ଯିଶାଇୟ 60 - ପବିତ୍ର ବାଇବଲପରମେଶ୍ୱର ଆସୁଛନ୍ତି 1 “ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପରେ ପ୍ରତିଭାତ ହୋଇଛି। 2 କାରଣ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେବ ଓ ଘନ ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ; ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଆଲୋକ ପ୍ରଦାନ କରିବେ ଓ ତାଙ୍କର ମହିମା ତୁମ୍ଭ ଉପରେ ଦେଖାଯିବ। 3 ପୁଣି ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାମାନେ ତୁମ୍ଭ ଅରୁଣାଲୋକ ନିକଟକୁ ଆସିବେ। 4 ତୁମ୍ଭେ ଚତୁର୍ଦ୍ଦିଗକୁ ଦେଖ, ସେମାନେ ସମସ୍ତେ ଏକତ୍ରିତ ହେଉଛନ୍ତି ଓ ତୁମ୍ଭ ନିକଟକୁ ଆସୁଛନ୍ତି। ତୁମ୍ଭର ପୁତ୍ରଗଣ ବହୁ ଦୂରରୁ ଆସିବେ ଓ କନ୍ୟାଗଣ ଧାଈମାନଙ୍କ କୋଳରୁ ଅଣାଯିବେ। 5 “ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ ଓ ତୁମ୍ଭର ହୃଦୟ ଉଲ୍ଲସିତ ହେବ। କାରଣ ସମୁଦ୍ରର ସମସ୍ତ ଦ୍ରବ୍ୟ ଓ ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ। 6 ଅକଳନ ଓଟ, ତୁମ୍ଭକୁ ଆବୃତ କରିବ ଏବଂ ଯୁବ ଓଟମାନେ ତୁମ୍ଭ ପାଖକୁ ଶିବା ଏବଂ ଐଫା ଦେଶରୁ ଆସିବେ। ସେମାନେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ ଏବଂ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବେ। 7 କେଦରର ସମସ୍ତ ମେଷ ତୁମ୍ଭ ନିକଟରେ ଏକତ୍ରିତ ହେବେ ଓ ନବାୟୋତର ମେଷପଲ ତୁମ୍ଭର ସେବା କରିବେ। ସେମାନେ ଆମ୍ଭଦ୍ୱାରା ଗ୍ରାହ୍ୟ ହୋଇ ଆମ୍ଭ ଯଜ୍ଞବେଦି ନିକଟକୁ ଆସିବେ ଓ ଆମ୍ଭେ ଆମ୍ଭର ଭୂଷଣସ୍ୱରୂପ ମନ୍ଦିରକୁ ଭୂଷିତ କରିବା। 8 ଏମାନେ କିଏ, ଯେ କି ମେଘ ସଦୃଶ ଉଡ଼ି ଆସୁଛନ୍ତି ଓ ଉଡ଼ନ୍ତା କପୋତ ସଦୃଶ ନିଜ ନିଜ ଭାଡ଼ିକୁ ଉଡ଼ି ଆସୁଛନ୍ତି? 9 ପ୍ରକୃତରେ ଦ୍ୱୀପସମୂହ ଆମ୍ଭକୁ ଅପେକ୍ଷା କରିବେ। ପୁଣି ତର୍ଶୀଶର ଜାହାଜସବୁ ସର୍ବପ୍ରଥମେ ନିଜ ନିଜ ରୌପ୍ୟ ଓ ସୁବର୍ଣ୍ଣ ନେଇ, ତୁମ୍ଭର ସନ୍ତାନଗଣକୁ ଦୂରରୁ ଆଣି, ତୁମ୍ଭ ପରମେଶ୍ୱର ସଦାପ୍ରଭୁଙ୍କ ସୁନାମ ନିମିତ୍ତ ଓ ଇସ୍ରାଏଲର ପବିତ୍ରସ୍ୱରୂପଙ୍କ ନିମିତ୍ତ ଆସିବେ କାରଣ ସେ ତୁମ୍ଭକୁ ଗୌରବାନ୍ୱିତ କରିଛନ୍ତି। 10 ଆଉ ମଧ୍ୟ ବିଦେଶୀୟମାନେ ତୁମ୍ଭର ପ୍ରାଚୀର ନିର୍ମାଣ କରିବେ ଓ ରାଜାମାନେ ତୁମ୍ଭର ସେବା କରିବେ। କାରଣ “ଆମ୍ଭେ ନିଜର କ୍ରୋଧବଶତଃ ତୁମ୍ଭକୁ ପ୍ରହାର କରିଥିଲୁ, ମାତ୍ର ନିଜର ଅନୁଗ୍ରହରେ ତୁମ୍ଭକୁ କରୁଣା କରିବୁ। 11 ତୁମ୍ଭ ନଗରୀର ଦ୍ୱାରଗୁଡ଼ିକ ସର୍ବଦା ଉନ୍ମୁକ୍ତ ରହିବ। ସେଗୁଡ଼ିକ ଦିବାରାତ୍ରି ବନ୍ଦ ହେବ ନାହିଁ। ତେଣୁ ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ଓ ତା’ ସହିତ ରାଜାମାନେ ତୁମ୍ଭ ନିକଟକୁ ଅଣାଯିବେ। 12 କାରଣ ଯେଉଁ ଦେଶ ଓ ରାଜା ତୁମ୍ଭର ସେବା କରିବ ନାହିଁ, ସେ ବିନଷ୍ଟ ହେବ। ସେହି ଦେଶଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପ୍ରାପ୍ତ ହେବେ। 13 ଲିବାନୋନ୍ର ଗୌରବ ତୁମ୍ଭ ନିକଟକୁ ଆସିବ। ଦେବଦାରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ହୋଇ ଆମ୍ଭର ପବିତ୍ର ସ୍ଥାନକୁ ସୁଶୋଭିତ କରିବାକୁ ଆସିବେ। ଆମ୍ଭେ ଆମ୍ଭର ପାଦପୀଠର ସ୍ଥାନ ଗୌରବାନ୍ୱିତ କରିବା। 14 ଯେଉଁମାନେ ତୁମ୍ଭକୁ କଷ୍ଟ ଦେଇଥିଲେ ସେମାନଙ୍କର ସନ୍ତାନଗଣ ତୁମ୍ଭ ନିକଟକୁ ଆସି ନତ ହେବେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ, ସେମାନେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ। ଆଉ ସେମାନେ ତୁମ୍ଭକୁ ‘ସଦାପ୍ରଭୁଙ୍କର ନଗରୀ ଇସ୍ରାଏଲର ଧର୍ମସ୍ୱରୂପଙ୍କର ସିୟୋନ’ ବୋଲି ସମ୍ବୋଧନ କରିବେ। 15 “ତୁମ୍ଭେ ପରିତ୍ୟକ୍ତା ଓ ଘୃଣିତା ହୋଇଥିବାରୁ କେହି ତୁମ୍ଭ ମଧ୍ୟଦେଇ ଯାତାୟାତ କଲେ ନାହିଁ। ତା’ ପରିବର୍ତ୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାୟୀ ଗୌରବ ଓ ଅନେକ ପୁରୁଷାନୁକ୍ରମେ ଆନନ୍ଦସ୍ୱରୂପ କରିବା। 16 ତୁମ୍ଭେ ଯାହା ଗ୍ଭହିଁବ, ଅନ୍ୟ ଦେଶ ତୁମ୍ଭକୁ ତାହା ଦେବ। ଏହା ଏକ ଶିଶୁ ପରି ହେବ ଯେ କି ଆପଣା ମା’ର କ୍ଷୀର ପାନ କରୁଛି। ତୁମ୍ଭେ ରାଜାମାନଙ୍କର ଐଶ୍ୱର୍ଯ୍ୟ ପାନ କରିବ। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ତୁମ୍ଭର ମୁକ୍ତିଦାତା ଓ ଯାକୁବର ବଳଦାତା ଅଟୁ ତାହା ତୁମ୍ଭେ ଜାଣିବ। 17 “ଆମ୍ଭେ ପିତ୍ତଳ ପରିବର୍ତ୍ତେ ସୁବର୍ଣ୍ଣ, ଲୁହା ପରିବର୍ତ୍ତେ ରୌପ୍ୟ, କାଠ ପରିବର୍ତ୍ତେ ପିତ୍ତଳ ଓ ପ୍ରସ୍ତର ପରିବର୍ତ୍ତେ ଲୌହ ଆଣିବା। ମୁଁ ଶାସ୍ତି ବଦଳରେ ଶାନ୍ତି ଆଣିବି। ଲୋକମାନେ ତୁମ୍ଭମାନଙ୍କୁ କ୍ଷତି କରିବେ କିଛି ଲୋକେ ତୁମ୍ଭ ପାଇଁ ଉତ୍ତମ କାମ କରିବେ। 18 ତୁମ୍ଭ ଦେଶରେ ଦୌରାତ୍ମ୍ୟର କଥା ଓ ତୁମ୍ଭର ସୀମା ମଧ୍ୟରେ ଧ୍ୱଂସ ଓ ବିନାଶର କଥା ଆଉ ଶୁଣାଯିବ ନାହିଁ। ତୁମ୍ଭେ ତୁମ୍ଭ ପ୍ରାଚୀର ସମୂହର ନାମ ‘ପରିତ୍ରାଣ’ ଓ ତୁମ୍ଭ ନଗରର ଦ୍ୱାର ସମୂହର ନାମ ‘ପ୍ରଶଂସା’ ରଖିବ। 19 “ଦିବସର ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ହେବ ନାହିଁ କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋସ୍ନା ପ୍ରଦାନ କରିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ୟୋତିଃ ଓ ତୁମ୍ଭର ପରମେଶ୍ୱର ତୁମ୍ଭର ମହିମାସ୍ୱରୂପ ହେବେ। 20 ତୁମ୍ଭର ସୂର୍ଯ୍ୟ ଅସ୍ତମିତ ହେବ ନାହିଁ କିଅବା ତୁମ୍ଭର ଚନ୍ଦ୍ର ଅପସାରିତ ହେବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ୟୋତିଃ ସ୍ୱରୂପ ହେବେ ଓ ତୁମ୍ଭର ଶୋକର ଦିନ ଶେଷ ହେବ। 21 “ଆଉ ମଧ୍ୟ ତୁମ୍ଭର ସମସ୍ତ ଲୋକେ ଧାର୍ମିକ ହେବେ। ସେମାନେ ଅନନ୍ତକାଳ ଯାଏ ଦେଶ ଶାସନ କରିବେ। ମୋ’ ଗୌରବକୁ ଦେଖାଇବା ପାଇଁ ସେମାନେ ମୋ’ ଦ୍ୱାରା ଲଗା ହୋଇଥିବା ଗଛର ଫଳ ସଦୃଶ। 22 କ୍ଷୁଦ୍ରତମ ପରିବାର ସହସ୍ର ବିଶିଷ୍ଟ ବୃହତ୍ତମ ପରିବାରରେ ପରିଣତ ହେବ ଓ କ୍ଷୁଦ୍ରତମ ଦୁର୍ବଳ ବ୍ୟକ୍ତି ବଳବାନ୍ ଗୋଷ୍ଠୀରେ ପରିଣତ ହେବ। ଆମ୍ଭେ ସଦାପ୍ରଭୁ ଯଥା କାଳରେ ଏହା ଶୀଘ୍ର ଘଟାଇବା।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International