ଯିଶାଇୟ 66 - ପବିତ୍ର ବାଇବଲପରମେଶ୍ୱର ସମସ୍ତ ଗୋଷ୍ଠୀର ବିଗ୍ଭର କରିବେ 1 ସଦାପ୍ରଭୁ ଏହିକଥା କୁହନ୍ତି, “ସ୍ୱର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭେମାନେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରି ପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହେବ? 2 ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଅଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ।” ମାତ୍ର “ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦେବା। 3 ଯେ ଗୋବଧ କରେ ସେ ନରହତ୍ୟାକାରୀ ପରି ହୁଏ, ଯେ ମେଷଶାବକ ବଳିଦାନ କରେ ଯେ କୁକୁରର ବେକ କାଟିଲା ଲୋକପରି ହୁଏ, ଯେ ନୈବେଦ୍ୟ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ, ଯେ ସୁବାସିତ ଧୂପ ଜଳାଏ, ସେ ଦେବତାର ଧନ୍ୟବାଦ କରିବା ଲୋକପରି ହୁଏ। ସେମାନେ ନିଜ ନିଜ ପଥ ମନୋନୀତ କରିଅଛନ୍ତି। ସେମାନଙ୍କର ଆତ୍ମା ନିଜର ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ। 4 ମୁଁ ସେମାନଙ୍କ ପ୍ରତି କଠୋର ହେବି ଓ ଆଣିବି ଯାହା ସେମାନେ ଭୟ କରନ୍ତି କାରଣ ସେମାନେ ଉତ୍ତର କଲେ ନାହିଁ, ଯେତେବେଳେ ମୁଁ ସେମାନଙ୍କୁ ଡାକିଲି ଏବଂ ଶୁଣିଲେ ନାହିଁ ଯେତେବେଳେ ସେମାନେ କୁହା ହେଲେ। ସେମାନେ ସବୁକିଛି କଲେ ଯାହା ମୋର ଚକ୍ଷୁରେ ମନ୍ଦ ବୋଲି ବୁଝା ହେଲା। ସେମାନେ ଜିନିଷ ମନୋନୀତ କଲେ, ଯାହା ମୁଁ ପସନ୍ଦ କଲି ନାହିଁ।” 5 ତୁମ୍ଭେ ଯେଉଁ ଦିନ ସଦାପ୍ରଭୁଙ୍କ ବାକ୍ୟରେ କମ୍ପିତ ହେଉଅଛ, ତାଙ୍କର ବାକ୍ୟ ଶୁଣ। “ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ଆମ୍ଭର ନାମ ସକାଶେ ତୁମ୍ଭମାନଙ୍କୁ ଦୂର କରନ୍ତି; ସେମାନେ କହି ଅଛନ୍ତି, ‘ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖି ପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ୱିତ ହୁଅନ୍ତୁ,’ ମାତ୍ର ସେମାନେ ଲଜ୍ଜିତ ହେବେ।” ଶାସ୍ତି ଓ ଏକ ନୂତନ ଗୋଷ୍ଠୀ 6 ଏହି ଶୁଣ, ନଗରରୁ କଳହର ରବ ଓ ମନ୍ଦିରରୁ ଏକ ସ୍ୱର ଆସୁଅଛି। ନିଜର ଶତ୍ରୁମାନଙ୍କୁ ପ୍ରତିଫଳ ଦେଉଥିବା ସଦାପ୍ରଭୁଙ୍କର ହେଉଛି ଏହି ରବ। 7-8 “କୌଣସି ରମଣୀ ଗର୍ଭବେଦନା ପାଇଲା ପରେ ପୁତ୍ର ସନ୍ତାନ ଜନ୍ମ ଦିଏ। ଗର୍ଭବେଦନା ପୂର୍ବେ ସେ ପ୍ରସବ କଲା। ଏ ପ୍ରକାର କିଏ ଶୁଣି ଅଛି? ଏ ପ୍ରକାର କିଏ ଦେଖିଅଛି? ଏକ ଦିନରେ କ’ଣ କୌଣସି ଦେଶ ଜନ୍ମ ନେବ? କୌଣସି ଗୋଷ୍ଠୀକୁ କ’ଣ ଲୋକେ ଏକା ବେଳେକେ ଜନ୍ମ ଦେବେ? ସିୟୋନ ଗର୍ଭବେଦନା ପାଇଲାମାତ୍ରେ ସେ ତା'ର ସନ୍ତାନଗଣଙ୍କୁ ପ୍ରସବ କଲା। 9 ସଦାପ୍ରଭୁ କୁହନ୍ତି, ଆମ୍ଭେ କ’ଣ ପ୍ରସବ କାଳ ଉପସ୍ଥିତ କରାଇ ପ୍ରସବ କରାଇବା ନାହିଁ?” ପୁଣି ତୁମ୍ଭର ପରମେଶ୍ୱର କୁହନ୍ତି, “ଆମ୍ଭେ ପ୍ରସବ କରାଉଥିବା ବ୍ୟକ୍ତି, କ’ଣ ଗର୍ଭରୋଧ କରି ପାରିବା?” 10 ଯିରୁଶାଲମକୁ ପ୍ରେମ କରୁଥିବା ତୁମ୍ଭେମାନେ ସମସ୍ତେ ତା’ ସହିତ ଆନନ୍ଦ କର ଓ ତା’ ପାଇଁ ଉଲ୍ଲସିତ ହୁଅ। ପୁଣି ତା’ ପାଇଁ ଶୋକ କରୁଥିବା ତୁମ୍ଭେମାନେ ସମସ୍ତେ ତା'ର ଆନନ୍ଦ ପାଇଁ ଉଲ୍ଲାସ କର। 11 ତହିଁରେ ତୁମ୍ଭେମାନେ ତାହାର ଦୟାରୂପ ସ୍ତନ୍ୟପାନ କରି ତୃପ୍ତ ହେବ; ତୁମ୍ଭେମାନେ ତା'ର “ଦୁଗ୍ଧ” ଦୋହନ କରି ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ। 12 ସଦାପ୍ରଭୁ ଏହା କହନ୍ତି, “ଏହା ଶାନ୍ତି ରୂପେ ତା'ର ଜଳପୂର୍ଣ୍ଣ ଝରଣା ଆଡ଼କୁ ବହିବ। ଜାତିଗଣର ଧନ ସମ୍ପତ୍ତି ଗୋଟିଏ ପରିପୂର୍ଣ୍ଣ ଝରଣା ସଦୃଶ, ତୁମ୍ଭେ ସେବକ ହେବ ଏବଂ ଗୋଟିଏ ଅଣ୍ଟାରେ ବହନ ହେବ। 13 ମା’ ଯେପରି ତା'ର ସନ୍ତାନକୁ ସାନ୍ତ୍ୱନା ଦିଏ, ଆମ୍ଭେ ସେହିପରି ତୁମ୍ଭମାନଙ୍କୁ ସାନ୍ତ୍ୱନା ଦେବା ଓ ତୁମ୍ଭେମାନେ ଯିରୁଶାଲମରେ ସାନ୍ତ୍ୱନା ଲାଭ କରିବ।” 14 ପୁଣି ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ଆନନ୍ଦିତ ହେବ। ଆଉ ତୁମ୍ଭମାନଙ୍କ ଅସ୍ଥି ନୂତନ ତୃଣ ସଦୃଶ ସତେଜ ହେବ। ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ଉପରେ ପ୍ରକାଶିତ ହେବ। ଆଉ ମଧ୍ୟ ସେ ନିଜ ଶତ୍ରୁମାନଙ୍କ ଉପରେ କୁପିତ ହେବେ। 15 ଦେଖ, ସଦାପ୍ରଭୁ ଅତ୍ୟନ୍ତ କ୍ରୋଧରେ ପ୍ରଜ୍ୱଳିତ ଅଗ୍ନିଧରି ସେମାନଙ୍କୁ ଭର୍ତ୍ସନା କରିବାକୁ ଆଗମନ କରିବେ। ସେ ଅଗ୍ନି ସଦୃଶ ଓ ତାଙ୍କର ରଥସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ହେବ। 16 କାରଣ ସଦାପ୍ରଭୁ ଅଗ୍ନି ଓ ଖଡ଼୍ଗ ଦ୍ୱାରା ମର୍ତ୍ତ୍ୟର ସମସ୍ତ ବିବାଦ ନିଷ୍ପନ୍ନ କରିବେ। ସେତେବେଳେ ସଦାପ୍ରଭୁଙ୍କ ଦ୍ୱାରା ନିହତ ଲୋକ ଅନେକ ହେବେ। 17 ସଦାପ୍ରଭୁ ପୁଣି କୁହନ୍ତି, “ଯେଉଁମାନେ ଅନ୍ୟକୁ ଅନୁସରଣ କରି ଉଦ୍ୟାନକୁ ଯିବା ପାଇଁ ନିଜକୁ ପବିତ୍ର ଓ ଶୁଚି କରନ୍ତି ଓ ଶୂକର ମାଂସ, ଘୃଣ୍ୟଦ୍ରବ୍ୟ ଓ ମୂଷା ଖାଆନ୍ତି, ସେମାନେ ସମସ୍ତେ ଏକତ୍ର ବିନଷ୍ଟ ହେବେ।” 18 “କାରଣ ଆମ୍ଭେ ସେମାନଙ୍କର କାର୍ଯ୍ୟ ଓ ଶିକ୍ଷାପ୍ରଣାଳୀ ଜାଣୁ, ସର୍ବଦେଶୀୟ ଓ ଭାଷାବାଦି ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସେମାନେ ଆସି ଆମ୍ଭର ମହିମା ଦେଖିବେ। 19 ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ସଙ୍କେତ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା: ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ଯବନ ତଥା ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟରେ କେବେ ଶୁଣି ନାହାନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେହିମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ବିଭିନ୍ନ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ। 20 ସଦାପ୍ରଭୁ କୁହନ୍ତି, ଇସ୍ରାଏଲର ଲୋକମାନେ ଯେପରି ପବିତ୍ର ପାତ୍ରରେ ସଦାପ୍ରଭୁଙ୍କ ମନ୍ଦିରକୁ ଉପହାର ଆଣନ୍ତି, ସେହିପରି ସେମାନେ ତୁମ୍ଭମାନଙ୍କର ଭ୍ରାତାମାନଙ୍କୁ ଅଶ୍ୱ ଉପରେ ରଥ ଆଣିବେ ଏବଂ ଦ୍ରୁତଗତି ପଶୁଗୁଡ଼ିକ ବିଭିନ୍ନ ଦେଶରୁ ଯିରୁଶାଲମକୁ ସଦାପ୍ରଭୁଙ୍କ ପ୍ରତି ଉପହାର ସ୍ୱରୂପ ଆସିବ। 21 ଆଉ ମଧ୍ୟ ସଦାପ୍ରଭୁ କୁହନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରୁ ଯାଜକ ଓ ଲେବୀୟ ହେବା ପାଇଁ ଲୋକ ଗ୍ରହଣ କରିବୁ।” ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ 22 “କାରଣ ଆମ୍ଭେ ଯେଉଁ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କୁହନ୍ତି। 23 ସଦାପ୍ରଭୁ ପୁଣି କହନ୍ତି ଯେ, ପୃଥିବୀର ସମସ୍ତ ଲୋକ ମୋ’ ପାଖକୁ ପୂଜା କରିବା ପାଇଁ ଗୋଟିଏ ନୂତନ ଚନ୍ଦ୍ରରୁ ଅନ୍ୟ ଗୋଟିଏ ନୂତନ ଚନ୍ଦ୍ରକ ଏବଂ ଗୋଟିଏ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମ ଦିନ ଆସିବ। 24 “ପୁଣି ସେମାନେ ବାହାରେ ଯାଇ ଆମ୍ଭ ବିରୁଦ୍ଧାଚରଣ କରୁଥିବା ପାପୀ ଲୋକମାନଙ୍କର ଶବ ଦେଖିବେ। କାରଣ ସେମାନଙ୍କର କୀଟ ମରିବ ନାହିଁ କିମ୍ବା ସେମାନଙ୍କର ଅଗ୍ନି ନିର୍ବାପିତ ହେବ ନାହିଁ। ଆଉ ମଧ୍ୟ ସେମାନେ ସମସ୍ତେ ମର୍ତ୍ତ୍ୟର ଘୃଣାର ପାତ୍ର ହେବେ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International