Biblia Todo Logo
Bìoball air-loidhne

- Sanasan -

ଯିରିମୀୟ 41 - ପବିତ୍ର ବାଇବଲ

1 ଅନନ୍ତର ସପ୍ତମ ମାସରେ ରାଜବଂଶୀ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇ‌ଶ୍‌ମାୟେଲ ଦଶ ଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିୟ ନିକଟକୁ ମି‌‌ସ୍‌‌ପାକୁ ଆସିଲେ। ସେମାନେ ସେଠାରେ ଗଦଲିୟ ସହିତ ଏକତ୍ର ଭୋଜନ କଲେ।

2 ସେମାନେ ଏକତ୍ର ଭୋଜନ କରୁଥିବା ବେଳେ ଇ‌ଶ୍‌ମାୟେଲ ଓ ତାର ଦଶ ଜଣ ସଙ୍ଗୀ ଯିହୁଦାର ଶାସକ ଅହୀକାମର ପୁତ୍ର ଗଦଲିୟକୁ ହତ୍ୟା କଲେ, ଯାହାକୁ ବାବିଳର ରାଜା ଏହି ଭୂମିରେ ଖଣ୍ଡା ସାହାଯ୍ୟରେ ନିଯୁକ୍ତ କରିଥିଲେ।

3 ଆଉ ମଧ୍ୟ ଇ‌ଶ୍‌ମାୟେଲ ମି‌‌ସ୍‌‌ପାରେ ଗଦଲିୟ ସହିତ ଥିବା ସମସ୍ତ ଯିହୁଦୀୟମାନଙ୍କୁ ଓ ବାବିଲର ସୈନ୍ୟମାନଙ୍କୁ ବଧ କଲେ।

4-5 ଗଦଲିୟକୁ ବଧ କରିବାର ଦିନକ ପରେ ଶିଖିମ, ଶୀଲୋ ଓ ଶମରିୟାରୁ ଅଶୀଜଣ ପୁରୁଷ ଦାଢ଼ି କ୍ଷୌର ହୋଇ, ଛିନ୍ନବସ୍ତ୍ର ପରିଧାନ ପୂର୍ବକ ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରି ହସ୍ତରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ନେଇ ସଦାପ୍ରଭୁଙ୍କ ଗୃହକୁ ଆସୁଥିଲେ। ସେମାନେ ଗଦଲିୟଙ୍କ ହତ୍ୟା ଖବର ଜାଣି ନ ଥିଲେ।

6 ଇ‌ଶ୍‌ମାୟେଲ ମି‌‌ସ୍‌‌ପାକୁ ସେହି ଅଶୀଜଣ ପୁରୁଷଙ୍କୁ ଭେଟିବା ପାଇଁ ଗଲା ଓ ଗଲାବେଳେ ବାଟସାରା କ୍ରନ୍ଦନ କରି କରି ଗଲା। ସେମାନଙ୍କୁ ସାକ୍ଷାତ କରି କହିଲା, “ଅହୀକାମର ପୁତ୍ର ଗଦଲିୟକୁ ଦେଖିବାକୁ ଆସ।”

7 ଯେତେବେଳେ ସେମାନେ ନଗରର ମଧ୍ୟସ୍ଥାନକୁ ଆସିଲେ, ଇ‌ଶ୍‌ମାୟେଲ ଓ ତା'ର ସଙ୍ଗୀମାନେ ସେମାନଙ୍କୁ ବଧ କଲେ ଏବଂ ସେମାନଙ୍କୁ ଏକ ଗାତ ମଧ୍ୟରେ ଫୋପାଡ଼ି ଦେଲେ।

8 ମାତ୍ର ସେମାନଙ୍କ ମଧ୍ୟରୁ ଦଶ ଜଣ ଇ‌ଶ୍‌ମାୟେଲକୁ କହିଲେ, “ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭମାନଙ୍କର ଗହମ, ଯବ, ତୈଳ ଓ ମଧୁର ଗୁପ୍ତ ଭଣ୍ଡାର କ୍ଷେତରେ ଲୁଗ୍ଭଇ ରଖିଛୁ ଏବଂ ଆମ୍ଭେ ସେସବୁ ତୁମ୍ଭକୁ ଦେବୁ।” ତେଣୁ ଇ‌ଶ୍‌ମାୟେଲ ସେମାନଙ୍କୁ ମାରିବାରୁ ବିରତ ହେଲେ।

9 ଇ‌ଶ୍‌ମାୟେଲ ସେହି କୂପକୁ ନିହତମାନଙ୍କ ଶବରେ ଗଦଲିୟର ଶବ ସହିତ ପରିପୂର୍ଣ୍ଣ କଲା। ସେହି କୂପକୁ ଆସାର ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲା, ଯୁଦ୍ଧ ସମୟରେ ପାଣି ଯୋଗାଇବାକୁ ସେହି କୂପ ଖୋଳା ଯାଇଥିଲା।

10 ଏହା ପରେ ଇ‌ଶ୍‌ମାୟେଲ, ମି‌‌ସ୍‌‌ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ୟାଗଣଙ୍କୁ ଓ ମି‌‌ସ୍‌‌ପାରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀକରି ନେଇଗଲା। ସେ ସେମାନଙ୍କୁ ବନ୍ଦୀକରି ଅମ୍ମୋନ ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।

11 କାରେହର ପୁତ୍ର ଯୋହାନନ୍ ଓ ତାହାର ସମସ୍ତ ସଙ୍ଗୀ ସେନାପତିଗଣ ଇ‌ଶ୍‌ମାୟେଲର ଦୁଷ୍କର୍ମସବୁ ଜାଣିଲେ।

12 ତେଣୁ ଯୋହାନନ୍ ତାହାର ସମସ୍ତ ସେନାପତିମାନଙ୍କୁ ନେଇ ନଥନିୟର ପୁତ୍ର ଇ‌ଶ୍‌ମାୟେଲ ସଙ୍ଗେ ଯୁଦ୍ଧ କରିବାକୁ ଗଲେ ଓ ଗିବିୟୋନସ୍ଥିତ ଏକ ବିରାଟ ଜଳାଶୟ ନିକଟରେ ତାହାକୁ ଭେଟିଲେ।

13 ସେତେବେଳେ ଇ‌ଶ୍‌ମାୟେଲ ସଙ୍ଗରେ ଥିବା ସମସ୍ତ ଲୋକ କାରେହର ପୁତ୍ର ଯୋହାନ‌ନ୍‌କୁ ଓ ତାହାର ସଙ୍ଗୀ ସେନାପତିମାନଙ୍କୁ ଦେଖି ଆନନ୍ଦିତ ହେଲେ।

14 ତା'ପରେ ଇ‌ଶ୍‌ମାୟେଲ ଯେଉଁ ଲୋକମାନଙ୍କୁ ମି‌‌ସ୍‌‌ପାକୁ ବନ୍ଦୀ କରି ନେଇଯାଇଥିଲା, ସେମାନେ ସମସ୍ତେ କାରେହର ପୁତ୍ର ଯୋହାନନ୍ ନିକଟକୁ ଫେରି ଆସିଲେ।

15 ମାତ୍ର ନଥନିୟର ପୁତ୍ର ଇ‌ଶ୍‌ମାୟେଲ ଆଠଜଣ ଲୋକ ସହିତ ଯୋହାନନ୍ ନିକଟରୁ ପଳାଇ ଅମ୍ମୋନ ସନ୍ତାନଗଣର ନିକଟକୁ ଗଲା।

16 ଯୋହାନନ୍ ଏବଂ ତାଙ୍କର ସୈନ୍ୟବାହିନୀର ସେନାପତିଗଣ ଗିବିୟୋନକୁ ଅବଶିଷ୍ଟ ଲୋକମାନଙ୍କୁ ଆଣିଲେ, ଯେଉଁମାନଙ୍କୁ ନଥନିୟର ପୁତ୍ର ଇ‌ଶ୍‌ମାୟେଲ, ଗଲିୟଦକୁ ହତ୍ୟା କଲା ପରେ, ମି‌‌ସ୍‌‌ପାକୁ ନେଇ ଯାଇଥିଲେ। ସେମାନଙ୍କ ମଧ୍ୟରେ ଯୋଦ୍ଧାଗଣ, ସ୍ତ୍ରୀଲୋକ, ବାଳକଗଣ, ବାଳିକାଗଣ ଓ ନପୁଂସକଗଣ ଥିଲେ।


ମିଶରକୁ ପଳାୟନ

17-18 ଯୋହାନନ୍ ଓ ଅନ୍ୟ ସେନାପତିଗଣ କ‌‌ଲ୍‌‌ଦୀୟମାନଙ୍କୁ ଭୟ କଲେ। କାରଣ ଇ‌ଶ୍‌ମାୟେଲ ବାବିଲ ରାଜାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ଗଦଲିୟକୁ ହତ୍ୟା କରିଥିଲେ। ତେଣୁ ଯୋହାନନ୍ କ‌‌ଲ୍‌‌ଦୀୟମାନେ ରାଗିଥିବେ ବୋଲି ଭୟ କଲେ। ତେଣୁ ସେ ମିଶରକୁ ପଳାଇ ଯିବା ପୂର୍ବରୁ ବୈ‌ଥ୍‌ଲେହମ୍ ସହର ନିକଟସ୍ଥ ଗେରୁତ୍ତ୍ୱକିମହମରେ କିଛି ସମୟ ଅଟକି ଥିଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan