Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 25 - ପବିତ୍ର ବାଇବଲ


ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ଗାନ

1 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର। ମୁଁ ତୁମ୍ଭର ପ୍ରତିଷ୍ଠା କରିବି ଓ ତୁମ୍ଭ ନାମର ପ୍ରଶଂସା କରିବି। କାରଣ ତୁମ୍ଭେ ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସମ୍ପାଦନ କରିଅଛ। ତୁମ୍ଭେ ପୁରାତନ କାଳରେ ଯାହା କହିଥିଲ, ତାହା ସମ୍ପୂର୍ଣ୍ଣ ସତ୍ୟରେ ପରିଣତ ହୋଇଛି। ତୁମ୍ଭେ ଯାହାସବୁ କହିଥିଲ, ତାହା ହିଁ ଘଟିଅଛି।

2 ସୁଦୃଢ଼ ପ୍ରାଚୀର ବେଷ୍ଠିତ ସୁରକ୍ଷିତ ନଗରକୁ ତୁମ୍ଭେ ଧ୍ୱଂସ କରିଅଛ ଓ ବର୍ତ୍ତମାନ ତାକୁ ଏକ ପଥର ଗଦାରେ ପରିଣତ କରିଅଛ। ବିଦେଶୀମାନଙ୍କ ରାଜପ୍ରାସାଦକୁ ବିନଷ୍ଟ କରିଛ ଓ ତାହା କେବେ ପୁନର୍ବାର ନିର୍ମିତ ହେବ ନାହିଁ।

3 ବଳଶାଳୀ ଶକ୍ତିମାନେ ଓ ଜାତିମାନେ ତୁମ୍ଭକୁ ପ୍ରଶଂସା ଓ ସମ୍ମାନ କରିବେ। ଆତଙ୍କିତ ନଗରର ଲୋକମାନେ ଭୟ କରିବେ।

4 ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ, ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ। ବନ୍ୟା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ, ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ୟ ଗୃହ ମଧ୍ୟରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରୟସ୍ଥଳ।

5 ଶୁଷ୍କ ଦେଶରେ ତାପକୁ ଦୂର କଲାପରି ବିଦେଶୀମାନଙ୍କର କୋଳାହଳକୁ ତୁମେ ନିବାରଣ କରିବ। ମେଘରେ ଛାୟା ଯେପରି ଗରମ ଦିନରେ ତାପକୁ କୋମଳ କରେ, ତୁମ୍ଭେ ପରମେଶ୍ୱର ଭୟଙ୍କର ଲୋକମାନଙ୍କର ଗୀତକୁ ବନ୍ଦ କରିବ।


ତାଙ୍କର ସେବକମାନଙ୍କ ପାଇଁ ପରମେଶ୍ୱରଙ୍କ ବଡ଼ ଭୋଜି

6 ସେତେବେଳେ ସର୍ବଶକ୍ତିମାନ ସଦାପ୍ରଭୁ ପର୍ବତ ଉପରେ ତାଙ୍କ ଲୋକମାନଙ୍କ ପାଇଁ ଉତ୍ତମ ଖାଦ୍ୟର ଏକ ଭୋଜି ଦେବେ। ସେହି ଭୋଜିରେ ଉତ୍ତମ ଖାଦ୍ୟର ବିଭିନ୍ନ ପ୍ରକାର, ପାନୀୟ ଦ୍ରାକ୍ଷାରସ କୋମଳ ସ୍ୱାଦଯୁକ୍ତ ମାଂସ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଦ୍ରବ୍ୟ।

7 ସମସ୍ତ ଗୋଷ୍ଠୀମାନଙ୍କ ଉପରେ ଯେଉଁ ଓଢ଼ଣି ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ବସ୍ତୁର ଆବରଣ ରହିଛି ତାକୁ ସବୁ ସଦାପ୍ରଭୁ ଏହି ପର୍ବତରେ “ବିନାଶ” କରିବେ।

8 ମାତ୍ର ଅନନ୍ତକାଳ ପାଇଁ ଦୂରୀଭୂତ ହେବ। ମୋର ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖମଣ୍ଡଳରୁ ଲୋତକ ପୋଛି ଦେବେ। ଅତୀତରେ ଲୋକଙ୍କର ଯେଉଁ ଦୁଃଖ ଥିଲା, ପରମେଶ୍ୱର ସେ ସମସ୍ତ ଦୁଃଖକୁ ପୃଥିବୀରୁ ପୋଛି ଦେବେ। ଏ ସମସ୍ତ ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି।

9 ସେତେବେଳେ ଲୋକେ ଏହି କଥା କହିବେ, “ଏହି ଆମ୍ଭର ପରମେଶ୍ୱର ଯାହାଙ୍କୁ ଆମ୍ଭେମାନେ ବହୁତ ସମୟ ଧରି ଅପେକ୍ଷା କରିଅଛୁ। ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି। ତାହାଙ୍କ ଦୃଢ଼ ପରିତ୍ରାଣରେ ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବୁ, ଯେତେବେଳେ ସେ ଆମ୍ଭକୁ ରକ୍ଷା କରନ୍ତି।”

10 ଏହି ପର୍ବତ ଉପରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହେବ। ମାତ୍ର ଖାତକୁଣ୍ଡରେ କୁଟା ଦଳିତ ହେଲାପରି ମୋୟାବ ନିଜ ସ୍ଥାନରେ ଦଳିତ ହେବ।

11 ଯଦିଓ ସନ୍ତରଣକାରୀ ପରି ହସ୍ତ ପ୍ରସାରଣ କରିବେ ସଦାପ୍ରଭୁ ତାଙ୍କର ହସ୍ତ ବିସ୍ତାର କରିବେ। ଲୋକମାନେ ଯେଉଁ ବିଷୟରେ ଗର୍ବ କରନ୍ତି ଓ ଯାହାସବୁ ତାଙ୍କ ହସ୍ତ ନିର୍ମାଣ କରିଛି, ସେ ସମସ୍ତ ହସ୍ତ ନିର୍ମାଣ କରିଛି, ସେ ସମସ୍ତ ବିଷୟ ତଳକୁ ଆଣି ଦିଏ।

12 ପୁଣି ସଦାପ୍ରଭୁ ଲୋକମାନଙ୍କର ଉଚ୍ଚ ପ୍ରାଚୀର ଓ ନିରାପଦ ସ୍ଥାନ ଗୁଡ଼ିକୁ ନିପାତ କରିବେ ଓ ଭୂମିସାତ୍ କରି ତାକୁ ଧୂଳିରେ ମିଶାଇ ଦେବେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan