Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 24 - ପବିତ୍ର ବାଇବଲ


ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେବେ

1 ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ୱଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ୟ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି।

2 ସେତେବେଳେ ସାଧାରଣ ଲୋକ ଓ ଯାଜକ, ଦାସ ଓ ତାହାର କର୍ତ୍ତା, ଦାସୀ ଓ ତାହାର କର୍ତ୍ତ୍ରୀ, କ୍ରେତା ଓ ବିକ୍ରେତା, ଖାତକ ଓ ମହାଜନ ଏବଂ ସୁଧଗ୍ରାହୀ ଓ ସୁଧଦାତା ସମାନ ହେବେ ଓ ସମାନ ଅବସ୍ଥା ଘଟିବ।

3 ସମସ୍ତ ଲୋକ ପୃଥିବୀରୁ ବିତାଡ଼ିତ ହେବେ ଓ ସେ ସମ୍ପୂର୍ଣ୍ଣ ଭାବରେ ଲୁଣ୍ଠିତ ହେବେ। ଏହା ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି।

4 ପୃଥିବୀ ଶୂନ୍ୟ ହେବ ଓ ଦୁଃଖିତ ହେବ। ସେ ମ୍ଳାନ ଓ ନିସ୍ତେଜ ହେବ, ପୃଥିବୀର ଉଚ୍ଚ ଲୋକମାନେ ଦୁର୍ବଳ ହେବେ।

5 ପୃଥିବୀବାସୀ ପୃଥିବୀକୁ ଅପବିତ୍ର କରିଛନ୍ତି। କାରଣ ସେମାନେ ପରମେଶ୍ୱର ଶିକ୍ଷାସମୂହକୁ ଉଲଙ୍ଘନ କରିଛନ୍ତି। ସେମାନେ ପରମେଶ୍ୱରଙ୍କ ବିଧି ଓ ଚୁକ୍ତିକୁ ପାଳନ କରି ନାହାନ୍ତି। ଅନନ୍ତକାଳସ୍ଥାୟୀ ଚୁକ୍ତିକୁ ଲଙ୍ଘନ କରିଛନ୍ତି।

6 ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସେମାନେ ଅପରାଧୀ, ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେମାନେ ଦଣ୍ଡିତ ହେବେ ଓ ଅଳ୍ପ କେତେକ ବଞ୍ଚି ରହିବେ।

7 ଦ୍ରାକ୍ଷାଲତା ମ୍ଳାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହୋଇଯାଇଛି। ଯେଉଁ ଲୋକମାନଙ୍କର ହୃଦୟ ଖୁସୀଥିଲା ବର୍ତ୍ତମାନ ସେମାନେ ଯନ୍ତ୍ରଣାରେ ଗଁ ଗଁ କରୁଛନ୍ତି।

8 ଲୋକମାନେ ଆନନ୍ଦ ଉଲ୍ଲାସରୁ ନିବୃତ୍ତ ହୋଇଛନ୍ତି। ସମସ୍ତ ଆନନ୍ଦ ଧ୍ୱନି ନୀରବ ହୋଇଛି। ତବଲା ଓ ବୀଣାର ମଧୁର ସଙ୍ଗୀତ ନିବୃତ୍ତ ହୋଇଅଛି।

9 ଲୋକମାନେ ସୁରାପାନ କଲାବେଳେ ଆଉ ଆନନ୍ଦ ସଙ୍ଗୀତ ଗାଉ ନାହାନ୍ତି। ସୁରାପାନ ସେମାନଙ୍କୁ ତିକ୍ତ ବୋଧ ହେଉଅଛି।

10 ସମସ୍ତ ନଗରଟି ଧ୍ୱଂସ ହେଇଅଛି। ସମସ୍ତ ଦ୍ୱାର ରୁଦ୍ଧ। ଲୋକମାନେ ଗୃହରେ ପ୍ରବେଶ କରିପାରୁ ନାହାନ୍ତି। “ସର୍ବତ୍ର ବିଭ୍ରମତା ସୃଷ୍ଟି ହୋଇଛି।”

11 ତଥାପି ଲୋକମାନେ ସଡ଼କରେ ସୁରା ପାଇଁ ଚିତ୍କାର କରୁଛନ୍ତି। କିନ୍ତୁ ସମସ୍ତ ସୁଖ ଗ୍ଭଲି ଯାଇଛି ଓ ଆମୋଦ ଦୂରୀଭୂତ ହୋଇଛି।

12 କେବଳ ନଗରରେ ପ୍ରତ୍ୟେକ ଜାଗାରେ ଧ୍ୱଂସତା ଦେଖାଯାଉଛି। ସମସ୍ତ ଦ୍ୱାର ଭଗ୍ନ ଓ ବିନଷ୍ଟ ହୋଇଛି।

13 ଯେପରି ଜୀତ ବୃକ୍ଷରୁ ଜୀତଫଳ ତୋଳିଲା ପରେ କିଛି ଜୀତଫଳ ରହିଯାଏ ଓ ଦ୍ରାକ୍ଷା ସଂଗ୍ରହକାରୀ କିଛି ଦ୍ରାକ୍ଷାଗଛରେ ଛାଡ଼ି ଯାଇଥାଏ, ସେହିପରି ପୃଥିବୀର ଗୋଷ୍ଠୀମାନଙ୍କ ମଧ୍ୟରେ ଘଟିବ।

14 ଏହି ଅବଶିଷ୍ଟ ପୃଥିବୀବାସୀ ସମୁଦ୍ର ଗର୍ଜନଠାରୁ ଅଧିକ ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କରିବେ। କାରଣ ସଦାପ୍ରଭୁଙ୍କ ମହିମା ହେତୁ ସେମାନେ ଏହା କରିବେ।

15 ସେହି ଲୋକମାନେ କହିବେ, “ହେ ପୂର୍ବ ଦେଶର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ଦୂରଦେଶର ଲୋକମାନେ, ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଗୌରବ ପ୍ରଶଂସା କର।”

16 ଆମ୍ଭେମାନେ ପୃଥିବୀର ସର୍ବତ୍ର ପରମେଶ୍ୱରଙ୍କ ପ୍ରଶଂସା ଶୁଣିବୁ। ଏହି ମହିମା ଗାନ ହେଉଛି ମଙ୍ଗଳମୟ ପରମେଶ୍ୱରଙ୍କ ସମ୍ବନ୍ଧରେ। କିନ୍ତୁ ମୁଁ କହେ, “ମୁଁ କ୍ଷୀଣ ହେଉଅଛି। ମୁଁ ସନ୍ତାପର ପାତ୍ର ବିଶ୍ୱାସଘାତକମାନେ ବିଶ୍ୱାସଘାତକତା କରିଛନ୍ତି। ସେମାନେ ଭୟଙ୍କର ବିଶ୍ୱାସଘାତକତା କରିଛନ୍ତି।”

17 ଏହି ପୃଥିବୀବାସୀଙ୍କ ପାଇଁ ବିପଦ ରହିଛି ବୋଲି ମୁଁ ଦେଖୁଛି। ସେମାନଙ୍କ ପାଇଁ ଭୟ, ଗର୍ତ୍ତ ଓ ଫାନ୍ଦ ରହିଥିବା ମୁଁ ଦେଖୁଛି।

18 ଯେତେବେଳେ ଲୋକମାନେ ଭୟର ଶବ୍ଦ ଶୁଣିବେ ଓ ପଳାୟନ କରିବେ, ସେମାନେ ସେତେବେଳେ ଗର୍ତ୍ତରେ ପଡ଼ିବେ। ସେମାନଙ୍କ ମଧ୍ୟରୁ କେତେକ ଗର୍ତ୍ତରୁ ଉଠି ଉପରକୁ ଆସିଲେ ଫାନ୍ଦରେ ପଡ଼ିବେ।” କାରଣ ଊର୍ଦ୍ଧ୍ୱସ୍ଥ ଝରକାସବୁ ଉନ୍ମୁକ୍ତ ରହିଛି ଏବଂ ପୃଥିବୀର ମୂଳଦୁଆ କମ୍ପିତ ହେଉଅଛି।

19 ପୃଥିବୀ ବିଦୀର୍ଣ୍ଣ ହୋଇ ଖଣ୍ଡ ବିଖଣ୍ଡିତ ହେଉଅଛି, ଏହା ଥରି ବିଚଳିତ ହୋଇ ନଷ୍ଟ ହେଉଅଛି।

20 ପୃଥିବୀର ଅପରାଧ ପାପଭାର ବହୁତ ବଢ଼ି ଯାଇଛି ଓ ସେହି ଭାରରେ ତାହାର ପତନ ଘଟିବ। ପୃଥିବୀ ଗୋଟିଏ ମଦ୍ୟପ ପରି ପଡ଼ିବ ଓ ଗୋଟିଏ କୁଡ଼ିଆ ଘର ପରି ଦୋହଲିବ। ଏହା ଆଉ ତିଷ୍ଠିବ ନାହିଁ।

21 ସେଦିନ ସଦାପ୍ରଭୁ ଊର୍ଦ୍ଧ୍ୱସ୍ଥ ସୈନ୍ୟଙ୍କୁ ସୀମାନ୍ତଙ୍କୁ ଊର୍ଦ୍ଧ୍ୱରେ ଓ ପୃଥିବୀସ୍ଥ ରାଜାମାନଙ୍କୁ ପୃଥିବୀରେ ପ୍ରତିଫଳ ଦେବେ।

22 ବନ୍ଦୀମାନେ କୂପରେ ଏକତ୍ରିତ ହେଲାପରି ସେମାନେ ଏକତ୍ରିତ ହେବେ। ସେମାନଙ୍କ ମଧ୍ୟରୁ କେତେକ ବନ୍ଦୀଗୃହରେ ରୁଦ୍ଧ ହେବେ। ବହୁ ଦିନ ପରେ ସେମାନେ ଦଣ୍ଡିତ ହେବେ।

23 ସେତେବେଳେ ସଦାପ୍ରଭୁ ସିୟୋନ ପର୍ବତ ଉପରେ ଯିରୁଶାଲମରେ ପ୍ରାଚୀନବର୍ଗ ସମ୍ମୁଖରେ ରାଜତ୍ୱ କଲାପରି ଶାସନ କରିବେ। ତାଙ୍କର ଗୌରବ ଏପରି ମହିମାନ୍ୱିତ ହେବ ଯେ ଚନ୍ଦ୍ର ତାର ନିକଟରେ ଅପ୍ରସ୍ତୁତ ହେବେ ଓ ସୂର୍ଯ୍ୟ ଲଜ୍ଜିତ ହେବେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan