Biblia Todo Logo
Bìoball air-loidhne

- Sanasan -

ଯିରିମୀୟ 35 - ପବିତ୍ର ବାଇବଲ


ରେଖବୀୟ ବଂଶର ଉତ୍ତମ ଦୃଷ୍ଟାନ୍ତ

1 ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ରାଜତ୍ୱ କାଳରେ ସଦାପ୍ରଭୁଙ୍କ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

2 “ହେ ଯିରିମିୟ, ତୁମ୍ଭେ ରେଖବୀୟ ବଂଶ ନିକଟକୁ ଯାଇ ସେମାନଙ୍କୁ ନିମନ୍ତ୍ରଣ କରି ସଦାପ୍ରଭୁଙ୍କ ଗୃହର ଏକ କୋଠରୀକୁ ଆଣ ଓ ସେମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।”

3 ତହୁଁ ମୁଁ ହବ‌‌‌ତ୍‌‌‌ସିନିୟର ପୌତ୍ର, ଯିରିମିୟର ପୁତ୍ର ଯାଶନିୟକୁ, ତାହାର ଭ୍ରାତୃଗଣଙ୍କୁ ଓ ତାହାର ସମସ୍ତ ପୁତ୍ରଙ୍କୁ ଆଉ ସମସ୍ତ ରେଖବୀୟ ବଂଶକୁ ଏକତ୍ରିତ କରି ସଙ୍ଗରେ ନେଲି।

4 ସେମାନଙ୍କୁ ସଦାପ୍ରଭୁଙ୍କ ଗୃହକୁ ନେଇଗଲି। ମୁଁ ପରମେଶ୍ୱରଙ୍କ ଲୋକ ଯି‌ଗ୍‌ଦଲିୟର ପୁତ୍ର ହାନନର ପୁତ୍ରମାନଙ୍କର କୋଠରୀକୁ ଗଲି। ସେହି କୋଠରୀ ଶଲ୍ଲୂମର ପୁତ୍ର ମାସେୟ ନାମକ ଦ୍ୱାରପାଳର କୋଠରୀ ଉପରେ, ଅଧିପତିଗଣର କୋଠରୀ ନିକଟରେ ଥିଲା।

5 ପୁଣି ମୁଁ ରେଖବ ବଂଶୀୟ ଲୋକମାନଙ୍କ ସମ୍ମୁଖରେ ଦ୍ରାକ୍ଷାରସ ପୂର୍ଣ୍ଣ କେତେକ ଭାଣ୍ଡ ଓ ପାନପାତ୍ର ରଖି ସେମାନଙ୍କୁ କହିଲି, “ତୁମ୍ଭେମାନେ ଦ୍ରାକ୍ଷାରସ ପାନ କର।”

6 ମାତ୍ର ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଦ୍ରାକ୍ଷାରସ ପାନ କରିବୁ ନାହିଁ। କାରଣ ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହୋନାଦବ୍ ଆମ୍ଭମାନଙ୍କୁ ଏହି ଆଜ୍ଞା ଦେଇଅଛନ୍ତି, ‘ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ କେହି କେବେ ଦ୍ରାକ୍ଷାରସ ପାନ କରିବ ନାହିଁ।

7 ଆଉ ମଧ୍ୟ ତୁମ୍ଭେମାନେ ଗୃହ ନିର୍ମାଣ କରିବ ନାହିଁ, କିଅବା ବୀଜ ବୁଣିବ ନାହିଁ କିଅବା ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ନାହିଁ ଅବା ତହିଁର ଅଧିକାରୀ ହେବ ନାହିଁ। ମାତ୍ର ତୁମ୍ଭେମାନେ ଯାବଜ୍ଜୀବନ ତମ୍ବୁରେ ବାସ କରିବ, ତହିଁରେ ତୁମ୍ଭେମାନେ ଯେଉଁ ଦେଶରେ ପ୍ରବାସ କରୁଅଛ, ସେହି ଦେଶରେ ଅନେକ କାଳ ବଞ୍ଚିବ।’

8 ତେଣୁ ଆମ୍ଭେମାନେ ରେଖବୀୟ ବଂଶ ଆମ୍ଭ ପୂର୍ବପୁରୁଷ ଯିହୋନାଦବ୍ ଆମ୍ଭମାନଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଓ ଗୃହ ନିର୍ମାଣ ନ କରିବାକୁ ଯେଉଁ ଆଜ୍ଞା ଦେଇଛନ୍ତି ତାହା ପାଳନ କରି ଆସିଅଛୁ। ଆଉ ଆମ୍ଭେମାନେ, ଆମ୍ଭମାନଙ୍କର ସ୍ତ୍ରୀମାନେ ଓ ଆମ୍ଭମାନଙ୍କର ପୁତ୍ରକନ୍ୟାମାନେ କେବେ ଦ୍ରାକ୍ଷାରସ ପାନ କରୁ ନାହୁଁ।

9 ଆଉ ଆମ୍ଭେମାନେ ବାସ କରିବା ନିମନ୍ତେ ଗୃହ ନିର୍ମାଣ କରୁ ନାହୁଁ। ଦ୍ରାକ୍ଷାକ୍ଷେତ୍ର କରୁ ନାହୁଁ କି ଶସ୍ୟ ରୋପଣ କରୁ ନାହୁଁ।

10 ଆମ୍ଭମାନଙ୍କର ପୂର୍ବପୁରୁଷ ଯିହୋନାଦ‌‌‌ବ୍‌‌‌ଙ୍କର ସମସ୍ତ ଆଜ୍ଞା ଅନୁସାରେ କାର୍ଯ୍ୟ କରି ତମ୍ବୁରେ ବାସ କରୁଅଛୁ।

11 ମାତ୍ର ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯେତେବେଳେ ଯିହୁଦା ଆକ୍ରମଣ କଲେ, ସେତେବେଳେ ଆମ୍ଭେମାନେ କହିଲୁ, ‘ଆସ, କ‌‌ଲ୍‌‌ଦୀୟ ସୈନ୍ୟର ଓ ଅରାମୀୟ ସୈନ୍ୟର ଭୟ ଯୋଗୁଁ ଆମ୍ଭେମାନେ ଯିରୁଶାଲମ ଯିବା,’ ଏଣୁ ଆମ୍ଭେମାନେ ଯିରୁଶାଲମରେ ବାସ କରୁଅଛୁ।”

12 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

13 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହିଲେ, “ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କୁହ, ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ଆମ୍ଭର ବାକ୍ୟ ପ୍ରତି ଅବଧାନ କରି ଆମ୍ଭର ଶିକ୍ଷା ଗ୍ରହଣ କର।”

14 “ରେଖବର ପୁତ୍ର ଯିହୋନାଦବ୍ ଆପଣା ବଂଶଧରଗଣଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଯେଉଁ ଆଜ୍ଞା ଦେଇଥିଲା, ତାହାର ସେହି ବାକ୍ୟ ପ୍ରତିପାଳିତ ହୋଇ ଆସୁଅଛି ଓ ସେମାନେ ଆଜି ପର୍ଯ୍ୟନ୍ତ ଦ୍ରାକ୍ଷାରସ ପାନ କରୁ ନାହାନ୍ତି। କାରଣ ସେମାନେ ଆପଣା ପିତୃପୁରୁଷଙ୍କ ଆଜ୍ଞା ପାଳନ କରୁଛନ୍ତି। ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ ବାରମ୍ବାର ଆଜ୍ଞା ଦେଲେ ହେଁ, ତୁମ୍ଭେମାନେ ଆମ୍ଭ ବାକ୍ୟ ପ୍ରତି ଅବଧାନ କରୁ ନାହଁ।

15 ଆଉ ମଧ୍ୟ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସେମାନେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, “ତୁମ୍ଭେମାନେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂଶୋଧନ କର ଓ ଅନ୍ୟ ଦେବଗଣର ସେବା କରି ସେମାନଙ୍କୁ ଅନୁସରଣ କର ନାହିଁ। ତାହାହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦେଇଅଛୁ ତହିଁରେ ତୁମ୍ଭେମାନେ ବାସ କରିବ।” ମାତ୍ର ତୁମ୍ଭେମାନେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ୟରେ ଅବଧାନ କରି ନାହଁ।

16 ରେଖବର ପୁତ୍ର ଯିହୋନାଦ‌‌‌ବ୍‌‌‌ର ବଂଶଧରଗଣ ସେମାନଙ୍କ ପ୍ରତି ଆବିଷ୍ଟ ହୋଇଥିବା ଆଜ୍ଞା ପ୍ରତିପାଳନ କରି ଆସୁଅଛନ୍ତି। ମାତ୍ର ଯିହୁଦାର ଲୋକମାନେ ଆମ୍ଭ କଥାରେ ଅବଧାନ କରି ନାହାନ୍ତି।’

17 ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛୁ, ତାହା ସେମାନଙ୍କ ପ୍ରତି ଘଟାଇବା। କାରଣ ଆମ୍ଭେ ସେମାନଙ୍କୁ ଯେଉଁ କଥା କହିଅଛୁ, ସେମାନେ ଶୁଣୁ ନାହାନ୍ତି। ଆଉ ଆମ୍ଭେ ସେମାନଙ୍କୁ ଡାକିଅଛୁ, ମାତ୍ର ସେମାନେ ଉତ୍ତର ଦେଇ ନାହାନ୍ତି।”

18 ତେଣୁ ଯିରିମିୟ ରେଖବୀୟ ବଂଶକୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ନିଜ ପୂର୍ବପୁରୁଷ ଯିହୋନାଦ‌‌‌ବ୍‌‌‌ର ଆଜ୍ଞା ମାନିଅଛ, ତାହାର ବିଧାନସବୁ ପାଳନ କରିଅଛ ଓ ତୁମ୍ଭମାନଙ୍କ ପ୍ରତି ତାହାର ସମସ୍ତ ଆଜ୍ଞା ପ୍ରମାଣେ କାର୍ଯ୍ୟ କରିଅଛ।’

19 ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ହକନ୍ତି, ‘ଆମ୍ଭର ସେବା ନିମନ୍ତେ ରେଖବର ପୁତ୍ର ଯିହୋନାଦବ୍ ବଂଶୀୟ ଲୋକ ଆମ୍ଭ ସମ୍ମୁଖରେ ସର୍ବଦା ଠିଆ ହେବ।’”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan