍ରହରୀର ତମ୍ବୁଭଳି ହେବ। 19 ଦୁଷ୍ଟ ବ୍ୟକ୍ତି ଶୋଇବାକୁ ଗଲାବେଳେ ତା’ ପାଖରେ ଅମାପ ଧନ ଥିବ କିନ୍ତୁ ସକାଳୁ ସେ ଆଖି ଖୋଲିବା ମାତ୍ରେ ତା'ର ଧନ ଆଉ ନ ଥିବ। 20 ଆତଙ୍କ ତା’ ବିରୁଦ୍ଧରେ ହଠାତ୍ ବନ୍ୟା ପରି ଆସିବ। ଏବଂ ବାତ୍ୟା ରାତିରେ ଆସି ତାକୁ ଉଡ଼ାଇ ନେଇଯିବ। 21 ପୂର୍ବ ଦିଗର ପବନ ତାକୁ ଉଡ଼ାଇ ନେବ। ସେ ଚିରଦିନ ପାଇଁ ବିଦାୟ ନେବ, ଝଡ଼ ତାକୁ ତା'ର ଘରୁ ଉଡ଼ାଇ ନେବ। 22 ଦୁଷ୍ଟ ବ୍ୟକ୍ତି ସେହି ଝଡ଼ରୁ ରକ୍ଷା ପାଇବାକୁ ସକଳ ପ୍ରକାର ଚେଷ୍ଟା କରିବ। କିନ୍ତୁ ସେହି ଝଡ଼ ତାକୁ ନିର୍ଦ୍ଦୟ ଭାବରେ ଆଘାତ କରିବ। 23 ଲୋକେ ତାକୁ ଦେଖି ତାଳି ମାରିବେ। ଯେତେବେଳେ ସେ ନିଜ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବ, ଲୋକେ ହୁଇସିଲ ମାରି ଦେଖୁଥିବେ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International