Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 38 - ପବିତ୍ର ବାଇବଲ


ହିଜକିୟଙ୍କର ପୀଡ଼ିତାବସ୍ଥା

1 ସେହି ସମୟରେ ହିଜକିୟ ସାଂଘାତିକ ରୋଗରେ ପୀଡ଼ିତ ହେଲେ। ତେଣୁ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ମୋତେ ଏହିକଥା କହିଛନ୍ତି, ‘ତୁମ୍ଭେ କେବେ ଆରୋଗ୍ୟ ହେବ ନାହିଁ, ତୁମ୍ଭେ ନିଶ୍ଚୟ ମରିବ। ତେଣୁ ତୁମ୍ଭେ ତୁମ୍ଭର ଗୃହକୁ ସଜାଡ଼।’”

2 ଏଥିରେ ହିଜକିୟ ମନ୍ଦିର ଆଡ଼େ ମୁହଁ ଫେରାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା,

3 “ହେ ସଦାପ୍ରଭୁ, ମୁଁ ବିନୟ କରି କହୁଅଛି, ମୁଁ ବିଶ୍ୱସ୍ତ ଭାବରେ ସର୍ବାନ୍ତଃକରଣରେ ତୁମ୍ଭର ଉପାସନା କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ତାହା ତୁମ୍ଭେ ସ୍ମରଣ କର।” ଏହା କହି ହିଜକିୟ ଅତିଶୟ ରୋଦନ କଲା।

4 ସେତେବେଳେ ଯିଶାଇୟ ଏହି ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଲାଭ କଲେ।

5 “ତୁମ୍ଭେ ହିଜକିୟ ନିକଟକୁ ଯାଅ ଓ ଏହିକଥା କୁହ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ୱର ସଦାପ୍ରଭୁ ଏହିକଥା କୁହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଓ ତୁମ୍ଭର ଲୋତକ ଦେଖିଅଛୁ। ଆମ୍ଭେ ତୁମ୍ଭର ଆୟୁ ପନ୍ଦରବର୍ଷ ବଢ଼ାଇବା।’

6 ମୁଁ ତୁମ୍ଭକୁ ଓ ତୁମ୍ଭର ନଗରକୁ ଅଶୂରୀୟ ରାଜା ହସ୍ତରୁ ରକ୍ଷା କରିବି ଓ ଏହି ନଗରର ସପକ୍ଷ ନେବି।’”

7 ସଦାପ୍ରଭୁ ତାଙ୍କର ବାକ୍ୟ ସଫଳ କରିବେ ତୁମ୍ଭକୁ ତାଙ୍କଠାରୁ ଏହି ଚିହ୍ନ ହେବ।

8 “ଦେଖ, ମୁଁ ଆହସର ସୂର୍ଯ୍ୟ ଘଟିକାରେ ସୂର୍ଯ୍ୟର ଛାୟା ଯେତେ ଆଗକୁ ଯାଇଅଛି, ତାହାକୁ ଦିଗପାହୁଣ୍ଡ ପଛକୁ ଫେରାଇ ଆଣିବି।”

9 ଯିହୁଦାର ରାଜା ହିଜକିୟ ପୀଡ଼ିତାବସ୍ଥାରୁ ସୁସ୍ଥ ହେଲା ପରେ ଏହା ଲେଖାଗଲା।

10 ମୁଁ ନିଜକୁ କହିଲି ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳପୁର ଦ୍ୱାରରେ ପ୍ରବେଶ କରିବି। ମୁଁ ନିଜର ଜୀବନ ସମୟର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି।

11 ତେଣୁ ମୁଁ କହିଲି, “ମୁଁ ସଦାପ୍ରଭୁଙ୍କୁ ଜୀବିତମାନଙ୍କ ଦେଶରେ ଦେଖିବି ନାହିଁ। ପୁଣି ଏ ଜଗତରେ ଜୀବିତମାନଙ୍କୁ ମଧ୍ୟ ଦେଖିବି ନାହିଁ।

12 ମେଷପାଳକର ତମ୍ବୁକୁ ତା'ଠାରୁ ସ୍ଥାନାନ୍ତରିତ କଲାପରି ମୋର ଆୟୁକୁ ମୋ'ଠାରୁ ଦୂରୀକୃତ କରାଯାଇଛି। ମୋର ଜୀବନକୁ ତନ୍ତପରି ଗୁଡ଼ାଇ ଅଛି। ସେ ମୋତେ ତନ୍ତରୁ କାଟି ପକାଇବେ। ଏକ ଦିବାରାତ୍ରି ସମୟ ମଧ୍ୟରେ ମୋର ଜୀବନ ନିଃଶେଷ କରି ଦେବ।

13 ମୁଁ ସାହାଯ୍ୟ ପାଇଁ ପ୍ରଭାତ ପର୍ଯ୍ୟନ୍ତ କ୍ରନ୍ଦନ କଲି। ଯେପରି ସିଂହ ମୋର ଅସ୍ଥିସବୁ ଚୂର୍ଣ୍ଣ କରୁଅଛି। ଏକ ଦିବାରାତ୍ର ସ୍ୱଳ୍ପ ସମୟ ମଧ୍ୟରେ ତୁମ୍ଭେ ମୋତେ ଶେଷ କରିବ।

14 ମୁଁ କପୋତ, ଗ୍ଭତକ ଓ ସାରସ ପକ୍ଷୀ ପରି ଶବ୍ଦ କଲି। ଉପରକୁ ଦୃଷ୍ଟି କରି କରି ମୋର ଚକ୍ଷୁ କ୍ଳାନ୍ତ ହୋଇଗଲା। ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ, ତୁମ୍ଭେ ମୋତେ ସାହାଯ୍ୟ କର।”

15 ମୁଁ କ’ଣ କହିବି? ଯେତେବେଳେ ସେ ମୋତେ କହି ଅଛନ୍ତି ଓ ତାହା ନିଜେ ସାଧନ କରିଛନ୍ତି। ମୋର ଆତ୍ମା ତିକ୍ତତା ସକାଶେ ମୁଁ ବର୍ଷଯାକ ଧୀରେ ଧୀରେ ଗ୍ଭଲିବି।

16 ହେ ପ୍ରଭୋ, ଏହିସବୁ ଦ୍ୱାରା ଲୋକେ ବଞ୍ଚନ୍ତି। ଆଉ ସେଥିରେ ସମ୍ପୂର୍ଣ୍ଣ ରୂପେ ମୋର ଆତ୍ମାର ଜୀବନ ଅଛି। ଏଣୁ ତୁମ୍ଭେ ମୋତେ ସୁସ୍ଥ କରି ପୁନଃର୍ଜୀବନ ଦିଅ।

17 ଦେଖ, ମୋର ଦୁଃଖ ଗ୍ଭଲିଯାଇଛି, ବର୍ତ୍ତମାନ ମୋର ଶାନ୍ତି ଆସିଛି। ମାତ୍ର ତୁମ୍ଭେ ମୋତେ ପ୍ରେମ କରି ବିନାଶ କୂପରୁ ମୋର ପ୍ରାଣକୁ ଉଦ୍ଧାର କଲ। କାରଣ ତୁମ୍ଭେ ମୋତେ କ୍ଷମା କରି ମୋର ସମସ୍ତ ପାପକୁ ପଛକୁ ପକାଇ ଦେଇଛ।

18 ପାତାଳ ତୁମ୍ଭକୁ ଧନ୍ୟବାଦ ଦେଇ ପାରିବ ନାହିଁ। ମୃତ୍ୟୁ ତୁମ୍ଭର ପ୍ରଶଂସା ଗାନ କରି ପାରିବ ନାହିଁ। ତେଣୁ ମର୍ତ୍ତଗାମୀମାନେ ତୁମ୍ଭର ବିଶ୍ୱସ୍ତତା ଘୋଷଣା କରିବେନି।

19 ମୁଁ ଯେପରି କରୁଅଛି ସେହିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ। ଜଣେ ପିତା ତା'ର ସନ୍ତାନଗଣଙ୍କୁ ତୁମ୍ଭର ସତ୍ୟତା ଜ୍ଞାନ ବିଶ୍ୱାସ କରାଇବେ।

20 ତେଣୁ ମୁଁ କହିବି, “ସଦାପ୍ରଭୁ ମୋତେ ପରିତ୍ରାଣ କଲେ। ତେଣୁ ଆମ୍ଭେମାନେ ଜୀବନସାରା ସଦାପ୍ରଭୁଙ୍କ ମନ୍ଦିରରେ ତାରଯୁକ୍ତ ଯନ୍ତ୍ର ସହିତ ସଙ୍ଗୀତ ଗାନ କରିବୁ।”

21 ତା'ପରେ ଯିଶାଇୟ ହିଜକିୟଙ୍କୁ କହିଲେ, “ତୁମ୍ଭେ ଡିମ୍ବିରିକୁ ଏକତ୍ର ଛେଚ ଏବଂ ତୁମ୍ଭର କ୍ଷତରେ ଲଗାଅ। ତାହାହେଲେ ତୁମ୍ଭେ ଆରୋଗ୍ୟ ଲାଭ କରିବ।”

22 ମାତ୍ର ହିଜକିୟ ଯିଶାଇୟଙ୍କୁ ପ୍ରଶ୍ନ କଲେ, “ମୁଁ ଭଲ ହେବି, ସଦାପ୍ରଭୁ କି ସଙ୍କେତ ଦ୍ୱାରା ପ୍ରମାଣ କରିବେ? ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯିବି କେଉଁ ସଙ୍କେତ ଦ୍ୱାରା ପ୍ରମାଣିତ ହେବ?”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan