Biblia Todo Logo
Bìoball air-loidhne

- Sanasan -

ଯିରିମୀୟ 30 - ପବିତ୍ର ବାଇବଲ


ଆଶାର ଶପଥ

1 ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।

2 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଯେଉଁସବୁ କଥା କହିଅଛୁ, ତାହା ତୁମ୍ଭେ ଗୋଟିଏ ପୁସ୍ତକରେ ଲେଖି ରଖ।”

3 କାରଣ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ୱ ଅବସ୍ଥା ପରିବର୍ତ୍ତନ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଏପରି ସମୟ ଆସିବ ଯେଉଁ ସମୟରେ ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।”

4 ଇସ୍ରାଏଲ ଓ ଯିହୁଦା ବିଷୟରେ ସଦାପ୍ରଭୁ କହିଲେ।

5 ସଦାପ୍ରଭୁ ଏହା କହିଲେ, “ଆମ୍ଭେ ଲୋକମାନଙ୍କର କମ୍ପିବାର ଓ ଭୟର ଶବ୍ଦ ଶୁଣିଅଛୁ, ମାତ୍ର ଶାନ୍ତିର ଶବ୍ଦ ଶୁଣି ନାହୁଁ।

6 “ପ୍ରତ୍ୟେକ ଲୋକଙ୍କୁ ପଗ୍ଭରି ବୁଝ, ସେମାନେ କ’ଣ ପ୍ରସବ ବେଦନା ପାଉଛନ୍ତି? ତାହା ନ ହେଲେ ପ୍ରତ୍ୟେକ ପୁରୁଷ କାହିଁକି ପ୍ରସବ ବେଦନା ପାଇଲା ପରି ଆପଣା କଟିଦେଶରେ ହସ୍ତ ରଖିଛନ୍ତି ଓ ପ୍ରତ୍ୟେକଙ୍କର ମୁଖ ମଳିନ ପଡ଼ିଛି କାହିଁକି?

7 “ଆହା, ସେଦିନ ଅତି ମହାନ। ତାହା ସମାନ ଆଉ ଦିନ ନାହିଁ। ତାହା ଯାକୁବର ସଙ୍କଟକାଳ, ମାତ୍ର ସେ ତହିଁରୁ ଉଦ୍ଧାର ପାଇବ।

8 “ସେହି ସମୟରେ” ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ଯିହୁଦା ଓ ଇସ୍ରାଏଲର ଲୋକମାନଙ୍କ ସ୍କନ୍ଦରୁ ଯୁଆଳି ସବୁ ଭାଙ୍ଗି ପକାଇବା ଓ ସେମାନଙ୍କର ବନ୍ଧନସବୁ ଛିଣ୍ଡାଇ ପକାଇବା। ପୁଣି ବିଦେଶୀମାନେ ସେମାନଙ୍କୁ ଦାସ୍ୟକର୍ମ କରାଇବେ ନାହିଁ।

9 ଆଉ ସେମାନେ ବିଦେଶୀମାନଙ୍କର ସେବା କରିବେ ନାହିଁ। ସେମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କୁ ସେବା କରିବେ। ଆଉ ସେମାନଙ୍କ ପାଇଁ ପଠାଇଥିବା ରାଜା ଦାଉଦଙ୍କର ସେବା କରିବେ।

10 ଏଣୁ ସଦାପ୍ରଭୁ କହନ୍ତି, “ହେ ଯାକୁବ, ତୁମ୍ଭେ ଆମ୍ଭର ଦାସ, ତୁମ୍ଭେ ଭୟ କର ନାହିଁ। ଆଉ ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ। କାରଣ ଆମ୍ଭେ ବହୁ ଦୂର ଦେଶରୁ ଓ ତୁମ୍ଭକୁ ବନ୍ଦୀତ୍ୱ ଦେଶରୁ ଉଦ୍ଧାର କରିଅଛୁ। ପୁଣି ଯାକୁବ ଫେରି ଆସି ଶାନ୍ତିରେ ଓ ନିରାପଦରେ ରହିବ। କେହି ତାହାକୁ ଭୟ ଦେଖାଇବେ ନାହିଁ।”

11 ପୁଣି ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସେହି ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସମ୍ପୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବେଚନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦେବା। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।”

12 ପୁଣି ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କର କ୍ଷତ ଦୁରାରୋଗ୍ୟ ଓ ତୁମ୍ଭମାନଙ୍କର ଘା’ କେବେ ପୂରଣ ହେବ ନାହିଁ।

13 ତୁମ୍ଭମାନଙ୍କର ଘା’ର ଯତ୍ନ କେହି ନେବେ ନାହିଁ, ତେଣୁ ତାହା ସୁସ୍ଥ ହେବ ନାହିଁ।

14 ତୁମ୍ଭେ ବହୁ ଗୋଷ୍ଠୀ ସହିତ ବନ୍ଧୁତା ସ୍ଥାପନ କରିଅଛ। ମାତ୍ର ‘ବନ୍ଧୁମାନେ’ ତୁମ୍ଭକୁ ପାଶୋରି ଅଛନ୍ତି। ସେମାନେ ତୁମ୍ଭକୁ ମନେ ପକାନ୍ତି ନାହିଁ। କାରଣ ତୁମ୍ଭର ବହୁ ଅଧର୍ମ ଓ ବହୁ ପାପ ଯୋଗୁଁ ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ୟ ଆଘାତ କରିଅଛୁ ଓ ନିର୍ଦ୍ଦୟଲୋକ ତୁଲ୍ୟ ଶାସ୍ତି ଦେଇଅଛୁ।

15 ହେ ଇସ୍ରାଏଲ ଓ ଯିହୁଦା, ତୁମ୍ଭେମାନେ ଆପଣା କ୍ଷତ ଯୋଗୁଁ କାହିଁକି କ୍ରନ୍ଦନ କରୁଅଛ? ତୁମ୍ଭମାନଙ୍କର ଏହି କ୍ଷତ ଯନ୍ତ୍ରଣାଦାୟକ ଓ ଦୁରାରୋଗ୍ୟ। ତୁମ୍ଭମାନଙ୍କର ଅଧର୍ମ ଅନେକ ଓ ପାପ ବହୁତ। ତେଣୁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଏହିସବୁ କରିଅଛୁ।

16 ଏଣୁ ଯେଉଁମାନେ ତୁମ୍ଭମାନଙ୍କୁ ଗ୍ରାସ କରନ୍ତି, ସେମାନେ ଗ୍ରାସିତ ହେବେ। ତୁମ୍ଭର ବିପକ୍ଷ ସମସ୍ତେ ସେମାନଙ୍କର ପ୍ରତ୍ୟେକର ବନ୍ଦୀତ୍ୱ ସ୍ଥାନକୁ ଯିବେ। ଆଉ ଯେଉଁମାନେ ତୁମ୍ଭମାନଙ୍କୁ ଲୁଣ୍ଠନ କରନ୍ତି, ସେମାନେ ଲୁଣ୍ଠିତ ହେବେ। ଯେଉଁମାନେ ତୁମ୍ଭମାନଙ୍କର ଦ୍ରବ୍ୟ ଅପହରଣ କରନ୍ତି, ଆମ୍ଭେ ସେମାନଙ୍କର ଦ୍ରବ୍ୟ ଅପହରଣ କରାଇବା।”

17 କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା ଓ ଆମ୍ଭେ ତୁମ୍ଭର ଘା’ସବୁ ସୁସ୍ଥ କରିବା। କାରଣ ସେମାନେ ତୁମ୍ଭକୁ ବାସନ୍ଦ ବା ଦୂରୀକୃତା ବୋଲି କହନ୍ତି। ‘ଆଉ ସିୟୋନକୁ କେହି ଗ୍ଭହାନ୍ତି ନାହିଁ।’”

18 ସଦାପ୍ରଭୁ କହନ୍ତି, “ମୁଁ ଯାକୁବର ତମ୍ବୁଗୁଡ଼ିକର ବନ୍ଦୀତ୍ୱର ପରିବର୍ତ୍ତନ କରିବି ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି। ସେହି ଧ୍ୱଂସ ସ୍ଥାନରେ ନଗର ନିର୍ମିତ ହେବ ଓ ରାଜଗୃହ ଯଥା ସ୍ଥାନରେ ପୁନଃନିର୍ମିତ ହେବ।

19 ସେହି ସ୍ଥାନମାନଙ୍କରୁ ଧନ୍ୟବାଦ ଓ ଆନନ୍ଦର ଧ୍ୱନି ବାହାରିବ। ଆମ୍ଭେ ସେମାନଙ୍କୁ ଅସଂଖ୍ୟ କରିବା। ସେମାନେ ଅଳ୍ପ ସଂଖ୍ୟକ ହୋଇ ରହିବେ ନାହିଁ ଆଉ ଆମ୍ଭେ ସେମାନଙ୍କୁ ଗୌରବାନ୍ୱିତ କରିବା। କେହି ସେମାନଙ୍କୁ ଘୃଣା କରିବେ ନାହିଁ।

20 ଯାକୁବର ସନ୍ତାନଗଣ ଇସ୍ରାଏଲର ପୂର୍ବପରି ହେବେ। ଆମ୍ଭେ ଇସ୍ରାଏଲ ଓ ଯିହୁଦାକୁ ଶକ୍ତିଶାଳୀ କରାଇବା। ଯେଉଁମାନେ ସେମାନଙ୍କ ଉପରେ ଉପଦ୍ରବ କରିବେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା।

21 ପୁଣି ସେମାନଙ୍କର ଅଧିପତି ସେମାନଙ୍କ ମଧ୍ୟରୁ ହେବେ। ସେମାନଙ୍କର ଶାସନକର୍ତ୍ତା ସେମାନଙ୍କ ମଧ୍ୟରୁ ସୃଷ୍ଟି ହେବେ। ଆଉ ଆମ୍ଭେ ତାହାକୁ ଆପଣାର ନିକଟବର୍ତ୍ତୀ କରାଇବା ଓ ସେ ଆମ୍ଭ ନିକଟକୁ ଆସିବେ।” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭ ନିକଟକୁ ଯେ ଆସିବା ପାଇଁ ସାହସ କରିଅଛନ୍ତି, ସେ କିଏ?

22 ପୁଣି ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା।”

23 “ଆଉ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ସର୍ବନାଶକାରୀ ଝଡ଼ ଓ ତୋଫାନ ସଦୃଶ ଦୁଷ୍ଟମାନଙ୍କ ମସ୍ତକରେ ଆସି ଲାଗିବ।

24 ପୁଣି ସଦାପ୍ରଭୁଙ୍କର ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ ହେବା ପର୍ଯ୍ୟନ୍ତ ତାଙ୍କର ପ୍ରଜ୍ୱଳିତ କ୍ରୋଧ ପ୍ରଶମିତ ହେବ ନାହିଁ। ତୁମ୍ଭେମାନେ ଅନ୍ତିମ ସମୟରେ ତାହା ବୁଝିବ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan