Biblia Todo Logo
Bìoball air-loidhne

- Sanasan -

ଆଦି ପୁସ୍ତକ 35 - ପବିତ୍ର ବାଇବଲ


ଯାକୁବ ବୈଥେ‌ଲ୍‌ରେ

1 ପରମେଶ୍ୱର ଯାକୁବଙ୍କୁ କହିଲେ, “ବୈଥେ‌ଲ୍‌କୁ ଯାଅ, ସେଠାରେ ବାସ କର ଏବଂ ସେଠାରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ପାଇଁ ଏକ ଯଜ୍ଞବେଦି ସ୍ଥାପନ କର। ଯିଏ ତୁମ୍ଭ ଭାଇ ଏଷୌଠାରୁ ତୁମ୍ଭର ପଳାୟନ ବେଳେ ଆବିର୍ଭାବ ହୋଇଥିଲେ।”

2 ତେଣୁ ଯାକୁବ ତାଙ୍କର ପରିବାର ଓ ଦାସମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେସବୁ ବିଦେଶୀୟ ଦେବତାଗଣ ଅଛନ୍ତି ସେମାନଙ୍କୁ ଦୂର କର, ନିଜ ନିଜକୁ ଶୁଚି କର ଏବଂ ବସ୍ତ୍ର ପରିବର୍ତ୍ତନ କର।

3 ଆମ୍ଭେମାନେ ଏହି ସ୍ଥାନ ପରିତ୍ୟାଗ କରି ବୈଥେ‌ଲ୍‌କୁ ଯିବା। ମୁଁ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରିବି ଏବଂ ତାହା ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି ଯିଏ ମୋର ଅସୁବିଧା ସମୟରେ ମୋତେ ଦୟା କରିଛନ୍ତି, ଯେଉଁଠାକୁ ମୁଁ ଗଲି ପରମେଶ୍ୱର ମୋ’ ସହିତ ରହି ଆସିଛନ୍ତି।”

4 ତେଣୁ ସମସ୍ତ ଲୋକ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଯାକୁବଙ୍କୁ ଦେଲେ। ସେମାନେ ମଧ୍ୟ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ଯାକୁବଙ୍କୁ ଦେଲେ। ଯାକୁବ ସେଗୁଡ଼ିକ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷମୂଳେ ପୋତି ଦେଲେ।

5 ଯାକୁବ ଏବଂ ତାଙ୍କର ପରିବାର ସେହି ସ୍ଥାନ ପରିତ୍ୟାଗ କଲେ। ସେହି ନଗରର ଚତୁର୍ପାର୍ଶ୍ୱର ଲୋକମାନେ ସେମାନଙ୍କୁ ବହୁତ ଭୟ କରୁଥିଲେ। ସେହି ଯେଉଁ ଲୋକମାନେ ତାଙ୍କର ପୁତ୍ରମାନଙ୍କୁ ଅନୁସରଣ ଏବଂ ହତ୍ୟା କରିବାକୁ ଅପେକ୍ଷା କରିଥିଲେ, ଏଥିରୁ କ୍ଷାନ୍ତ ହେଲେ।

6 ତେଣୁ ଯାକୁବ ଏବଂ ତାଙ୍କର ଲୋକମାନେ ଯାଇ ଲୂ‌ସ୍‌ରେ ପହଞ୍ଚିଲେ। ଲୂସ୍ ଯାହାର ବର୍ତ୍ତମାନର ନାମ ବୈଥେଲ୍। ଏହା କିଣାନ ଦେଶରେ ଅବସ୍ଥିତ।

7 ଯାକୁବ ଯଜ୍ଞବେଦି ନିର୍ମାଣ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ “ଏଲ୍-ବୈଥେଲ୍।” ଯାକୁବ ଏପରି ନାମ ସ୍ଥିର କଲେ କାରଣ ସେହି ସ୍ଥାନରେ ପରମେଶ୍ୱର ତାଙ୍କୁ ପ୍ରଥମେ ଦେଖା ଦେଇଥିଲେ। ଯେତେବେଳେ ସେ ତାଙ୍କ ଭାଇଙ୍କ ନିକଟରୁ ଦୌଡ଼ି ପଳାଉଥିଲେ।

8 ସେହି ସ୍ଥାନରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ୟୁ ହେଲା ଏବଂ ତାକୁ ବୈଥେ‌ଲ୍‌ର ଅଧସ୍ଥିତ ଅଲୋନ ବୃକ୍ଷମୂଳେ କବର ଦିଆଗଲା। ତେଣୁ ସେହି ସ୍ଥାନର ନାମ ଅଲୋନ-ବାଖୁତ୍ ହେଲା।


ଯାକୁବଙ୍କର ନୂତନ ନାମ

9 ଯେତେବେଳେ ଯାକୁବ ପଦ୍ଦନ୍-ଅରାମକୁ ଫେରିଲେ ପରମେଶ୍ୱର ତାଙ୍କୁ ପୁନର୍ବାର ଦେଖା ଦେଲେ। ପରମେଶ୍ୱର ଯାକୁବଙ୍କୁ ଆଶୀର୍ବାଦ କଲେ।

10 ପରମେଶ୍ୱର ଯାକୁବଙ୍କୁ କହିଲେ, “ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସେହି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡକା ଯିବ ନାହିଁ। ତୁମ୍ଭର ନୂତନ ନାମ ଇସ୍ରାଏଲ ହେବ।” ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ।

11 ପରମେଶ୍ୱର ତାଙ୍କୁ କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭର ପରିବାର ବହୁତ ବଡ଼ ହେବ। ତୁମ୍ଭର ପରିବାରରୁ ଅନେକ ଜାତିଗଣ ହେବ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ।

12 ଆମ୍ଭେ ଅବ୍ରହାମ ଓ ଇ‌ସ୍‌ହାକଙ୍କୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭର ‌ଭବିଷ୍ୟ‌ଦ୍‌ ବଂଶଧରକୁ ଦେବା।”

13 ଏହା ପରେ ପରମେଶ୍ୱର ସେହି ସ୍ଥାନ ଛାଡ଼ିଲେ।

14 ଯାକୁବ ସେଠାରେ ଏକ ସ୍ମରଣାର୍ଥକ ପ୍ରସ୍ଥର ସ୍ଥାପନ କଲେ। ଯାକୁବ ସେଠାରେ ପେୟନୈବେଦ୍ୟ ଓ ତୈଳ ଢାଳିଲେ।

15 ସେ ସେହି ସ୍ଥାନର ନାମ ବୈଥେଲ୍ ରଖିଲେ। କାରଣ ଏହି ସ୍ଥାନରେ ପରମେଶ୍ୱର ତାଙ୍କ ସହିତ କଥା ହୋଇଥିଲେ।


ରାହେଲ ଛୁଆ ଜନ୍ମ କରି ମଲେ

16 ଯାକୁବ ଏବଂ ତାଙ୍କର ଦଳ ବୈଥେଲ୍ ଛାଡ଼ିଲେ, ସେମାନେ ଇଫ୍ରାଥାରେ ଉପସ୍ଥିତ ହେବା ପାଇଁ ଅଳ୍ପ ବାଟ ଥିଲା। ରାହେଲର ପ୍ରସବ ବେଦନା ହେଲା ଏବଂ ତା'ର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା।

17 ପ୍ରସବ ବେଦନା ଅତିଶୟ କଷ୍ଟ ହେବାରୁ ଧାତ୍ରୀ ତାହାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ।”

18 ରାହେଲ ପୁତ୍ର ସନ୍ତାନ ଜନ୍ମ ଦେଇ ମଲେ। ମଲା ପୂର୍ବରୁ ରାହେଲ ସେହି ସନ୍ତାନର ନାମ ଦେଇଥିଲେ, ବିନୋନୀ। କିନ୍ତୁ ଯାକୁବ ତାକୁ ଡାକିଲେ ବିନ୍ୟାମିନ୍।

19 ଇଫ୍ରାଥା ଯିବା ପରେ ତାହା ବୈ‌ଥ୍‌ଲେହମ ନିକଟରେ ରାହେଲକୁ କବର ଦିଆଗଲା।

20 ରାହେଲର କବର ସ୍ଥାନରେ ଯାକୁବ ଏକ ସ୍ତମ୍ଭ ସ୍ଥାପନ କଲେ। ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ରାହେଲର କବରକୁ ଚିହ୍ନାଏ।

21 ଏହା ପରେ ଇସ୍ରାଏଲ ସେଠାରୁ ଯାତ୍ରା କଲେ। ସେ ଏଦର ଗଡ଼ ପାର ହୋଇ ତହିଁ ନିକଟରେ ଛାଉଣି ପକାଇଲେ।

22 ଇସ୍ରାଏଲ ଯେତେବେଳେ ସେଠାରେ ରହୁଥିଲେ, ରୁବେନ୍ ଯାଇ ବିଲହା ସହିତ ଶୟନ କଲା। ଯିଏ ଇସ୍ରାଏଲର ଉପପତ୍ନୀ ଥିଲା। ଏହି ବିଷୟରେ ଇସ୍ରାଏଲ ଜାଣିବାକୁ ପାଇଲେ। ଇସ୍ରାଏଲର ବାରଟି ପୁତ୍ର ଥିଲେ।


ଇସ୍ରାଏଲର ପରିବାର

23 ସେମାନଙ୍କ ମଧ୍ୟରେ ରୁବେନ୍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର। ଶିମିୟୋନ, ଲେବୀ, ଯିହୁଦା, ଇଷାଖର ଓ ସବୂଲୂନ ଏମାନେ ଲେୟାର ସନ୍ତାନ।

24 ଯୋଷେଫ୍ ଓ ବିନ୍ୟାମିନ୍ ରାହେଲର ସନ୍ତାନ।

25 ଦାନ ଓ ନପ୍ତାଲି ରାହେଲର ଦାସୀ ବିଲହାର ସନ୍ତାନ।

26 ଗାଦ୍ ଓ ଆଶେର ଲେୟାର ଦାସୀ ସିଳ୍ପାର ପୁତ୍ରଗଣ। ଯାକୁବଙ୍କର ଏହି ସମସ୍ତ ପୁତ୍ର ପଦ୍ଦନ୍ ଅରାମଠାରେ ଜନ୍ମିଥିଲେ।

27 ଏହା ପରେ ସେ କିରିୟଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରହାମ ଓ ଇ‌ସ୍‌ହାକ ପ୍ରବାସ କରିଥିଲେ, ସେହି ସ୍ଥାନରେ ଯାକୁବ ଆପଣା ପିତା ଇ‌ସ୍‌ହାକ ନିକଟରେ ଉପସ୍ଥିତ ହେଲେ।

28 ଇ‌ସ୍‌ହାକ 180 ବର୍ଷ ବଞ୍ଚିଲେ।

29 ଏହା ପରେ ଇ‌ସ୍‌ହାକ ଦୁର୍ବଳ ହୋଇ ମୃତ୍ୟୁବରଣ କଲେ। ଇ‌ସ୍‌ହାକ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲେ ଏବଂ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ। ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କର ପିତାଙ୍କ ନିକଟରେ କବର ଦେଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan