ଯିଶାଇୟ 9 - ପବିତ୍ର ବାଇବଲଗୋଟିଏ ନୂତନ ଦିବସ ଆସୁଛି 1 ଅତୀତରେ ଲୋକେ ଭାବୁଥିଲେ ସବୂଲୂନ୍ ଓ ନପ୍ତାଲି ଦେଶ ପ୍ରଧାନ ନ ଥିଲା। ମାତ୍ର ପରେ ପରମେଶ୍ୱର ସେ ଦେଶଗୁଡ଼ିକ ମହାନ କରିଦେଲେ। ସମୁଦ୍ର ନିକଟବର୍ତ୍ତୀ ଯର୍ଦ୍ଦନ ନଦୀର ଅପରପାର୍ଶ୍ୱ ଗାଲିଲୀର ଅଣଯିହୂଦୀମାନଙ୍କୁ ସମ୍ଭ୍ରାନ୍ତ କରିବେ। 2 ସେହି ଲୋକମାନେ ଅନ୍ଧକାରରେ ଚଲାବୁଲା କରୁଥିଲେ, ମାତ୍ର ସେମାନେ ଏକ ମହାନ ଆଲୋକ ଦେଖିଛନ୍ତି। ସେମାନେ ମୃତ୍ୟୁରୂପକ ଅନ୍ଧକାର ମଧ୍ୟରେ ବାସ କରୁଥିଲେ, ମାତ୍ର ସେହି “ଉଜ୍ଜ୍ୱଳ ଆଲୋକ’ ସେମାନଙ୍କୁ ଦୀପ୍ତିମୟ କରିଛି। 3 ହେ ପରମେଶ୍ୱର, ତୁମ୍ଭେ ସେହି ଗୋଷ୍ଠୀର ବୁଦ୍ଧିର କାରଣ ହେବ। ତୁମ୍ଭେ ସେହି ଲୋକମାନଙ୍କୁ ସୁଖୀ କରିବ ଏବଂ ସେହି ଲୋକମାନେ ତୁମ୍ଭକୁ ସେମାନଙ୍କର ଆନନ୍ଦ ଦେଖାଇବେ। ଏହି ଆନନ୍ଦ ଶସ୍ୟ ସମୟରେ ଉଲ୍ଲାସ ପରି ହେବ। ପୁଣି ଏହି ଆନନ୍ଦ ଉଲ୍ଲାସ ଲୁଣ୍ଠନ ଦ୍ରବ୍ୟକୁ ଭାଗ କଲାବେଳେ ଯେପରି ହୁଏ ସେହିପରି ହେବ। 4 ଏପରି କାହିଁକି ହେବ, କାରଣ ତୁମ୍ଭେ ସେମାନଙ୍କର ଶକ୍ତ ଭାର ବହନ କରିବ। ସେମାନଙ୍କର ସ୍କନ୍ଧସ୍ଥିତ ଯୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦେବାକୁ ବ୍ୟବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିୟନକୁ ପରାଜିତ କଲାଭଳି ଏହା ହେବ। 5 ଯୁଦ୍ଧରେ ବ୍ୟବହୃତ ସମସ୍ତ ପାଦୁକା ଧ୍ୱଂସ ପାଇବ। ସମସ୍ତ ରକ୍ତ ରଞ୍ଜିତ ପୋଷାକ ମଧ୍ୟ ଧ୍ୱଂସ ପାଇବ। ସେ ସମସ୍ତ ଅଗ୍ନିରେ ନିକ୍ଷେପ କରାଯିବ। 6 ଯେତେବେଳେ ଏକ ସ୍ୱତନ୍ତ୍ର ବାଳକ ଜନ୍ମ ନେବେ ସେତିକି ବେଳେ ଏହା ଘଟିବ। ପରମେଶ୍ୱର ଆମ୍ଭମାନଙ୍କୁ ଏକ ପୁତ୍ର ଦେବେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ “ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଯିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହେବେ।” 7 ତାଙ୍କ ରାଜ୍ୟରେ କର୍ତ୍ତୃତ୍ୱ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସେହି ରାଜା ନ୍ୟାୟ ଓ ଧାର୍ମିକତା ବଳରେ ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବେ। ସର୍ବଶକ୍ତିମାନ ସଦାପ୍ରଭୁଙ୍କର ତାଙ୍କ ଲୋକମାନଙ୍କ ପାଇଁ ଅନନ୍ତ ପ୍ରେମ ରହିଛି ଏବଂ ଏହି ପ୍ରେମ ଯୋଗୁଁ ସେ ଏଗୁଡ଼ିକ କରିବେ। ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେବେ 8 ମୋର ସଦାପ୍ରଭୁ ଯାକୁବଙ୍କ ପାଖକୁ ଏକ ବାର୍ତ୍ତା ପ୍ରେରଣ କଲେ। ସେହି ବାର୍ତ୍ତା ଇସ୍ରାଏଲ ବିରୁଦ୍ଧରେ କାର୍ଯ୍ୟ କରିବ। 9 ତାହାପରେ ଇଫ୍ରୟିମର ପ୍ରତ୍ୟେକ ଲୋକ ଓ ଏପରିକି ଶମରିୟାର ପ୍ରାଚୀନଗଣ ଜାଣିବେ ଯେ ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେଲେ। ସେହି ଲୋକମାନେ ପୁଣି ଅହଙ୍କାରୀ ହୋଇ ଦର୍ପରେ କୁହନ୍ତି। 10 “ଏହି ଇଟାସବୁ ପଡ଼ିଯିବ, ମାତ୍ର ଆମ୍ଭେମାନେ ପୁନର୍ବାର ଶକ୍ତ ପଥରରେ ତାହାକୁ ତିଆରି କରିବୁ। ଡିମ୍ବିରି ବୃକ୍ଷଗୁଡ଼ିକରେ କଟା ହେଲା ପରେ ଆମ୍ଭେମାନେ ସେଠାରେ ଏରସ ବୃକ୍ଷ ଲଗାଇବୁ। ଆଉ ଏହି ନୂତନ ବୃକ୍ଷଗୁଡ଼ିକ ବିରାଟ ଓ ଶକ୍ତିଶାଳୀ ହେବ।” 11 ତେଣୁ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଲଢ଼ିବାକୁ ଏକ ଗୋଷ୍ଠୀ ପ୍ରସ୍ତୁତ କରିବେ। ସଦାପ୍ରଭୁ ରତ୍ସୀନର ବିପକ୍ଷଗଣଙ୍କୁ ତାଙ୍କ ବିରୁଦ୍ଧରେ ପଠାଇବେ। 12 ତା'ପରେ ସଦାପ୍ରଭୁ ଅରାମୀୟମାନଙ୍କୁ ପୂର୍ବଦିଗରୁ ଓ ପଲେଷ୍ଟୀୟମାନଙ୍କୁ ପଶ୍ଚିମଦିଗରୁ ଅଣାଇବେ। ସେହି ଶତ୍ରୁଗଣ ଏକତ୍ରିତ ଇସ୍ରାଏଲ ବାହିନୀକୁ ପରାଜିତ କରିବେ। ତଥାପି ସଦାପ୍ରଭୁ ଇସ୍ରାଏଲ ଉପରେ କ୍ରୋଧିତ ହେବେ ଓ ତା'ର ଲୋକମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ରହିବେ। 13 ପରମେଶ୍ୱର ଦଣ୍ଡ ଦେଲେ ମଧ୍ୟ ସେମାନେ ପାପ କରିବାରୁ ନିବୃତ୍ତ ହେବେ ନାହିଁ। ସେମାନେ ତାଙ୍କ ନିକଟକୁ ଫେରିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ। 14 ତେଣୁ ସଦାପ୍ରଭୁ ଇସ୍ରାଏଲର ମସ୍ତକ ଓ ଲାଞ୍ଜ ଛେଦନ କରିବେ। ଆଉମଧ୍ୟ ତାଳବୃକ୍ଷର ଡାଳ ବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନରେ କାଟି ପକାଇବେ। 15 ଏଠାରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ୟାବାଦୀ ଭବିଷ୍ୟଦ୍ବକ୍ତାଙ୍କୁ ବୁଝାଉଛି। 16 ପଥପ୍ରଦର୍ଶକଗଣ ଲୋକମାନଙ୍କୁ ଭୁଲ୍ ବାଟରେ ପରିଗ୍ଭଳିତ କରନ୍ତି। ଆଉ ସେମାନଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିଗଣ ବିନଷ୍ଟ ହେବେ। 17 ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖରେ ଯୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ଯୁବକମାନଙ୍କ ଉପରେ ସୁଖୀ ନୁହନ୍ତି। ଆଉମଧ୍ୟ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସେମାନେ ମିଥ୍ୟା କୁହନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି। 18 ଭ୍ରଷ୍ଟାଗ୍ଭର ଜ୍ୱଳନ୍ତ ଅଗ୍ନିତୁଲ୍ୟ। ପ୍ରଥମେ ସେ ଅନାବନା ଘାସ ଓ କଣ୍ଟାବୃକ୍ଷକୁ ଜାଳି ଦିଏ। ତା'ପରେ ସେ ଅଗ୍ନି ବୃଦ୍ଧିପାଇ ବଡ଼ ବୁଦା ଓ ଅରଣ୍ୟକୁ ଜାଳିଦିଏ। ଶେଷରେ ସେ ଅଗ୍ନି ବିରାଟ ରୂପ ଧାରଣ କରେ ଓ ଘନ ମେଘତୁଲ୍ୟ ଧୂମ ହୋଇ ଉପରକୁ ଉଠେ। 19 ସର୍ବଶକ୍ତିମାନ ସଦାପ୍ରଭୁ ଏତେ କ୍ରୋଧିତ ହୁଅନ୍ତି ଯେ ସମଗ୍ର ଦେଶ ଅଗ୍ନିରେ ଦଗ୍ଧୀଭୂତ ହୁଏ ଓ ସମସ୍ତ ଲୋକ ଭସ୍ମିଭୂତ ହୁଅନ୍ତି। କୌଣସି ବ୍ୟକ୍ତି ତା'ର ଭାଇକୁ ସାହାଯ୍ୟ କରନ୍ତି ନାହିଁ। 20 ଲୋକମାନେ ଦକ୍ଷିଣ ହସ୍ତରେ ଚଞ୍ଚଳ ଚଞ୍ଚଳ ଗିଳି ପକାଇବେ, ମାତ୍ର କ୍ଷୁଧିତ ହେବେ। ବାମ ହସ୍ତରେ ଯାହା ଭୋଜନ କରିବେ ସେଥିରେ ତୃପ୍ତ ହେବେ ନାହିଁ। ତା'ପରେ ସେମାନେ ନିଜ ପିଲାମାନଙ୍କ ମାଂସ ଭକ୍ଷ୍ୟଣ କରିବେ। 21 ଏହାର ଅର୍ଥ ହେଉଛି ମନଃଶି ଇଫ୍ରୟିମ ବିରୁଦ୍ଧରେ ଓ ଇଫ୍ରୟିମ ମନଃଶି ବିରୁଦ୍ଧରେ ଏବଂ ସେମାନେ ଉଭୟ ଯିହୁଦା ବିରୁଦ୍ଧରେ ଲଢ଼ିବେ। ତଥାପି ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଉପରେ କ୍ରୋଧିତ ଓ ସେମାନଙ୍କୁ ଦଣ୍ଡ ଦେବାରୁ ନିବୃତ୍ତ ହେବେ ନାହିଁ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International