Biblia Todo Logo
Bìoball air-loidhne

- Sanasan -

ଯିରିମୀୟ 16 - ପବିତ୍ର ବାଇବଲ


ବିନାଶର ଦିନ

1 ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା,

2 “ହେ ଯିରିମିୟ, ତୁମ୍ଭର ଏହି ସ୍ଥାନରେ ବିବାହ କରିବା ଉଚିତ୍ ନୁହଁ, କିଅବା ପୁତ୍ରକନ୍ୟା ଜନ୍ମ କରିବା ଉଚିତ୍ ନୁହଁ।”

3 କାରଣ ଏହି ସ୍ଥାନରେ ଜନ୍ମ ନେଇଥିବା ପୁତ୍ର-କନ୍ୟାମାନଙ୍କ ସମ୍ବନ୍ଧରେ, ସେମାନଙ୍କର ପ୍ରସବକାରିଣୀ ମାତାମାନଙ୍କ ବିଷୟରେ ଓ ସେମାନଙ୍କ ଜନ୍ମଦାତା ପିତୃଗଣଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି।

4 “ସେମାନେ ଅତି ଯନ୍ତ୍ରଣାଦାୟକ ମୃତ୍ୟୁବରଣ କରିବେ। କେହି ସେମାନଙ୍କ ପାଇଁ ବିଳାପ କରିବେ ନାହିଁ। ସେମାନଙ୍କୁ କେହି କବର ଦେବେ ନାହିଁ। ସେମାନଙ୍କର ଶବ ଭୂମିରେ ଖତ ହେବ। ସେମାନେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ସଂହାରିତ ହେବେ। ସେମାନଙ୍କର ଶବ ଆକାଶ ପକ୍ଷୀଗଣଙ୍କ ଓ ଭୂଚର ପଶୁଗଣଙ୍କର ଖାଦ୍ୟ ହେବ।”

5 ତେଣୁ ସଦାପ୍ରଭୁ ଏହି କଥା କହନ୍ତି, “ହେ ଯିରିମିୟ, ତୁମ୍ଭେ ମୃତ୍ୟୁ ଶୋକ ପାଳିତ ହେଉଥିବା ଗୃହକୁ ଯାଅ ନାହିଁ। ତୁମ୍ଭେ ସେମାନଙ୍କୁ ବିଳାପ ଓ ଦୁଃଖ ଜଣାଇବାକୁ ଯାଅ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭର ଆଶୀର୍ବାଦ, ଆମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ଦୟା କାଢ଼ି ନେଇଅଛୁ।”

6 “ଏହି ଦେଶରେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମରିବେ। ସେମାନଙ୍କୁ କେହି କବର ଦେବେ ନାହିଁ କିଅବା ସେମାନଙ୍କ ପାଇଁ କେହି ବିଳାପ କରିବେ ନାହିଁ। ସେମାନଙ୍କ ପାଇଁ କେହି ଦୁଃଖରେ ଆପଣା ଶରୀରରେ ଅସ୍ତ୍ରାଘାତ ଓ ମସ୍ତକ ମୁଣ୍ଡନ କରିବେ ନାହିଁ।

7 ମୃତ ବ୍ୟକ୍ତିଙ୍କ ଦୁଃଖରେ ଶୋକ କରୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେବାକୁ କେହି ଖାଦ୍ୟ ଆଣିବେ ନାହିଁ। ପିତାମାତାଙ୍କ ମୃତ୍ୟୁରେ ବିଳାପ କରୁଥିବା ପୁତ୍ରମାନଙ୍କୁ ପାନ କରିବା ନିମନ୍ତେ ସାନ୍ତ୍ୱନା ସୂଚକ ପାତ୍ର କେହି ଦେବେ ନାହିଁ।

8 “ପୁଣି ତୁମ୍ଭର ନିଶ୍ଚୟ ଭୋଜି ହେଉଥିବା ଗୃହକୁ ପାନ କିଅବା ଭୋଜନ ନିମନ୍ତେ ଯିବା ଉଚିତ୍ ନୁହେଁ।

9 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭମାନଙ୍କ ଜୀବନକାଳ ମଧ୍ୟରେ ଓ ତୁମ୍ଭମାନଙ୍କ ସମ୍ମୁଖରେ ଏହି ସ୍ଥାନରୁ ଆମୋଦପ୍ରମୋଦର ଧ୍ୱନି, ଆନନ୍ଦ ରବ ଓ ବରକନ୍ୟାଙ୍କର ଆନନ୍ଦ କୋଳାହଳ ନିବୃତ୍ତ କରାଇବା।’

10 “ହେ ଯିରିମିୟ, ତୁମ୍ଭେ ଯେତେବେଳେ ଯିହୁଦାବାସୀଙ୍କୁ ଏସବୁ କଥା ଜଣାଇବ, ସେମାନେ ସେତେବେଳେ ତୁମ୍ଭକୁ ପଗ୍ଭରିବେ, ‘ସଦାପ୍ରଭୁ କାହିଁକି ଆମ୍ଭ ବିରୁଦ୍ଧରେ ଏହି ମହା ଅମଙ୍ଗଳ କଥା କହିଅଛନ୍ତି? ଆମ୍ଭେମାନେ କି ଅପରାଧ କରିଅଛୁ? ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ କି ପାପ କରିଅଛୁ?’

11 ତୁମ୍ଭେ ସେମାନଙ୍କୁ ଉତ୍ତରରେ କହିବ, ସଦାପ୍ରଭୁ କହନ୍ତି, ‘ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି।’ ପୁଣି ‘ଅନ୍ୟ ଦେବତାମାନଙ୍କର ପଶ୍ଚା‌‌ଦ୍‌‌ଗମନ କରି ସେମାନଙ୍କର ସେବା କରିଅଛନ୍ତି ଓ ସେମାନଙ୍କର ପୂଜା କରିଅଛନ୍ତି। ଆଉ ଆମ୍ଭକୁ ପରିତ୍ୟାଗ କରି ଆମ୍ଭର ବ୍ୟବସ୍ଥା ପାଳନ କରି ନାହାନ୍ତି।

12 କିନ୍ତୁ ତୁମ୍ଭେ ତୁମ୍ଭ ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ପାପ କରିଅଛ। ତୁମ୍ଭେମାନେ ନିଜ ନିଜ ଦୁଷ୍ଟାନ୍ତଃକରଣରେ ଅବାଧ୍ୟ ହୋଇ ମନ୍ଦ ଆଚରଣ କରୁଅଛ ଓ ମୋ’ ଆଜ୍ଞା ପାଳନ କରୁ ନାହଁ।

13 ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବା ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ଏକ ବିଦେଶରେ ନିକ୍ଷେପ କରିବା। ଆଉ ସେଠାରେ ତୁମ୍ଭେମାନେ ଦିବାରାତ୍ରି ଅନ୍ୟ ଦେବଗଣର ସେବା କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କୁ କୌଣସି ସାହାଯ୍ୟ ବା ଅନୁଗ୍ରହ କରିବା ନାହିଁ।’

14 “ଏଣୁ ସଦାପ୍ରଭୁ କହନ୍ତି, ‘ଦେଖ, ଇସ୍ରାଏଲ ସନ୍ତାନଗଣକୁ ଯେ ମିଶର ଦେଶରୁ ବାହାର କରି ଆଣିଲେ,’ ସେହି ସମୟ ଆସୁଛି।” ସେହି ଜୀବିତ ସଦାପ୍ରଭୁଙ୍କ ବିଷୟରେ, “ଲୋକମାନେ ଏହି କଥା କହିବେ ନାହିଁ।

15 କିନ୍ତୁ ସମୟ ଆସୁଛି, ଯେତେବେଳେ ସେମାନେ କହିବେ, ‘ନିଶ୍ଚିତ ଭାବରେ ସଦାପ୍ରଭୁ ଅଛନ୍ତି, ଯିଏ କି ଇସ୍ରାଏଲୀୟମାନଙ୍କୁ ଉତ୍ତରରୁ ଓ ଯେଉଁଠାରେ ସେମାନେ ଥିଲେ ସେଠାରୁ ଫେରାଇ ଆଣିଥିଲେ।’ ସେତେବେଳେ ମୁଁ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଥିଲି, ସେହି ଦେଶକୁ ସେମାନଙ୍କୁ ପୁନର୍ବାର ଫେରାଇ ଦେବି।

16 ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଅନେକ କେଉଁଟା ଅଣାଇବା,” “ସେମାନେ ମତ୍ସ୍ୟପରି ସେମାନଙ୍କୁ ଧରିବେ। ତା'ପରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା। ସେମାନେ ପ୍ରତ୍ୟେକ ପର୍ବତରୁ, ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଶିକାର କରି ଆଣିବେ।

17 କାରଣ ସେମାନଙ୍କର ସମସ୍ତ କାର୍ଯ୍ୟରେ ଆମ୍ଭର ଦୃଷ୍ଟି ଅଛି। ସେମାନଙ୍କର କୌଣସି ଜିନିଷ ଆମ୍ଭ ସାକ୍ଷାତରୁ ଗୁପ୍ତ ରହି ନାହିଁ। କିଅବା ସେମାନଙ୍କର କୌଣସି ଅଧର୍ମ ଆମ୍ଭର ଅଗୋଚର ନୁହେଁ।

18 ଆମ୍ଭେ ସେମାନଙ୍କର ପାପ ଓ ଅଧର୍ମର ଦୁଇଗୁଣ ପ୍ରତିଫଳ ଦେବା। କାରଣ ସେମାନେ ନିଜ ନିଜର ଘୃଣ୍ୟବସ୍ତୁ ସ୍ୱରୂପ ଶବରେ ଆମ୍ଭର ଦେଶକୁ ‘ଅପବିତ୍ର’ କରିଅଛନ୍ତି। ସେମାନେ ଆମ୍ଭ ଦେଶକୁ ‘ଅଶୁଚି’ କରିଅଛନ୍ତି ଓ ନିଜର ଘୃଣ୍ୟକର୍ମରେ ଆମ୍ଭର ଦେଶକୁ ପରିପୂର୍ଣ୍ଣ କରିଅଛନ୍ତି।”

19 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତି, ଦୃଢ଼ ଦୁର୍ଗ ଓ ବିପଦରେ ମୋର ଆଶ୍ରୟ ସ୍ୱରୂପ। ପୃଥିବୀର ସମସ୍ତ ପ୍ରାନ୍ତରରୁ ନାନା ଦେଶୀୟମାନେ ତୁମ୍ଭ ନିକଟକୁ ଆସି କହିବେ, “ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା ଅର୍ଥାତ୍ ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।

20 ମନୁଷ୍ୟ କ’ଣ ଆପଣା ନିମନ୍ତେ ପରମେଶ୍ୱର ନିର୍ମାଣ କରି ପାରିବ? ନା, ସେ ପ୍ରତିମା ନିର୍ମାଣ କରିବ, ମାତ୍ର ଏହା ପ୍ରକୃତ ପରମେଶ୍ୱର ନୁହନ୍ତି।”

21 ସଦାପ୍ରଭୁ କହନ୍ତି, “ତେଣୁ ଆମ୍ଭେ ସେମାନଙ୍କୁ ଜଣାଇବା। ବର୍ତ୍ତମାନରୁ ସେମାନଙ୍କୁ ଆମ୍ଭର ହସ୍ତ ଓ ପରାକ୍ରମ ଜ୍ଞାତ କରାଇବା। ତାହାହେଲେ ଆମ୍ଭର ନାମ ଯେ ସଦାପ୍ରଭୁ ଏହା ସେମାନେ ଜାଣିବେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan