ଯିରିମୀୟ 34 - ପବିତ୍ର ବାଇବଲଯିହୁଦାର ରାଜ ସିଦିକିୟଙ୍କୁ ସତର୍କ ବାଣୀ 1 ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ, ତାହାର ଶାସନାଧୀନ ସମସ୍ତ ରାଜ୍ୟ ଓ ସମସ୍ତ ଗୋଷ୍ଠୀ ଯିରୁଶାଲମ ଓ ତାହାର ନଗର ସମୂହର ବିରୁଦ୍ଧରେ ଯୁଦ୍ଧ କରୁଥିବା ସମୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା। 2 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ହେ ଯିରିମିୟ, ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକିୟଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ବାବିଲର ରାଜା ହସ୍ତରେ ଯିରୁଶାଲମକୁ ସମର୍ପଣ କରିବା, ତାହାକୁ ସେ ଅଗ୍ନିରେ ଦଗ୍ଧ କରିବ। 3 ଆଉ ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ। ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ। ତୁମ୍ଭେ ବାବିଲ ରାଜାଙ୍କୁ ସ୍ୱଚକ୍ଷୁରେ ଦେଖିବ। ସେ ମୁହାଁମୁହିଁ ହୋଇ ତୁମ୍ଭ ସହିତ କଥା କହିବେ ଓ ତୁମ୍ଭେ ବାବିଲକୁ ଯିବ। 4 ମାତ୍ର ହେ ଯିହୁଦାର ସିଦିକିୟ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସଦାପ୍ରଭୁ ତୁମ୍ଭ ବିଷୟରେ ଏହି କଥା କହନ୍ତି। ତୁମ୍ଭେ ଖଡ଼୍ଗରେ ନିହତ ହେବ ନାହିଁ। 5 ତୁମ୍ଭେ ତୁମ୍ଭ ପୂର୍ବପୁରୁଷଙ୍କ ପରି ଓ ପୂର୍ବବର୍ତ୍ତୀ ରାଜାମାନଙ୍କ ପରି ଶାନ୍ତିରେ ମୃତ୍ୟୁବରଣ କରିବ। ଯେପରି ସୁଗନ୍ଧ ସେମାନେ ତାଙ୍କ ପାଇଁ ଜାଳି ଥିଲେ, ସେହିପରି ସେମାନେ ତୁମ୍ଭ ପାଇଁ ସୁଗନ୍ଧ ଜାଳିବେ। ପୁଣି “ହାୟ ପ୍ରଭୋ!” ହାୟ ପ୍ରଭୋ! କହି ସେମାନେ ତୁମ୍ଭ ପାଇଁ ବିଳାପ କରିବେ।’” କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହା କହିଅଛୁ। 6 ତେଣୁ ଭବିଷ୍ୟଦ୍ବକ୍ତା ଯିରିମିୟ ଯିରୁଶାଲମରେ ଯିହୁଦାର ରାଜା ସିଦିକିୟଙ୍କୁ ଏହିସବୁ କଥା କହିଲେ। 7 ସେତେବେଳେ ବାବିଲ ରାଜାର ସୈନ୍ୟ ଯିରୁଶାଲମ ବିରୁଦ୍ଧରେ, ଯିହୁଦାର ଅବଶିଷ୍ଟ ସକଳ ନଗର ବିରୁଦ୍ଧରେ ଓ ଲାଖୀଶ ଏବଂ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧ୍ୟରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା। ଲୋକମାନେ ସେମାନଙ୍କର ଗୋଟିଏ ନିୟମ ଭଙ୍ଗ କରନ୍ତି 8 ସିଦିକିୟ ରାଜା ଯିରୁଶାଲମ ଲୋକମାନଙ୍କ ସହିତ ଏହି ନିୟମ କରିଥିଲେ ଯେ ପ୍ରତ୍ୟେକ ନିଜ ନିଜ ଏବ୍ରୀୟ ଦାସଦାସୀଙ୍କୁ ମୁକ୍ତ କରି ବିଦାୟ ଦେବେ। କେହି ସେମାନଙ୍କୁ ଅର୍ଥାତ୍ ନିଜ ଯିହୁଦୀୟ ଭ୍ରାତାକୁ ଦାସ୍ୟକର୍ମ କରାଇବେ ନାହିଁ। ସିଦିକିୟ ଏହି ନିୟମ କଲାପରେ ସଦାପ୍ରଭୁଙ୍କ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 9 ପ୍ରତ୍ୟେକ ଏବ୍ରୀୟ ଦାସଦାସୀଙ୍କୁ ମୁକ୍ତ କରିବେ ଓ କେହି ଯିହୁଦୀୟମାନଙ୍କୁ ଦାସ୍ୟକର୍ମ କରାଇବେ ନାହିଁ। 10 ତେଣୁ ସମସ୍ତ ଅଧିପତି ଓ ସମସ୍ତ ଲୋକ ଏହି ନିୟମ ଗ୍ରହଣ କଲେ ଓ ପ୍ରତ୍ୟେକ ନିଜ ନିଜ ଦାସଦାସୀଙ୍କୁ ମୁକ୍ତ କରି ବିଦାୟ ଦେଲେ। ଏହି ନିୟମରେ ସମସ୍ତେ ସମ୍ମତ ହେଲେ ଓ ସେମାନଙ୍କୁ ଦାସ୍ୟକର୍ମ ଆଉ କରାଇଲେ ନାହିଁ। 11 ମାତ୍ର ତାହାପରେ ସେମାନେ ନିଜ ନିଜ ହୃଦୟ ପରିବର୍ତ୍ତନ କଲେ ଓ ଯେଉଁ ଦାସଦାସୀଙ୍କୁ ମୁକ୍ତ କରିଥିଲେ, ସେମାନଙ୍କୁ ପୁନର୍ବାର ଆଣି ଦାସ୍ୟକର୍ମରେ ନିଯୁକ୍ତ କଲେ। 12 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 13 ହେ ଯିରିମିୟ! ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିଶର ଦେଶର ଦାସତ୍ୱରୁ ମୁକ୍ତ କରିଥିଲୁ ଓ ସେମାନଙ୍କ ସହିତ ଏହି ନିୟମ କରିଥିଲୁ। 14 ଆମ୍ଭେ ସେମାନଙ୍କୁ କହିଥିଲୁ, ‘ତୁମ୍ଭର କୌଣସି ଏବ୍ରୀୟ ଭ୍ରାତା ତୁମ୍ଭ ନିକଟରେ ବୀକ୍ରିତ ହୋଇ ଛଅ ବର୍ଷ ତୁମ୍ଭର ଦାସ୍ୟକର୍ମ କଲା ଉତ୍ତାରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ ଦେବ, ତୁମ୍ଭେମାନେ ପ୍ରତ୍ୟେକ ସାତ ବର୍ଷର ଶେଷରେ ଆପଣା ଆପଣାର ସେହି ଭ୍ରାତାଙ୍କୁ ମୁକ୍ତ କରିବ।’ ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭର ବାକ୍ୟ ଶୁଣିଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ। 15 ପୁଣି ତୁମ୍ଭେମାନେ ଏହା ପରେ ଆପଣା ପ୍ରତିବାସୀଙ୍କୁ ମୁକ୍ତି କରି ଆମ୍ଭ ଦୃଷ୍ଟିରେ ଯଥାର୍ଥ କର୍ମ କଲ। ଆଉ ଆମ୍ଭ ନାମରେ ଖ୍ୟାତ ମନ୍ଦିରରେ ଆମ୍ଭ ସମ୍ମୁଖରେ ନିୟମ କରିଥିଲ। 16 ମାତ୍ର ତେମ୍ଭେମାନେ ତୁମ୍ଭମାନଙ୍କର ମନ ବଦଳାଇ ଆମ୍ଭର ନାମକୁ ଅପବିତ୍ର କଲ। ଆଉ ଯେଉଁମାନଙ୍କୁ ମୁକ୍ତ କରି ବିଦାୟ ଦେଇଥିଲୁ, ପୁନର୍ବାର ସେମାନଙ୍କୁ ଆଣି ଆପଣା ଆପଣା ଦାସ୍ୟକର୍ମରେ ବାଧ୍ୟ କରି ନିଯୁକ୍ତ କଲ। 17 “ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ପ୍ରତିବାସୀଙ୍କୁ “ମୁକ୍ତ ଦେବା ପାଇଁ “‘ଆମ୍ଭ ନିୟମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ୟ ଆତଙ୍କିତ ହେବ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା। 18 ପୁଣି ଯେଉଁମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଗୋବତ୍ସକୁ ଦୁଇଖଣ୍ଡ କରି ତନ୍ମଧ୍ୟରେ ଗମନ କରିଛନ୍ତି, ମୁଁ ସେମାନଙ୍କୁ ସେହି ବାଛୁରି ପରି କରିବି। 19 ପୁଣି ଯିହୁଦାର ଅଧିପତିଗଣଙ୍କୁ, ଯିରୁଶାଲମର ଅଧିପତିମାନଙ୍କୁ ନପୁଂସକମାନଙ୍କୁ, ଯାଜକମାନଙ୍କୁ ଓ ଦେଶର ସମସ୍ତ ଲୋକଙ୍କୁ ଯେଉଁମାନେ ଗୋବତ୍ସର ଦୁଇଖଣ୍ଡ ମଧ୍ୟଦେଇ ଗମନ କଲେ ସେମାନଙ୍କୁ ମଧ୍ୟ ସମର୍ପଣ କରିବା। 20 ଆମ୍ଭେ ସେମାନଙ୍କୁ ସେମାନଙ୍କର ଶତ୍ରୁଗଣ ହସ୍ତରେ ଓ ସେମାନଙ୍କର ପ୍ରାଣନାଶକାରୀଙ୍କ ହସ୍ତରେ ସମର୍ପଣ କରିବା। ତହିଁରେ ସେମାନଙ୍କର ଶବ ଆକାଶର ପକ୍ଷୀମାନଙ୍କର ଓ ପୃଥିବୀର ବନ୍ୟ ପଶୁମାନଙ୍କର ଖାଦ୍ୟ ହେବ। 21 ପୁଣି ଯିହୁଦାର ରାଜା ସିଦିକିୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣ ହସ୍ତରେ ସମର୍ପଣ କରିବା। ଆଉ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠିଯାଇ ଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବି। 22 ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ପୁଣି ସେମାନଙ୍କୁ ଆମ୍ଭର ଆଜ୍ଞାରେ ଏହି ନଗରକୁ ଅଣାଇବା। ତହିଁରେ ସେମାନେ ନଗର ବିରୁଦ୍ଧରେ ଯୁଦ୍ଧ କରି ତାହାକୁ ଅଧିକାର କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ। ପୁଣି ଆମ୍ଭେ ଯିହୁଦାର ସମସ୍ତ ନଗରକୁ ଜନଶୂନ୍ୟ କରି ଧ୍ୱଂସ ସ୍ତୁପରେ ପରିଣତ କରିବା।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International