Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 35 - ପବିତ୍ର ବାଇବଲ


ପରମେଶ୍ୱର ତାଙ୍କର ସନ୍ତାନଗଣଙ୍କୁ ସୁଖ ପ୍ରଦାନ କରନ୍ତି

1 ଶୁଷ୍କ ମରୁଭୂମି ଆନନ୍ଦିତ ହେବ। ପୁଣି ମରୁଭୂମି ଉଲ୍ଲାସିତ ହୋଇ ପୁଷ୍ପତୁଲ୍ୟ ପ୍ରଫୁଲିତ ହେବ।

2 ତା'ର ଅପାର ଆନନ୍ଦ ଉଲ୍ଲାସ ନୃତ୍ୟ ଓ ଗାନ ମାଧ୍ୟମରେ ପ୍ରଦର୍ଶନ କରିବ। ଲିବାନୋ‌ନ୍‌ର ପରାକ୍ରମ, କର୍ମିଲ ଓ ଶାରୋଣର ଶୋଭା ସେ ପ୍ରାପ୍ତ ହେବ। ଏସବୁ ଘଟିବ, କାରଣ ସେମାନେ ସଦାପ୍ରଭୁଙ୍କର ମହିମା ଏବଂ ସେମାନେ ପରମେଶ୍ୱରଙ୍କ ଶୋଭା ଦେଖିବେ।

3 ତୁମ୍ଭେମାନେ ଦୁର୍ବଳ ହାତକୁ ସବଳ କର ଓ କମିତ ଆଣ୍ଠୁକୁ ସୁସ୍ଥିର କର।

4 ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦେଇ କୁହ, “ସାହସୀ ହୁଅ, ଭୟ କର ନାହିଁ।” ଦେଖ, ତୁମ୍ଭର ପରମେଶ୍ୱର ବିପକ୍ଷମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ।

5 ସେତେବେଳେ ଅନ୍ଧମାନେ ଚକ୍ଷୁଷ୍ମାନ ହୋଇ ଦେଖି ପାରିବେ ଓ ବଧିରମାନେ ମୁକ୍ତ କର୍ଣ୍ଣରେ ଶ୍ରବଣ କରିବେ।

6 ଖଞ୍ଜଲୋକ ହରିଣ ତୁଲ୍ୟ ଡିଆଁ ମାରିବ ଓ ମୂକ ଆନନ୍ଦରେ ଗାନ କରିବ। କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ଝରଣାର ସ୍ରୋତ ବାହାରିବ।

7 ମରିଚିକା ଜଳାଶୟ ହେବ। ଶୁଷ୍କ ମରୁଭୂମି ନିର୍ଝରମୟ ହେବ। ଶୃଗାଳମାନଙ୍କ ବାସ ସ୍ଥାନରେ ନଳ ଓ ତଣ୍ଡିବଣ ଜନ୍ମିବ।

8 ପୁଣି ସେତେବେଳେ ସେଠାରେ ରାଜଦଣ୍ଡ ଓ ପଥ ହେବ ଯାହାକି “ପବିତ୍ରତାର ପଥ” ବୋଲି ବିଖ୍ୟାତ ହେବ। ତାହା ଉପରେ କେବଳ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଗ୍ଭରୀ ଓ ଅଜ୍ଞାନୀମାନେ ସେ ପଥରେ ଯିବେ ନାହିଁ।

9 ସେ ପଥରେ କୌଣସି ବିପଦ ନ ଥିବ। ସିଂହ କିମ୍ବା ହିଂସ୍ରକ ଜନ୍ତୁ ଆଘାତ ଦେବାକୁ ସେଠାରେ ନ ଥିବେ। ସେମାନେ ସେଠାରେ ଦେଖାଯିବେ ନାହିଁ। କେବଳ ମୁକ୍ତିପ୍ରାପ୍ତ ଲୋକମାନେ ତା'ଉପରେ ବିଚରଣ କରିବେ।

10 ପୁଣି ପରମେଶ୍ୱରଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ। ସେମାନେ ଆନନ୍ଦରେ ଗାନ କରି କରି ସିୟୋନରେ ଉପସ୍ଥିତ ହେବେ। ଚିରନ୍ତନ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ। ସେମାନେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan