Biblia Todo Logo
Bìoball air-loidhne

- Sanasan -

ଯିରିମୀୟ 21 - ପବିତ୍ର ବାଇବଲ


ପରମେଶ୍ୱର ସିଦିକିୟ ରାଜାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରନ୍ତି

1 ରାଜା ସିଦିକିୟ ମ‌‌ଲ୍‌‌କିୟର ପୁତ୍ର ପ‌‌‌ଶ୍‌‌‌ହୂରକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ସଦାପ୍ରଭୁଙ୍କର ବାକ୍ୟ ଦେଇ ଯିରିମିୟ ନିକଟକୁ ପଠାଇଲେ।

2 ପ‌‌‌ଶ୍‌‌‌ହୂର ଓ ସିଫନିୟ ଯିରିମିୟଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷରେ ସମସ୍ତ ଆଶ୍ଚର୍ଯ୍ୟ କ୍ରିୟା କରି ପାରନ୍ତି, ଯେପରି ସେ ଅତୀତରେ କରିଥିଲେ। ଆଉ ମଧ୍ୟ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।”

3 ତା'ପରେ ଯିରିମିୟ, ସିଫନିୟ ଓ ପ‌‌‌ଶ୍‌‌‌ହୂରଙ୍କୁ କହିଲେ, “ତୁମ୍ଭେମାନେ ସିଦିକିୟଙ୍କୁ ଏହିକଥା କହିବ।

4 ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ହସ୍ତସ୍ଥିତ ଯେଉଁସବୁ ଯୁଦ୍ଧାସ୍ତ୍ର ଦ୍ୱାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କ‌‌ଲ୍‌‌ଦୀୟମାନଙ୍କ ସହିତ ପ୍ରାଚୀର ବାହାରେ ଯୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା। “‘ଖୁବ୍ ଶୀଘ୍ର ପ୍ରାଚୀର ବାହାରେ ଥିବା ଶତ୍ରୁଗଣଙ୍କୁ ଯିରୁଶାଲମ ମଧ୍ୟରେ ପ୍ରବେଶ କରାଇବା।

5 ପୁଣି ଆମ୍ଭେ ନିଜେ ବିସ୍ତୃତ ହସ୍ତ ଓ ବଳବାନ୍ ବାହୁ ସାହାଯ୍ୟରେ କ୍ରୋଧରେ, ପ୍ରଚଣ୍ଡ ରୋଷରେ ଓ ମହାକୋପରେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା।

6 ଆଉ ଆମ୍ଭେ ଏହି ନଗରବାସୀ ମନୁଷ୍ୟ ଓ ପଶୁ ସମସ୍ତଙ୍କୁ ସଂହାର କରିବା ଓ ସେମାନେ ମହାମାରୀରେ ମରିବେ।

7 ଏସବୁ ଘଟିଲା ପରେ’” ସଦାପ୍ରଭୁ କହନ୍ତି, “‘ଆମ୍ଭେ ଯିହୁଦା ରାଜା ସିଦିକିୟଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରଙ୍କ ହସ୍ତରେ, ସେମାନଙ୍କ ଶତ୍ରୁଗଣ ହସ୍ତରେ ଓ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ସମର୍ପଣ କରିବା। ଆଉ ସେମାନେ ସେମାନଙ୍କୁ ଦୟା, କରୁଣା ଓ କ୍ଷମା ନ କରି ‌‌ଖ‌ଡ଼୍‌ଗରେ ବଧ କରିବେ।’

8 “ଆଉ ମଧ୍ୟ ତୁମ୍ଭେ ସେ ଲୋକମାନଙ୍କୁ କହିବ, ‘ସଦାପ୍ରଭୁ ଏହିକଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଜୀବନର ପଥ ଓ ମୃତ୍ୟୁର ପଥ ରଖିଅଛୁ।

9 ଏବଂ ସେହି ଲୋକମାନେ, ଯେଉଁମାନେ ଏହି ନଗର ମଧ୍ୟରେ ରହିବେ, ସେମାନେ ମରିବେ। ସେମାନେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ। ମାତ୍ର ସେହି ଲୋକମାନେ ଯେଉଁମାନେ ଆକ୍ରମଣ କରୁଥିବା କ‌‌ଲ୍‌‌ଦୀୟମାନଙ୍କର ପକ୍ଷ ନିଅନ୍ତି, ସେମାନେ ବଞ୍ଚିବେ ଓ ସେମାନେ ସେହିମାନଙ୍କର ଜୀବନକୁ ସତେ ଯେପରି ଖଣ୍ଡେ ଲୁଣ୍ଠିତ ବସ୍ତୁ ତୁଲ୍ୟ ରକ୍ଷା କରିବେ।

10 ପୁଣି ସଦାପ୍ରଭୁ କହନ୍ତି “‘ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ। ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନିରେ ଦ‌ଗ୍‌ଧ କରିବ।’”

11 “ଆଉ ଯିହୁଦାର ରାଜବଂଶ ବିଷୟରେ ‘ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ।

12 ହେ ଦାଉଦବଂଶ, ସଦାପ୍ରଭୁ ଏହିକଥା କହନ୍ତି, “‘ତୁମ୍ଭେମାନେ ପ୍ରଭାତରେ ସୁବିବେଚନା କର। ଅପରାଧୀଙ୍କ ହସ୍ତରୁ ଲୁଣ୍ଠିତ ଲୋକମାନଙ୍କୁ ଉଦ୍ଧାର କର। ତାହା ନ ହେଲେ ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଷ୍ଟାଚରଣ ଯୋଗୁଁ ଆମ୍ଭ ପ୍ରଚଣ୍ଡ କ୍ରୋଧାଗ୍ନିରେ ଭସ୍ମୀଭୂତ ହେବ ଓ କେହି ତାହାକୁ ନିର୍ବାଣ କରି ପାରିବେ ନାହିଁ।’

13 “ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳ ନିବାସୀନି ଯିରୁଶାଲମ,” ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ। ତୁମ୍ଭେମାନେ କହୁଅଛ ‘ଆମ୍ଭମାନଙ୍କ ବିପକ୍ଷରେ କେହି ଆକ୍ରମଣ କରିବେ ନାହିଁ କି ଆମ୍ଭର ସୁଦୃଢ଼ ନଗରୀକୁ କେହି ପରାସ୍ତ କରି ପାରିବେ ନାହିଁ।’”

14 ମାତ୍ର ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ କର୍ମଫଳାନୁସାରେ ତୁମ୍ଭମାନଙ୍କୁ ଶାସ୍ତି ଦେବା। ପୁଣି ଆମ୍ଭେ ତୁମ୍ଭମାନଙ୍କ ଅରଣ୍ୟରେ ଅଗ୍ନି ସଂଯୋଗ କରିବା। ସେହି ଅଗ୍ନି ତୁମ୍ଭମାନଙ୍କ ଚତୁର୍ପାର୍ଶ୍ୱରେ ଥିବା ସମସ୍ତ ଦ୍ରବ୍ୟ ଗ୍ରାସ କରିବ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan