Biblia Todo Logo
Bìoball air-loidhne

- Sanasan -

ଆଦି ପୁସ୍ତକ 13 - ପବିତ୍ର ବାଇବଲ


ଅବ୍ରାମଙ୍କର କିଣାନକୁ ପ୍ରତ୍ୟାବର୍ତ୍ତନ

1 ତେଣୁ ଅବ୍ରାମ ମିଶର ପରିତ୍ୟାଗ କଲେ। ସେ ତାଙ୍କର ସ୍ତ୍ରୀ ଓ ତାଙ୍କର ସବୁ ନିଜର ସମସ୍ତ ଜିନିଷ ଧରି ଲୋଟ ସହିତ ନେଗେଭକୁ ଯାତ୍ରା କଲେ।

2 ଅବ୍ରାମ ପଶୁ ଓ ସୁନାରୂପାରେ ଅତି ଧନବାନ ଥିଲେ।

3 ଅବ୍ରାମ ତାଙ୍କର ଯାତ୍ରା ଗ୍ଭଲୁ ରଖିଥିଲେ। ସେ ଦକ୍ଷିଣରୁ ବୈଥେଲ୍ ଆଡ଼କୁ ଗଲେ। ସେ ବୈଥେଲ୍ ଓ ଅୟର ମଧ୍ୟବର୍ତ୍ତୀ ଯେଉଁ ସ୍ଥାନରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପନ ହୋଇଥିଲା ସେହିଠାକୁ ଗଲେ।

4 ସେହି ସ୍ଥାନରେ ପୂର୍ବରୁ ଅବ୍ରାମ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ। ତେଣୁ ସେଠାରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା କଲେ।


ଅବ୍ରାମ ଓ ଲୋଟଙ୍କର ବିଛିନ୍ନ

5 ସେହି ସମୟରେ ଲୋଟ ମଧ୍ୟ ଅବ୍ରାମଙ୍କ ସହିତ ଯାତ୍ରା କରୁଥିଲେ। ଲୋଟଙ୍କର ମଧ୍ୟ ମେଷ, ପଶୁପଲ ଓ ତମ୍ବୁ ଥିଲା।

6 ଅବ୍ରାମ ଓ ଲୋଟଙ୍କର ବହୁତ ପଶୁ ଓ ତମ୍ବୁମାନ ଥିବାରୁ ସେମାନେ ସେଠାରେ ଆଉ ଏକତ୍ର ବାସ କରିବା ଉପଯୋଗୀ ହେଲା ନାହିଁ।

7 ସେହି ସମୟରେ ସେଠାରେ କିଣାନୀୟ ଓ ପିରିଜୀୟ ଲୋକମାନେ ବାସ କରୁଥିଲେ। ଅବ୍ରାମଙ୍କର ଓ ଲୋଟଙ୍କର ମେଷପାଳକମାନଙ୍କ ମଧ୍ୟରେ ଝଗଡ଼ା ହେଲା।

8 ତେଣୁ ଅବ୍ରାମ ଲୋଟଙ୍କୁ କହିଲେ, “ତୁମ୍ଭ ଆମ୍ଭ ମଧ୍ୟରେ କଳହ ହେବା ଉଚିତ୍ ନୁହେଁ। ତୁମ୍ଭର ଲୋକ ଓ ମୋ’ ଲୋକ ମଧ୍ୟରେ କଳହ ହେବା ଠିକ୍ ନୁହେଁ କାରଣ ଆମ୍ଭେମାନେ ପରସ୍ପର ଭାଇ।

9 ଏହା ଉତ୍ତମ ଯେ, ଆମ୍ଭେ ଅଲଗା ଭାବରେ ବାସ କରିବା ଉଚିତ୍। ତୁମ୍ଭର ଇଚ୍ଛା ଅନୁସାରେ ତୁମ୍ଭେ ସ୍ଥାନ ବାଛ। ତୁମ୍ଭେ ଯଦି ଉତ୍ତରକୁ ଯିବ ତେବେ ମୁଁ ଦକ୍ଷିଣକୁ ଯିବି। ତୁମ୍ଭେ ଯଦି ଦକ୍ଷିଣକୁ ଯିବ ତେବେ ମୁଁ ଉତ୍ତରକୁ ଯିବି।”

10 ଲୋଟ ଯର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସେଠାରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହମୋରାକୁ ଧ୍ୱଂସ କରିବା ପୂର୍ବରୁ ଏହା ଥିଲା। ସେହି ସମୟରେ ଯର୍ଦ୍ଦନ ଉପତ୍ୟକା ସୋୟର ପର୍ଯ୍ୟନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ୟ ଥିଲା।

11 ତେଣୁ ଲୋଟ ଯର୍ଦ୍ଦନ ଉପତ୍ୟକାକୁ ବାଛିଲେ। ଏହି ଦୁଇ ଲୋକ ଅଲଗା ହୋଇଗଲେ ଓ ଲୋଟ ପୂର୍ବଦିଗକୁ ଯାତ୍ରା କଲେ।

12 ଅବ୍ରାମ କିଣାନୀୟଙ୍କ ଦେଶରେ ରହିଲେ ଏବଂ ଲୋଟ ଉପତ୍ୟକା ନଗରୀରେ ବାସ କଲେ। ଲୋଟ ଅଧିକରୁ ଅଧିକ ସଦୋମ ପାଖକୁ ତାଙ୍କର ଛାଉଣିକୁ ନେଇଗଲେ।

13 ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଅତି ପାପିଷ୍ଠ ଥିଲେ।

14 ଲୋଟ ଗଲାପରେ, ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ଚତୁର୍ପାର୍ଶ୍ୱକୁ ଦେଖ, ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ଦେଖ।

15 ଯେଉଁ ସମସ୍ତ ଭୂମି ତୁମ୍ଭ ସମ୍ମୁଖରେ ତୁମ୍ଭେ ଚିରଦିନ ଦେଖୁଛ, ମୁଁ ତାହା ତୁମ୍ଭଙ୍କୁ ଓ ତୁମ୍ଭର ବଂଶଧରଙ୍କୁ ଦେବି।

16 ପୃଥିବୀରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କେହି ପୃଥିବୀର ଧୂଳି ଗଣିପାରେ ତେବେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣି ପାରିବ।

17 ତେଣୁ ତୁମ୍ଭେମାନେ ଯାଅ ଏବଂ ସମସ୍ତ ଦେଶରେ ଭ୍ରମଣ କର। ବର୍ତ୍ତମାନ ମୁଁ ଏହା ତୁମ୍ଭକୁ ଦେଲି।”

18 ତେଣୁ ଅବ୍ରାମ ତାଙ୍କର ତମ୍ବୁକୁ ସ୍ଥାନାନ୍ତର କଲେ। ସେ ହିବ୍ରୋଣ ନିକଟସ୍ଥ ମମ୍ରିର ଅଲୋନବୃକ୍ଷମୂଳକୁ ଯାଇ ସେଠାରେ ବାସ କଲେ। ସେହି ସ୍ଥାନରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା ପାଇଁ, ଗୋଟିଏ ଯଜ୍ଞବେଦି ସ୍ଥାପନ କଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan