ଯିଶାଇୟ 46 - ପବିତ୍ର ବାଇବଲନିରର୍ଥକ ମିଥ୍ୟା ଦେବତା 1 “ବେଲ୍ ଓ ନବୋ ଆମ୍ଭ ସମ୍ମୁଖରେ ଅବନତ ହେବେ। “ସେମାନଙ୍କର ପ୍ରତିମାଗୁଡ଼ିକ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ହୋଇଛନ୍ତି। ସେଗୁଡ଼ିକ ବୋଝପରି ତୁମ୍ଭେମାନେ ବହି ଗ୍ଭଲିଲ, ତାହା କ୍ଳାନ୍ତ ପଶୁମାନଙ୍କ ପାଇଁ କେବଳ ଭାର ହୋଇଅଛି। 2 ସେମାନେ ଅବନତ ହୁଅନ୍ତି, ସେମାନେ ଏକତ୍ର ନତ ହୁଅନ୍ତି। ସେମାନେ ଭାର ରକ୍ଷା କରି ପାରିଲେ ନାହିଁ, ନିଜେ ନିଜେ ବନ୍ଦୀ ହୋଇଗଲେ। 3 “ହେ ଯାକୁବର ପରିବାର, ହେ ଇସ୍ରାଏଲର ଅବଶିଷ୍ଟାଂଶ ଆମ୍ଭ କଥା ଶୁଣ! ଆମ୍ଭେ ତୁମ୍ଭମାନଙ୍କୁ ବହନ କରି ଆସୁଅଛୁ। ତୁମ୍ଭେମାନେ ଗର୍ଭସ୍ଥ ହେବା ଦିନଠାରୁ ଆମ୍ଭଦ୍ୱାରା ବାହିତ ହୋଇଅଛ। 4 ତୁମ୍ଭର ଜନ୍ମ ସମୟରେ ଆମ୍ଭେ ବହନ କରିଥିଲୁ। ପୁଣି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ତୁମ୍ଭକୁ ବହନ କରିବୁ। ପକ୍ୱକେଶ ହେବା ପର୍ଯ୍ୟନ୍ତ ଆମ୍ଭେ ବହନ କରିବୁ। କାରଣ ଆମ୍ଭେ ତୁମ୍ଭକୁ ସୃଷ୍ଟି କରିଅଛୁ। ତେଣୁ ଆମ୍ଭେ ବହନ କରିବା ଓ ତୁମ୍ଭକୁ ଉଦ୍ଧାର କରିବା। 5 “ତୁମ୍ଭେ ଆମ୍ଭକୁ କାହା ସହିତ ତୁଳନା କରି ପାରିବ କି? ନା, କାରଣ କୌଣସି ଲୋକ ଆମ୍ଭ ସହିତ ସମାନ ନୁହେଁ। ତୁମ୍ଭେ ଆମ୍ଭ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ଆମ୍ଭ ସଦୃଶ କେହି ନାହିଁ। 6 ସେମାନେ ଥଳିରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି। ସେମାନେ ସୁନାରିକୁ ଗୋଟିଏ ଦେବତା ଗଢ଼ିବା ପାଇଁ ମୂଲ୍ୟ ଦିଅନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ। ସେମାନେ ତାକୁ ପ୍ରଣାମ କରି ପୂଜା କରନ୍ତି। 7 ସେମାନେ ତାହାକୁ ସ୍କନ୍ଧରେ ବହନ କରି ନିଅନ୍ତି। ତାକୁ ନେଇ ତା'ର ସ୍ଥାନରେ ରଖନ୍ତି। ସେ ସ୍ଥାନରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦେବ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ। 8 “ତୁମ୍ଭେମାନେ ଏହା ସ୍ମରଣ କର ଓ ଶକ୍ତିଶାଳୀ ହୁଅ। ହେ ତୁମ୍ଭେମାନେ ଯେଉଁମାନେ ଅପରାଧ କର, ଏବିଷୟରେ ଚିନ୍ତା କର। 9 ପୁରାତନ କଥାକୁ ସ୍ମରଣ କର, କାରଣ ଆମ୍ଭେ ପରମେଶ୍ୱର ଓ ଅଦ୍ୱିତୀୟ, ଆମ୍ଭ ତୁଲ୍ୟ ଅନ୍ୟ କେହି ନାହିଁ। 10 “ଶେଷରେ କ’ଣ ଘଟିବ ଆମ୍ଭେ ଆଦ୍ୟରୁ କହିଥାଉ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ୟ ସାଧିତ ହେବ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ। 11 ଆମ୍ଭେ ପୂର୍ବଦିଗସ୍ଥ ଦୂରଦେଶରୁ ଏକ ମନୁଷ୍ୟକୁ ଆହ୍ୱାନ କରୁ। ସେହି ମନୁଷ୍ୟଟି ଉତ୍କ୍ରୋଶପକ୍ଷୀ ସଦୃଶ। ଆମ୍ଭେ ଯାହା ମନ୍ତ୍ରଣା କରୁ ସେ ତାହା ହିଁ କରିବ। ଆମ୍ଭେ କଳ୍ପନା କରିଅଛୁ ଓ ଆମ୍ଭେ ତାହା ସଫଳ କରିବା। 12 “ହେ ଧର୍ମରୁ ବିରତ କଠିନ ହୃଦୟ ଲୋକେ, ଆମ୍ଭର କଥା ଶୁଣ। 13 ଆମ୍ଭେ ପରିତ୍ରାଣ ଓ ଧର୍ମ ଆଣିବୁ, ତାହା ବେଶି ଦୂର ନୁହେଁ। ଆମ୍ଭ ପରିତ୍ରାଣର ବିଳମ୍ବ ଘଟିବ ନାହିଁ; ଆମ୍ଭର ଗୌରବ ସ୍ୱରୂପ ଇସ୍ରାଏଲ ପାଇଁ ଆମ୍ଭେ ସିୟୋନ ପ୍ରତି ପରିତ୍ରାଣ ଆଣିବା।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International