ଯିଶାଇୟ 48 - ପବିତ୍ର ବାଇବଲପରମେଶ୍ୱର ଜଗତକୁ ଶାସନ କରନ୍ତି 1 ସଦାପ୍ରଭୁ କୁହନ୍ତି, “ହେ ଯାକୁବର ପରିବାର, ଯିହୁଦାର କଟିରୁ ଜନ୍ମ, ଇସ୍ରାଏଲ ପରି ଖ୍ୟାତ, ଦୟାକରି ମୋ’ କଥା ଶୁଣ। ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛ ଓ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରୁଅଛ। କିନ୍ତୁ ତୁମ୍ଭେମାନେ ଏହି କାର୍ଯ୍ୟ ସତ୍ୟ ଓ ଧାର୍ମିକତାରେ କରୁ ନାହିଁ। 2 “କାରଣ ସେମାନେ ନିଜକୁ ପବିତ୍ର ନଗରର ଲୋକ ବୋଲି ଖ୍ୟାତ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କ ଉପରେ ନିର୍ଭର କରନ୍ତି; ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ। 3 “ପୂର୍ବକାଳରେ ଯାହା ଘଟିଲା ଆମ୍ଭେ ତାହା ବହୁ ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ। ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ। ଆମ୍ଭେ ତାହା କଲୁ ଓ ଅକସ୍ମାତ୍ ତାହା ସବୁ ଘଟିଲା। 4 କାରଣ ମୁଁ ଜାଣେ ତୁମ୍ଭେ ଅବାଧ୍ୟ; ମୋର ବାକ୍ୟ ତୁମ୍ଭେ ବିଶ୍ୱାସ କରିବାକୁ ଅସମ୍ମତ। ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ୱରୂପ ବୋଲି ଆମ୍ଭେ ଜାଣିଲୁ। 5 ତେଣୁ ପ୍ରାଚୀନକାଳରୁ ତୁମ୍ଭ ପ୍ରତି ତାହା ଘଟିବ ବୋଲି ପ୍ରକାଶ କଲୁ; ତାହା ଘଟିବା ପୂର୍ବରୁ ତୁମ୍ଭକୁ ଜଣାଇଲୁ। ତାହା ନ ହେଲେ ତୁମ୍ଭେ କହିଥା’ନ୍ତ, ‘ଆମ୍ଭର ଦେବତା ଏହା କରିଅଛନ୍ତି,’ ପୁଣି କହିଥା’ନ୍ତ ‘ଆମ୍ଭର ଖୋଦିତ ଓ ଛାଞ୍ଚରେ ଢଳା ପ୍ରତିମା ଏହା ଆଜ୍ଞା କରିଅଛନ୍ତି।’” ଇସ୍ରାଏଲକୁ ପବିତ୍ର କରିବାକୁ ପରମେଶ୍ୱର ଦଣ୍ଡ ଦିଅନ୍ତି 6 “ତୁମ୍ଭେମାନେ ଶୁଣିଅଛ, ଏବଂ ବର୍ତ୍ତମାନ ତୁମ୍ଭେ ଦେଖ! ତୁମ୍ଭେମାନେ କ’ଣ ତାହା ପ୍ରକାଶ କରିବ ନାହିଁ? ବର୍ତ୍ତମାନ ତୁମ୍ଭକୁ ଆମ୍ଭେ ବଡ଼ ଗୁରୁତ୍ୱର କିଛି ତୁମ୍ଭକୁ ଦେଖାଇଦେବୁ, ଯାହାକି ତୁମ୍ଭର ଅଜ୍ଞାତ ଅଟେ। 7 ପୂର୍ବକାଳରୁ ନୁହେଁ, ମାତ୍ର ଏବେ ସେସବୁ ସୃଷ୍ଟ ହେଲା। ଆଜି ଦିନର ପୂର୍ବରୁ ତୁମ୍ଭେ ସେସବୁ ଶୁଣି ନ ଥିଲ। ‘ନଚେତ୍ ତୁମ୍ଭେ ଜାଣିଥିଲ ବୋଲି କହିଥା’ନ୍ତ।’ 8 ବାସ୍ତବିକ ତୁମ୍ଭେ ଶୁଣିଲ ନାହିଁ; ତୁମ୍ଭେ ଜାଣିଲ ନାହିଁ; ବହୁକାଳରୁ ତୁମ୍ଭର କାନ ମୁଦ୍ରିତ ଥିଲା; କାରଣ ତୁମ୍ଭେ ଅତି ବିଶ୍ୱାସଘାତ କରିଥିଲ; ଜନ୍ମରୁ ତୁମ୍ଭେ ଅଧର୍ମାଗ୍ଭରୀ ବୋଲି ଖ୍ୟାତ ହୋଇଥିଲ; ଆମ୍ଭେ ଜାଣିଲୁ। 9 “ମାତ୍ର ଆମ୍ଭେ ନିଜର ପ୍ରଶଂସା ପାଇଁ କ୍ରୋଧ ସମ୍ବରଣ କରିବା। ଏଥିପାଇଁ ତୁମ୍ଭକୁ ଉଚ୍ଛିନ୍ନ କରିବା ନାହିଁ। ତୁମ୍ଭେ ଆମ୍ଭର କ୍ଷାନ୍ତ ଯୋଗୁଁ ପ୍ରଶଂସା କରିବ। 10 “ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିବୁ। ମାତ୍ର ଲୋକମାନେ ଯେପରି ରୂପାକୁ ଅଗ୍ନିରେ ପକାଇ ପରିଷ୍କାର କରନ୍ତି ସେପରି ନୁହେଁ। ଆମ୍ଭେ ତୁମ୍ଭକୁ ଦୁଃଖରୂପକ ଉହ୍ମେଇରେ ପକାଇ ପରିଷ୍କାର କରିବୁ। 11 ଆମ୍ଭେ କେବଳ ନିଜ ପାଇଁ, ନିଜ ସକାଶେ ଏହା କରିବା। କାରଣ ଆମ୍ଭର ନାମକୁ ଅପବିତ୍ର କାହିଁକି କରିବା? ପୁଣି ଆମ୍ଭେ ନିଜର ମହିମା ଅନ୍ୟକୁ ଦେବା ନାହିଁ। 12 “ହେ ଯାକୁବ, ଆମ୍ଭ ଆହୂତ ଇସ୍ରାଏଲ, ତୁମ୍ଭେମାନେ ଆମ୍ଭ କଥାକୁ ଶ୍ରବଣ କର। ଆମ୍ଭେ ହେଉଛୁ ଆଦ୍ୟ ଓ ଅନ୍ତ। 13 ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଦକ୍ଷିଣ ହସ୍ତ ଆକାଶମଣ୍ଡଳ ବିସ୍ତାର କରିଅଛି। ତେଣୁ ଆମ୍ଭେ ସେମାନଙ୍କୁ ଡାକିଲେ ସେମାନେ ଏକତ୍ର ଆମ୍ଭ ସମ୍ମୁଖରେ ଛିଡ଼ା ହୁଅନ୍ତି। 14 “ତୁମ୍ଭେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭ କଥା ଶ୍ରବଣ କର; ସେମାନଙ୍କ ମଧ୍ୟରେ କିଏ ଏହିସବୁ କଥା କରିଅଛନ୍ତି?” ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି। ସେ ବାବିଲ ଉପରେ ତାଙ୍କର ଉଦ୍ଦେଶ୍ୟ ସଫଳ କରିବେ ଓ କଲ୍ଦୀୟମାନଙ୍କ ଉପରେ ତାଙ୍କର ବାହୁ ରହିବ। 15 “ଆମ୍ଭେ ନିଜେ ତାଙ୍କୁ କହିଅଛୁ, ନିଜେ ତାଙ୍କୁ ଆହ୍ୱାନ କରିଅଛୁ, ନିଜେ ତାଙ୍କୁ ଆଣିଅଛୁ; ସେ ନିଜ ପଥରେ କୃତକାର୍ଯ୍ୟ ହେବ। 16 ତୁମ୍ଭେମାନେ ଆମ୍ଭ ନିକଟକୁ ଆସି ଏହିକଥା ଶୁଣ। ଆଦ୍ୟରୁ ଆମ୍ଭେ ଗୋପନରେ କିଛି କହି ନାହୁଁ। ବହୁ କାଳରୁ ଆମ୍ଭେ ସେଠାରେ ଅଛୁ।” ପୁଣି “ଏବେ ମୋର ପ୍ରଭୁ ସଦାପ୍ରଭୁ ମୋତେ ଓ ତାଙ୍କର ଆତ୍ମାକୁ ପ୍ରେରଣ କରିଛନ୍ତି। 17 ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ଇସ୍ରାଏଲର ଧର୍ମସ୍ୱରୂପ ଏହି କଥା କୁହନ୍ତି, “ଆମ୍ଭେ ସଦାପ୍ରଭୁ, ତୁମ୍ଭର ପରମେଶ୍ୱର, ତୁମ୍ଭର ମଙ୍ଗଳ ପାଇଁ ତୁମ୍ଭକୁ ଶିକ୍ଷା ଦେଉ ଓ ତୁମ୍ଭକୁ ଉଚିତ୍ ମାର୍ଗରେ ଗମନ କରିବାକୁ ନିର୍ଦ୍ଦେଶ ଦେଉ। 18 ତୁମ୍ଭେ ଯଦି ଆମ୍ଭର ଆଜ୍ଞା ପାଳନ କରିଥା’ନ୍ତ, ତେବେ ତୁମ୍ଭର ଶାନ୍ତି ନଦୀତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ତୁମ୍ଭ ନିକଟକୁ ଆସିଥା’ନ୍ତା। 19 ପୁଣି ତୁମ୍ଭେ ଯଦି ଆମ୍ଭର ଆଜ୍ଞାକୁ ଅବଧାନ କରିଥା’ନ୍ତ ତେବେ ତୁମ୍ଭର ବଂଶ ବାଲୁକା ତୁଲ୍ୟ ଓ ତୁମ୍ଭର ସନ୍ତାନଗଣ ବାଲୁକା କଣା ତୁଲ୍ୟ ହୋଇଥା’ନ୍ତେ। ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିମ୍ବା ବିନଷ୍ଟ ହୋଇ ନ ଥା’ନ୍ତା।” 20 ହେ ମୋର ସନ୍ତାନଗଣ, ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କଲ୍ଦୀୟମାନଙ୍କ ମଧ୍ୟରୁ ପଳାୟନ କର; ତୁମ୍ଭେମାନେ ଆନନ୍ଦ ଧ୍ୱନି କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ବିଖ୍ୟାତ କର; ତୁମ୍ଭେମାନେ କୁହ, “ସଦାପ୍ରଭୁ ନିଜର ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।” 21 ସଦାପ୍ରଭୁ ଯଦିଓ ମରୁଭୂମିରୁ ସେମାନଙ୍କୁ ନେଲେ, ସେମାନେ ତୃଷାର୍ତ୍ତ ହେଲେ ନାହିଁ। ସେ ସେମାନଙ୍କ ପାଇଁ ଶୈଳରୁ ଜଳସ୍ରୋତ ବୁହାଇଲେ; ଆଉ ମଧ୍ୟ ସେ ଶୈଳକୁ ବିଦୀର୍ଣ୍ଣ କଲେ ଓ ତହିଁରୁ ଜଳ ନିର୍ଗତ ହେଲା। 22 ମାତ୍ର ସଦାପ୍ରଭୁ କୁହନ୍ତି, “ଦୁଷ୍ଟ ଲୋକମାନଙ୍କର ଶାନ୍ତି ନାହିଁ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International