ଯିଶାଇୟ 64 - ପବିତ୍ର ବାଇବଲ1 ତୁମ୍ଭେ ଯଦି ଆକାଶକୁ ବିଦୀର୍ଣ୍ଣ କରି ପୃଥିବୀକୁ ଆସନ୍ତ, ତେବେ ସବୁକିଛି ପରିବର୍ତ୍ତନ ହୁଅନ୍ତା ଓ ପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖରେ ପ୍ରବାହିତ ହୁଅନ୍ତେ। 2 ଦେଶୀୟମାନେ ଯେପରି ତୁମ୍ଭ ସାକ୍ଷାତରେ କମ୍ପମାନ ହେବେ ଓ ଏଥି ସକାଶେ ତୁମ୍ଭ ବିପକ୍ଷଗଣଙ୍କୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ ପର୍ବତଗୁଡ଼ିକ ଜ୍ୱଳନ୍ତ ଝାଟି ସଦୃଶ ଓ ଉତ୍ତପ୍ତ ଜଳ ଫୁଟିଲା ସଦୃଶ ହେବେ। 3 ଯେତେବେଳେ ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲ, ଆମ୍ଭେ ଆଶାକରି ନ ଥିଲୁ। ତା'ପରେ ତୁମ୍ଭେ ଓହ୍ଲାଇ ଆସିଲ ଓ ପର୍ବତ ତୁମ୍ଭ ଆଗରେ କମ୍ପନ କରିବାକୁ ଆରମ୍ଭ କରିବ। 4 କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷରେ କାର୍ଯ୍ୟ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ୱର କଥା ଶୁଣି ନାହାନ୍ତି କିମ୍ବା କର୍ଣ୍ଣଗୋଚର ହୋଇ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ। 5 ଯେଉଁମାନେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେହିମାନଙ୍କୁ ଆଘାତ କରିଛ। ମାତ୍ର ଅତୀତ କାଳରେ ଆମ୍ଭେ ପାପ କଲୁ ଏବଂ ତୁମ୍ଭେ ରାଗିଲ। ଅତୀତ କାଳରେ ଆମ୍ଭେମାନେ ଦୋଷ କଲୁ। 6 ଆମ୍ଭେମାନେ ସମସ୍ତେ ପାପରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭେମାନେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାୟୁ ତୁଲ୍ୟ ଆମ୍ଭମାନଙ୍କୁ ଉଡ଼ାଇ ନିଏ। 7 ତୁମ୍ଭ ନାମରେ ପୂଜା କରିବାକୁ ଓ ତୁମ୍ଭକୁ ଅନୁସରଣ କରିବା ନିମନ୍ତେ ନିଜକୁ ଉତ୍ତେଜିତ କରିବାକୁ କେହି ନାହିଁ। କାରଣ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ବିମୁଖ ହୋଇଅଛି ଓ ଆମ୍ଭମାନଙ୍କ ପାପଦ୍ୱାରା ଆମ୍ଭମାନଙ୍କୁ କ୍ଷୟ କରିଅଛ। 8 ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ। ଆମ୍ଭେମାନେ ମୃତ୍ତିକା ଓ ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର। ଆମ୍ଭେ ସମସ୍ତେ ତୁମ୍ଭ ହସ୍ତର କର୍ମ। 9 ହେ ସଦାପ୍ରଭୁ, ଅତ୍ୟନ୍ତ କ୍ରୋଧିତ ହୁଅ ନାହିଁ କି ଆମ୍ଭମାନଙ୍କର ପାପକୁ ଚିରକାଳ ମନେରଖ ନାହିଁ। ଆମ୍ଭେମାନେ ବିନତି କରୁଅଛୁ, ଆମ୍ଭ ପ୍ରତି ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ। 10 ତୁମ୍ଭର ପବିତ୍ର ନଗରଗୁଡ଼ିକ ପ୍ରାନ୍ତର ପାଲଟିଅଛି। ସିୟୋନ ପ୍ରାନ୍ତର ହୋଇଅଛି ଓ ଯିରୁଶାଲମ ଧ୍ୱଂସ ହୋଇଅଛି। 11 ଆମ୍ଭମାନଙ୍କର ପିତୃପୁରୁଷଗଣ ଯେଉଁ ସ୍ଥାନରେ ତୁମ୍ଭର ପ୍ରଶଂସା କରୁଥିଲେ, ଆମ୍ଭମାନଙ୍କର ସେହି ପବିତ୍ର ଓ ରମଣୀୟ ଗୃହ ଅଗ୍ନିରେ ଦଗ୍ଦିଭୂତ ହୋଇଅଛି, ଆଉ ମଧ୍ୟ ଆମ୍ଭମାନଙ୍କର ମୂଲ୍ୟବାନ ପଦାର୍ଥଗୁଡ଼ିକ ବିନଷ୍ଟ ହୋଇଅଛି। 12 ହେ ସଦାପ୍ରଭୁ, ଏସବୁ ହେଲା ପରେ ମଧ୍ୟ ତୁମ୍ଭେ କ’ଣ ନିଜକୁ ଆମ୍ଭଠାରୁ କ୍ଷାନ୍ତ କରି ରଖିବ? ତୁମ୍ଭେ କ’ଣ ନୀରବ ରହି ଆମ୍ଭମାନଙ୍କୁ କ୍ଳେଶ ଦେଇ ଗ୍ଭଲିବ? |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International