Biblia Todo Logo
Bìoball air-loidhne

- Sanasan -

ଯିରିମୀୟ 40 - ପବିତ୍ର ବାଇବଲ


ଯିରିମିୟଙ୍କ ବନ୍ଦୀରୁ ମୁକ୍ତ

1 ଯିରୁଶାଲମ ଓ ଯିହୁଦାର ସମସ୍ତ ବନ୍ଦୀ ବାବିଲକୁ ନିଆ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମିୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ରାମା ନଗରରେ ଯାଇ ମୁକ୍ତ କଲେ। ଏହା ପରେ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

2 ସେତେବେଳେ ପ୍ରହରୀବର୍ଗର ସେନାପତି, “ଯିରିମିୟଙ୍କୁ କହିଲା, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ସ୍ଥାନ ବିଷୟରେ ଏହି ଅମଙ୍ଗଳକର କଥା କହିଥିଲେ।

3 ସଦାପ୍ରଭୁ ତାଙ୍କ କହିବାନୁସାରେ ସବୁ ଘଟାଇ ଅଛନ୍ତି। ଏହା ଘଟିଲା, କାରଣ ତୁମ୍ଭର ଲୋକମାନେ ତାଙ୍କର କଥା ମାନିଲେ ନାହିଁ ଓ ପାପ କଲେ।

4 ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ମୁକ୍ତ କଲି। ଯଦି ତୁମ୍ଭେ ମୋ’ ସହିତ ବାବିଲ ଯିବାକୁ ଇଚ୍ଛା କରୁଛ, ତେବେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନେବି। ଯଦି ତୁମ୍ଭେ ମୋ’ ସହିତ ଯିବାକୁ ଇଚ୍ଛା ନ କରୁଛ, ତେବେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେକୌଣସି ସ୍ଥାନକୁ ଯିବାକୁ ଭଲ ମନେ କରୁଛ, ସେଠାକୁ ଯାଅ।

5 ଅଥବା ତୁମ୍ଭେ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟ ନିକଟକୁ ଫେରିଯାଅ। ବାବିଲର ରାଜା ତାକୁ ଯିହୁଦାର ଶାସନକର୍ତ୍ତା ରୂପେ ନିଯୁକ୍ତ କରିଅଛି। ତୁମ୍ଭେ ତାଙ୍କ ସହିତ ବାସ କର କିଅବା ଯେକୌଣସି ସ୍ଥାନକୁ ଯିବାକୁ ଇଚ୍ଛା କରୁଛ ସେ ସ୍ଥାନକୁ ଯାଅ।” ତା'ପରେ ନବୂଷରଦନ୍ ଯିରିମିୟଙ୍କୁ କିଛି ଖାଦ୍ୟ ଓ ପାରିତୋଷିକ ଦେଇ ବିଦାୟ କଲେ।

6 ତେଣୁ ଯିରିମିୟ ମିସ୍ପାରେ ଅହୀକାମର ପୁତ୍ର ଗଦଲିୟ ନିକଟକୁ ଯାଇ ଅବଶିଷ୍ଟ ଲୋକମାନଙ୍କ ମଧ୍ୟରେ ଯିହୁଦାରେ ତାଙ୍କ ସଙ୍ଗେ ବାସ କଲେ।


ଗଦଲିୟଙ୍କ ସ୍ୱଳ୍ପ ଶାସନ

7 ଯେତେବେଳେ ଯିରୁଶାଲମ ଧ୍ୱଂସ ହେଲା, ସେତେବେଳେ ଯିହୁଦାର କେତେକ ସେନାପତି, ଅଧିପତି ଓ ଲୋକ ବାହାରେ ଥିଲେ। ସେମାନେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିୟକୁ ଦେଶର ଶାସନକର୍ତ୍ତା ରୂପେ ନିଯୁକ୍ତ କରିଅଛନ୍ତି। ସେ ତାଙ୍କ ଉପରେ ବାବିଲକୁ ନିଆଯାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ୟସ୍ତ କରିଅଛନ୍ତି।

8 ଯେଉଁମାନେ ମି‌‌ସ୍‌‌ପୀକୁ ଗଦଲିୟ ନିକଟକୁ ଗଲେ ସେମାନଙ୍କ ମଧ୍ୟରେ ନଥନିୟର ପୁତ୍ର ଇ‌ଶ୍‌ମାୟେଲ, କାରେହର ପୁତ୍ର ଯୋହାନନ୍ ଓ ଯୋନାଥନ୍, ତ‌‌‌ନ୍‌‌‌ହୂମତର ପୁତ୍ର ସରାୟ, ନଟୋଫାତୀୟ ଏଫୟର ପୁତ୍ରମାନେ ଓ ମାଖାତୀୟର ପୁତ୍ର ଯାସନୀୟ ଥିଲେ।

9 ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟ ସେହି ସୈନ୍ୟମାନଙ୍କ ଓ ସେମାନଙ୍କର ଲୋକମାନଙ୍କ ନିକଟରେ ଶପଥ କରି କହିଲା, “ତୁମ୍ଭେମାନେ କ‌‌ଲ୍‌‌ଦୀୟମାନଙ୍କର ଦାସ ହେବା ପାଇଁ ଭୟ କର ନାହିଁ। ବାବିଲ ରାଜାର ସେବାକାରି ଏହି ଦେଶରେ ବାସ କର। ଏଥିରେ ତୁମ୍ଭମାନଙ୍କର ମଙ୍ଗଳ ହେବ।

10 ଆଉ ଦେଖ, ଯେଉଁ କ‌‌ଲ୍‌‌ଦୀୟମାନେ ଆମ୍ଭ ନିକଟକୁ ମି‌‌ସ୍‌‌ପୀକୁ ଆସିବେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସେମାନଙ୍କୁ ଉତ୍ତର କରିବା। ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ। ଆଉ ତୁମ୍ଭେମାନେ ହସ୍ତଗତ କରିଥିବା ନଗରଗୁଡ଼ିକରେ ବାସ କର।”

11 ଯିହୁଦାର ଯେଉଁସବୁ ଲୋକ ମୋୟାବ, ଅମ୍ମୋନ, ଇଦୋମ ଓ ଅନ୍ୟାନ୍ୟ ସବୁ ଦେଶରେ ଥିଲେ, ସେମାନେ ଶୁଣିଲେ ଯେ ବାବିଲର ରାଜା ଯିହୁଦା ଏକ ଅବଶିଷ୍ଟ ଅଂଶ ଲୋକ ରଖିଅଛି ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟକୁ ସେମାନଙ୍କୁ ଶାସନ କରିବାକୁ ନିଯୁକ୍ତ କରିଅଛି।

12 ଯେତେବେଳେ ଯିହୁଦୀମାନେ ଏହି ସମ୍ବାଦ ଶୁଣିଲେ, ସେମାନେ ବିତାଡ଼ିତ ହୋଇଥିବା ଦେଶମାନଙ୍କରୁ ଯିହୁଦାକୁ ଫେରି ଆସିଲେ। ସେମାନେ ମି‌‌ସ୍‌‌ପାରେ ଗଦଲିୟ ନିକଟକୁ ଆସିଲେ। ଆଉ ଅପାର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚୟ କଲେ।

13 ଆହୁରି କାରେହର ପୁତ୍ର ଯୋହାନନ୍ ଓ ପଦାରେ ଅବସ୍ଥିତ ସେନାପତି ସକଳ ମି‌‌ସ୍‌‌ପାରେ ଗଦଲିୟ ନିକଟକୁ ଆସିଲେ।

14 ଯୋହାନନ୍ ଓ ସେହି ଅଧିପତିଗଣ ଗଦଲିୟକୁ କହିଲେ, “ଅମ୍ମୋନ୍ ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନିୟର ପୁତ୍ର ଇ‌ଶ୍‌ମାୟେଲକୁ ପଠାଇଅଛି ବୋଲି ଆପଣ ଜାଣନ୍ତି କି?” ମାତ୍ର ଅହୀକାମର ପୁତ୍ର ଗଦଲିୟ ସେମାନଙ୍କ କଥାରେ ବିଶ୍ୱାସ କଲେ ନାହିଁ।

15 ତାହାପରେ କାରେହର ପୁତ୍ର ଯୋହାନନ୍ ମି‌‌ସ୍‌‌ପାରେ ଗଦଲିୟକୁ ଗୋପନରେ କହିଲେ, “ଆପଣଙ୍କର ଅନୁମତି ହେଲେ ମୁଁ ଯାଇ ନଥନିୟର ପୁତ୍ର ଇ‌ଶ୍‌ମାୟେଲକୁ ବଧ କରିବି। ଆଉ କେହି ତାହା ଜାଣିବେ ନାହିଁ। ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ୱାରା ଆପଣଙ୍କ ନିକଟରେ ସଂଗୃହୀତ ଯିହୁଦୀୟ ସମସ୍ତେ ଛିନ୍ନଭିନ୍ନ ହୋଇଯିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହେବ?”

16 କିନ୍ତୁ ଅହୀକାମର ପୁତ୍ର ଗଦଲିୟ କାରେହର ପୁତ୍ର ଯୋହାନ‌ନ୍‌କୁ କହିଲେ, “ତୁମ୍ଭେ ଇ‌ଶ୍‌ମାୟେଲକୁ ବଧ କର ନାହିଁ। କାରଣ ତୁମ୍ଭେ ତାଙ୍କ ବିଷୟରେ ଯାହା କହୁଅଛ ତାହା ସତ୍ୟ ନୁହେଁ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan