ଯିରିମୀୟ 47 - ପବିତ୍ର ବାଇବଲପଲେଷ୍ଟୀୟମାନଙ୍କ ବିଷୟରେ ଏକ ବାର୍ତ୍ତା 1 ଫାରୋ ଘସା ନଗର ଆକ୍ରମଣ କରିବା ପୂର୍ବରୁ ପଲେଷ୍ଟୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା। 2 ସଦାପ୍ରଭୁ କହନ୍ତି, “ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ୟ କୂଳ ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି, ତାହା ପ୍ଳାବନକାରୀ ବନ୍ୟା ସଦୃଶ ସମଗ୍ର ଦେଶ, ତନ୍ମଧ୍ୟସ୍ଥ ସମସ୍ତ ବସ୍ତ୍ର, ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ। ତହିଁରେ ଲୋକମାନେ କ୍ରନ୍ଦନ କରିବେ ଓ ସାହାଯ୍ୟ ପାଇଁ ହାହାକାର କରିବେ। 3 “ସେମାନେ ଧାବମାନ ଅଶ୍ୱଗଣର ଖୁରା ଶବ୍ଦ, ରଥସମୂହର ଗ୍ଭଳନା ଶବ୍ଦ ଓ ଚକ୍ରର ଘର୍ଘର ଶବ୍ଦ ଶୁଣିବେ। ପିତୃଗଣ ଏତେ ଦୁର୍ବଳ ହେବେ ଯେ ସେମାନେ ସେମାନଙ୍କର ପିଲାମାନଙ୍କୁ ସାହାଯ୍ୟ କରିବେ ନାହିଁ। 4 ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ୱଂସର ସମୟ, ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛିନ୍ନ କରିବାର ସମୟ ଆସୁଅଛି। ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର ଓ କପ୍ତୋର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ। 5 ଘସାର ଲୋକମାନେ ଦୁଃଖିତ ହୋଇ ସେମାନଙ୍କର ମସ୍ତକ ଟାଙ୍ଗରା କରିଛନ୍ତି। ଅସ୍କିଲୋନର ଲୋକମାନେ ଏବଂ ତଳଭୂମିର ଅବଶିଷ୍ଟାଂଶ ଲୋକ ନୀରବ ହୋଇଅଛନ୍ତି। ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ନିଜକୁ କାଟିବ? 6 “ହେ ସଦାପ୍ରଭୁଙ୍କ ଖଡ଼୍ଗ, ତୁମ୍ଭେ କେତେ କାଳପରେ ଯୁଦ୍ଧରୁ କ୍ଷାନ୍ତ ହେବ? ତୁମ୍ଭେ ଆପଣା କୋଷରେ ପ୍ରବେଶ କର, ଶାନ୍ତ ଓ ସ୍ଥିର ହୁଅ। 7 ମାତ୍ର ସଦାପ୍ରଭୁଙ୍କ ଖଡ଼୍ଗ କିପରି କ୍ଷାନ୍ତ ହେବ? ସଦାପ୍ରଭୁ ତାଙ୍କୁ ଆଜ୍ଞା ଦେଇଅଛନ୍ତି। ସେ ଅସ୍କିଲୋନ୍ ବିରୁଦ୍ଧରେ ଓ ସମୁଦ୍ର ତୀର ବିରୁଦ୍ଧରେ ତାହାକୁ ନିଯୁକ୍ତ କରିଅଛନ୍ତି।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International