ଯିଶାଇୟ 55 - ପବିତ୍ର ବାଇବଲପରମେଶ୍ୱରଦତ୍ତ “ଖାଦ୍ୟ” ପ୍ରକୃତ ସନ୍ତୋଷ ଦିଏ 1 “ହେ ତୃଷାର୍ତ୍ତଗଣ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ୟ ବ୍ୟକ୍ତି ମଧ୍ୟ ଆସୁ। ତୁମ୍ଭେମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ୟରେ ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। 2 ଅଖାଦ୍ୟ ପାଇଁ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ। ପୁଣି ଯାହା ତୃପ୍ତିକର ନୁହେଁ ସେଥିପାଇଁ କାହିଁକି ପରିଶ୍ରମ କରୁଅଛ। ତେଣୁ ମନୋଯୋଗ ସହକାରେ ଆମ୍ଭ କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର। ପୁଣି ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ଆତ୍ମାକୁ ସନ୍ତୁଷ୍ଟ ହେବାକୁ ଦିଅ। 3 କର୍ଣ୍ଣଡେରି ଶୁଣ ଓ ଆମ୍ଭ ନିକଟକୁ ଆସ। ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା। 4 ଦେଖ, ଆମ୍ଭେ ତାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀରୂପେ, ଗୋଷ୍ଠୀବର୍ଗରେ ଶାସକ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ।” 5 ଅଜ୍ଞାତ ଗୋଷ୍ଠୀକୁ ତୁମ୍ଭେ ଆହ୍ୱାନ କରିବ ଓ ତୁମ୍ଭକୁ ନ ଜାଣିଥିବା ଗୋଷ୍ଠୀ ତୁମ୍ଭ ନିକଟକୁ ଦୌଡ଼ିବେ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ପାଇଁ ଏହା ଘଟିବ। କାରଣ ସେ ତୁମ୍ଭକୁ ଗୌରବାନ୍ୱିତ କରିଅଛନ୍ତି। 6 ତେଣୁ ତୁମ୍ଭେମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କର, ଯେହେତୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳିଅଛି। ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କୁ ପ୍ରାର୍ଥନା କର। 7 ଦୁଷ୍ଟାଗ୍ଭରୀ ତା'ର ମନ୍ଦକାର୍ଯ୍ୟ ଓ ଅଧାର୍ମିକ ତା'ର ମନ୍ଦ ଚିନ୍ତା ପରିତ୍ୟାଗ କରୁ। ସେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସୁ ଏବଂ ସେ ତାକୁ ଦୟା କରିବେ। ସେ ତାକୁ କ୍ଷମା କରି ଦେବେ। ତାକୁ ପରମେଶ୍ୱରଙ୍କ ପାଖକୁ ଫେରିବାକୁ ଛାଡ଼ିଦିଅ। ସେ ତାକୁ ବହୁଳ ଭାବରେ କ୍ଷମା କରିବେ। ପରମେଶ୍ୱରଙ୍କୁ ଲୋକେ ବୁଝିବେ ନାହିଁ 8 ସଦାପ୍ରଭୁ କୁହନ୍ତି, “ଆମ୍ଭର ସଂକଳ୍ପ, ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭମାନଙ୍କ ମାର୍ଗପରି ନୁହେଁ। 9 ସଦାପ୍ରଭୁ ସ୍ୱୟଂ ଏହିକଥା କହିଛନ୍ତି, ଯେପରି ପୃଥିବୀଠାରୁ ସ୍ୱର୍ଗମଣ୍ଡଳ ଉଚ୍ଚତର ସେହିପରି ଆମ୍ଭର ଚିନ୍ତାଧାରା ତୁମ୍ଭମାନଙ୍କର ଚିନ୍ତାଧାରାଠାରୁ ଉଚ୍ଚତର। ସେହିପରି ଆମ୍ଭର ମାର୍ଗସବୁ ତୁମ୍ଭମାନଙ୍କ ମାର୍ଗଠାରୁ ଉଚ୍ଚତର।” 10 “ବୃଷ୍ଟି ଓ ହିମ ଯେପରି ଆକାଶରୁ ପୃଥିବୀକୁ ଆସେ, ପୁନର୍ବାର ଫେରି ଯାଏ ନାହିଁ; ମାତ୍ର ଭୂମିକୁ ସିକ୍ତ କରେ ଓ ତାକୁ ଫଳବତୀ ଓ ତୃଣ ଆଦି ଉତ୍ପନ୍ନ କରାଏ, କୃଷିକାରୀକୁ ବୀଜ ବପନ କରିବାରେ ସାହାଯ୍ୟ କରେ ଓ ଭୋଜନକାରୀକୁ ଶସ୍ୟ ଯୋଗାଏ। 11 ସେହିପରି ଆମ୍ଭ ମୁଖ ନିଃସୃତ ବାକ୍ୟ ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ; ମାତ୍ର ଆମ୍ଭ ଇଚ୍ଛାନୁସାରେ ଆମ୍ଭ ବାକ୍ୟ ସିଦ୍ଧ ହେବ ଏବଂ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରିଅଛୁ, ତାହା ସଫଳ ହେବ। 12 “ଏଣୁ ତୁମ୍ଭେମାନେ ଆନନ୍ଦର ସହିତ ବାହାରି ଶାନ୍ତିରେ ଆଗେ ଆଗେ ଯିବ। ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦେବେ। 13 କଣ୍ଟକ ବୃକ୍ଷ ପରିବର୍ତ୍ତେ ଦେବଦାରୁ ବୃକ୍ଷ ଜନ୍ମିବ। ପୁନଶ୍ଚ ତାହା ସଦାପ୍ରଭୁଙ୍କର ମହିମା ସ୍ୱରୂପ ହେବ ଓ କେବେ ଧ୍ୱଂସ ହେବ ନାହିଁ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International