Biblia Todo Logo
Bìoball air-loidhne

- Sanasan -

ଯିରିମୀୟ 39 - ପବିତ୍ର ବାଇବଲ


ଯିରୁଶାଲମର ପତନ

1 ଅନନ୍ତର ଯିହୁଦାର ରାଜା ସିଦିକିୟର ରାଜତ୍ୱର ନବମ ବର୍ଷର ଦଶମ ମାସରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୁଶାଲମର ବିରୁଦ୍ଧରେ ଆସି ତାହା ଅବରୋଧ କଲେ।

2 ସିଦିକିୟର ରାଜତ୍ୱର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ଏହି ନଗରର ପ୍ରାଚୀର ଭଙ୍ଗାଗଲା ଓ ଯିରୁଶାଲମକୁ କରଗତ କରାଗଲା।

3 ତା'ପରେ ବାବିଲ ରାଜାର ସମସ୍ତ ଅଧିପତିମାନେ ଯଥା: ନେର୍ଗଲଶରେତ୍ସର, ସ‌‌‌ମ୍‌‌‌ଗର-ନବୋ, ଶର୍ସଖୀମ, ରବସାରୀସ୍ ଓ ରବମା‌ଗ୍‌ ପ୍ରଭୃତି ବାବିଲ ରାଜାର ଅବିଶିଷ୍ଟ ଅଧିପତି ସମସ୍ତେ ଆସି ମଧ୍ୟମ ଦ୍ୱାରରେ ବସିଲେ।

4 ତହୁଁ ଯିହୁଦାର ରାଜା ସିଦିକିୟ ଓ ସମସ୍ତ ସୈନ୍ୟଗଣ ସେମାନଙ୍କୁ ଦେଖି ପଳାୟନ କଲେ। ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରି ଗଲେ। ପୁଣି ସେମାନେ ପ୍ରାନ୍ତର ଆଡ଼େ ଗ୍ଭଲିଲେ।

5 ମାତ୍ର କ‌‌ଲ୍‌‌ଦୀୟମାନଙ୍କର ସୈନ୍ୟ ସେମାନଙ୍କ ପଛେ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକିୟ ନିକଟରେ ପହଞ୍ଚିଲେ। ସେମାନଙ୍କୁ ଧରି ହମାତ୍ ଦେଶସ୍ଥ ରି‌‌‌ବ୍‌‌‌ଲାରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ନିକଟକୁ ଆଣିଲେ, ତହୁଁ ସେ ତାହାର ଦଣ୍ଡ ବ୍ୟବସ୍ଥା କଲେ।

6 ବାବିଲ ରାଜା ରି‌‌‌ବ୍‌‌‌ଲାରେ ସିଦିକିୟର ସମ୍ମୁଖରେ ସିଦିକିୟର ପୁତ୍ରମାନଙ୍କୁ ବଧ କଲେ। ଆଉ ମଧ୍ୟ ତାଙ୍କର ଅଧିପତିଙ୍କୁ ବଧ କଲେ।

7 ପୁଣି ସେ ସିଦିକିୟର ଚକ୍ଷୁ ଉପାଡ଼ି ତାକୁ ବାବିଲକୁ ନେବାକୁ ପିତ୍ତଳ ଶୃଙ୍ଖଳରେ ବାନ୍ଧିଲେ।

8 କ‌‌ଲ୍‌‌ଦୀୟମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନିରେ ଦ‌ଗ୍‌ଧ କଲେ। ଆଉ ଯିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ।

9 ବାବିଲ ରାଜାର ନବୂଷରଦନ୍ ନାମକ ଜଣେ ପ୍ରହରୀବର୍ଗର ସେନାପତି ଯିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହୋଇଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନେଇଗଲା।

10 କିନ୍ତୁ ସେହି ପ୍ରହରୀବର୍ଗରେ ସେନାପତି ନବୂଷରଦନ୍ କେତେକ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିଗଲା, ଆଉ ସେମାନଙ୍କୁ ସେହି ଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା।

11 ମାତ୍ର ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିରିମିୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂଷରଦ‌‌‌ନ୍‌‌‌କୁ ଏହି ଆଜ୍ଞା ଦେଲେ।

12 “ତୁମ୍ଭେ ଯିରିମିୟଙ୍କୁ ଦେଖ ଓ ତାଙ୍କର ଯତ୍ନ ନିଅ। ତାଙ୍କର କୌଣସି କ୍ଷତି କର ନାହିଁ। ସେ ତୁମ୍ଭକୁ ଯାହା ମାଗିବେ, ତାହା ତାଙ୍କୁ ଦିଅ।”

13 ତେଣୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍, ସେନାଧ୍ୟକ୍ଷ ନବୂଶସବନ୍ ଓ ନେର୍ଗଲ-ଶରେତ୍ସର ଓ ବାବିଲର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇ ଯିରିମିୟଙ୍କୁ ଡକାଇଲେ।

14 ସେମାନେ ପ୍ରହରୀ ପ୍ରାଙ୍ଗଣରୁ ଯିରିମିୟଙ୍କୁ ଆଣିଲେ ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟର ହସ୍ତରେ ସମର୍ପଣ କଲେ। ଗଦଲିୟ ଯିରିମିୟଙ୍କୁ ତାଙ୍କ ମନ୍ଦିରକୁ ପଠାଇ ଦେଲେ ଓ ସେ ତାଙ୍କ ନିଜ ଲୋକମାନଙ୍କ ମଧ୍ୟରେ ବାସ କଲେ।


ସଦାପ୍ରଭୁଙ୍କଠାରୁ ‌ଏବ‌‌ଦ୍‌‌-ମେଲକଙ୍କ ପ୍ରତି ଏକ ବାର୍ତ୍ତା

15 ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦୀଥିବା ସମୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହେଲା।

16 “ହେ ଯିରିମିୟ, ତୁମ୍ଭେ ଯାଇ କୁଶୀୟ ଏବ‌‌ଦ୍‌‌-ମେଲକକୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଏହି ନଗର ପ୍ରତି ମଙ୍ଗଳ ପାଇଁ ନୁହଁ, ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ୟସବୁ ସଫଳ କରିବା। ଆଉ ସେସବୁ ତୁମ୍ଭ ସାକ୍ଷାତରେ ସଫଳ ହେବାର ଦେଖିବ।’

17 ମାତ୍ର ସଦାପ୍ରଭୁ କହନ୍ତି, ‘ସେଦିନ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା। ଆଉ ତୁମ୍ଭେ ଯେଉଁ ଲୋକମାନଙ୍କୁ ଭୟ କରୁଛ, ସେମାନଙ୍କ ହସ୍ତରେ ତୁମ୍ଭେ ସମର୍ପିତ ହେବ ନାହିଁ।

18 ଆଉ ହେ ‌ଏବ‌‌ଦ୍‌‌-ମେଲକ, ଆମ୍ଭେ ତୁମ୍ଭକୁ ନିଶ୍ଚୟ ରକ୍ଷା କରିବା। ତୁମ୍ଭେ ‌‌ଖ‌ଡ଼୍‌ଗରେ ନିହତ ହେବ ନାହିଁ। ମାତ୍ର ତୁମ୍ଭେ ରକ୍ଷା ପାଇବ ଓ ବଞ୍ଚିବ। ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ ରଖିଛ।’” ଏହି ବାକ୍ୟ ସଦାପ୍ରଭୁଙ୍କଠାରୁ ଆସିଥିଲା।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan