Biblia Todo Logo
Bìoball air-loidhne

- Sanasan -

ଯିହିଜିକଲ 8 - ପବିତ୍ର ବାଇବଲ

1 ଅନନ୍ତର ଷଷ୍ଠ ବର୍ଷର ଷଷ୍ଠ ମାସର ପଞ୍ଚମ ଦିନରେ ଆମ୍ଭେ ଆପଣା ଗୃହରେ ବସିଥିଲୁ ଓ ଯିହୁଦାର ପ୍ରାଚୀନମାନେ ଆମ୍ଭ ସମ୍ମୁଖରେ ବସିଥିଲେ। ଏହି ସମୟରେ ମୋର ପ୍ରଭୁ, ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଅଧିଷ୍ଠିତ ହେଲା।

2 ଏବଂ ସେତେବେଳେ ଆମ୍ଭେ ଅଗ୍ନିର ଆଭାତୁଲ୍ୟ ଏକ ମୂର୍ତ୍ତି ଦେଖିଲୁ। ତାଙ୍କର କଟିଦେଶରୁ ତଳ ପର୍ଯ୍ୟନ୍ତ ଅଗ୍ନିମୟ ଥିଲା ଓ କଟିଠାରୁ ଉପର ପର୍ଯ୍ୟନ୍ତ ଉତ୍ତପ୍ତ ଧାତୁ ତୁଲ୍ୟ ଜ୍ୟୋତିର୍ମୟ ଥିଲା।

3 ତା'ପରେ ଆମ୍ଭେ ଦେଖିଲୁ, ସେ ଏକ ହସ୍ତ ପରି ଜଣାଯାଉଥିବା କିଛି ବିସ୍ତାର କରି ମୋର କେଶ ଧରିଲେ। ତା'ପରେ ପବନ ମୋତେ ଉଠାଇ ନେଲା, ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନରେ ରଖି ଦେଲା। ଏବଂ ପରମେଶ୍ୱରଙ୍କର ଦର୍ଶନକ୍ରମେ ଯିରୁଶାଲମର ଭିତର ପ୍ରାଙ୍ଗଣର ଉତ୍ତରାମୁଖୀ ପ୍ରବେଶ ସ୍ଥାନର ଦ୍ୱାର ନିକଟକୁ ମୋତେ ଆଣିଲେ। ସେଠାରେ ଏକ ମୂର୍ତ୍ତି ଥିଲା, ଯାହା ପରମେଶ୍ୱରଙ୍କର କ୍ରୋଧର କାରଣ ହେଲା।

4 ଉପତ୍ୟକାରେ ମୁଁ ଦେଖିଥିବା ଦୃଶ୍ୟ ତୁଲ୍ୟ ସେ ସ୍ଥାନରେ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ବିଦ୍ୟମାନ ଥିଲା।

5 ତହୁଁ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଉତ୍ତର ଦିଗକୁ ଦେଖ।” ତେଣୁ ମୁଁ ନିରୀକ୍ଷଣ କଲି ଏବଂ ଦେଖିଲି ଯେ, ଯଜ୍ଞବେଦି ଫାଟକର ଉତ୍ତର ଦିଗସ୍ଥ ପ୍ରବେଶ ପଥରେ ସେହି ମୂର୍ତ୍ତି ଥିଲା, ଯାହା ପରମେଶ୍ୱରଙ୍କୁ କ୍ରୋଧିତ ଓ ଈର୍ଷାପରାୟଣ କରିଥିଲା।

6 ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦେଖ, ସେମାନେ କ’ଣ କରୁଅଛନ୍ତି? ଆମ୍ଭେ ଯେପରି ଆପଣା ମନ୍ଦିର ଅଗଣାରୁ ଦୂରେଇ ଯିବା ପାଇଁ ଇସ୍ରାଏଲର ଉତ୍ତରାଧିକାରୀଗଣ ଏଠାରେ ମହା ଘୃଣ୍ୟକର୍ମ କରୁଅଛନ୍ତି। ମାତ୍ର ଏହା ପରେ ତୁମ୍ଭେ ପୁନର୍ବାର ଅନ୍ୟ ମହା ଘୃଣ୍ୟକର୍ମ ଦେଖିବ।”

7 ପୁଣି ସେ ମୋତେ ପ୍ରାଙ୍ଗଣର ଦ୍ୱାର ନିକଟକୁ ଆଣିଲେ, ତହିଁରେ ମୁଁ ଦୃଷ୍ଟି କରନ୍ତେ କାନ୍ଥରେ ଗୋଟିଏ ଛିଦ୍ର ଥିବାର ଦେଖିଲି।

8 ତା'ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଏହି କାନ୍ଥକୁ ଖୋଳ।” ତହୁଁ ମୁଁ ସେହି କାନ୍ଥ ଖୋଳିଲି ଓ ଏକ ସୁନ୍ଦର ଦ୍ୱାର ଆବିଷ୍କାର କଲି।

9 ତା'ପରେ ପରମେଶ୍ୱର ମୋତେ କହିଲେ, “ଭିତରକୁ ଯାଅ ଓ ଏଠାରେ ସେମାନେ ଯେଉଁ ଜଘନ୍ୟ ଘୃଣ୍ୟ କର୍ମମାନ କରୁଅଛନ୍ତି ତାହା ଦେଖ।”

10 ତେଣୁ ମୁଁ ଭିତରକୁ ଗଲି, ଚତୁର୍ଦ୍ଦିଗସ୍ଥ କାନ୍ଥରେ ଚିତ୍ରିତ ହୋଇଥିବା ସରୀସୃପମାନଙ୍କ ଏବଂ କୀଟପତଙ୍ଗମାନଙ୍କର, ଘୃଣ୍ୟ ପଶୁମାନଙ୍କର ଓ ଇସ୍ରାଏଲୀୟମାନଙ୍କର ଭୟଙ୍କର ମୂର୍ତ୍ତି ଦେଖିଲି।

11 ପୁଣି ସେ ସବୁର ସମ୍ମୁଖରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହୋଇଅଛନ୍ତି ଓ ସେମାନଙ୍କ ମଧ୍ୟସ୍ଥାନରେ ଶାଫନର ପୁତ୍ର ଯାସନିୟ ଠିଆ ହୋଇଅଛି। ପ୍ରତ୍ୟେକ ଲୋକ ନିଜ ନିଜ ଧୂପଦାନୀ ହସ୍ତରେ ଧରିଛନ୍ତି। ଆଉ ଧୂପରୂପ ଧୂମର ସୁଗନ୍ଧି ଊର୍ଦ୍ଧ୍ୱକୁ ଉଠୁଅଛି।

12 ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ପ୍ରତ୍ୟେକ ନିଜ ନିଜ ପ୍ରତିମା ଗୃହରେ ଅନ୍ଧକାରରେ ଯାହା କରୁଅଛନ୍ତି ତାହା କ’ଣ ତୁମ୍ଭେ ଦେଖି ପାରିବ? କାରଣ ସେମାନେ ଭାବନ୍ତି, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ। ସଦାପ୍ରଭୁ ଦେଶକୁ ତ୍ୟାଗ କରିଛନ୍ତି।’”

13 ସେ ଆହୁରି କହିଲେ, “ତୁମ୍ଭେ ଯଦି ଆମ୍ଭ ସହିତ ଆସିବ ତେବେ ସେମାନଙ୍କର ଆହୁରି ଅନେକ ଜଘନ୍ୟ ଘୃଣ୍ୟ କର୍ମମାନ ଦେଖିବ।”

14 ତା'ପରେ ପରମେଶ୍ୱର ମୋତେ ସଦାପ୍ରଭୁଙ୍କ ମନ୍ଦିରର ଉତ୍ତର ଦିଗସ୍ଥ ଦ୍ୱାରର ପ୍ରବେଶ ସ୍ଥାନ ନିକଟକୁ ନେଲେ। ସେଠାରେ ମୁଁ ଦେଖିଲି ସ୍ତ୍ରୀଲୋକମାନେ ବସି ଭଣ୍ଡ ଦେବତା ତମ୍ମୁଷ ପାଇଁ କ୍ରନ୍ଦନ କରୁଅଛନ୍ତି।

15 ପୁନର୍ବାର ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଏହିସବୁ ଘୃଣ୍ୟ କର୍ମମାନ ଦେଖିଲ। ଏହା ପରେ ଆହୁରି ଏହା ଅପେକ୍ଷା ଅଧିକ ଘୃଣ୍ୟ କର୍ମମାନ ଦେଖିବ।”

16 ତା'ପରେ ସେ ମୋତେ ସଦାପ୍ରଭୁଙ୍କ ମନ୍ଦିରର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ। ସେଠାରେ ମୁଁ ଦେଖିଲି, ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାର ନିକଟରେ, ବାରଣ୍ଡା ଓ ଯଜ୍ଞବେଦିର ମଧ୍ୟସ୍ଥାନରେ ପଚିଶ୍ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ଆଡ଼େ ପିଠି କରି ଓ ପୂର୍ବ ଦିଗଆଡ଼େ ମଥାନତ କରି ସେମାନେ ସୂର୍ଯ୍ୟକୁ ପୂଜା କରୁଥିଲେ।

17 ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଏହିସବୁ ଦେଖିଲ? ଏହିପରି ଘୃଣ୍ୟ କର୍ମମାନ କରିବା କ’ଣ ଯିହୁଦାର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ? ବାସ୍ତବରେ ସେମାନେ ଦେଶକୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କ୍ରୋଧିତ କରି ରଖିଅଛନ୍ତି। ଆଉ ଦେଖ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦେବା ପାଇଁ ସେମାନେ ନାସିକାରେ ନାକଫୁଲ ପିନ୍ଧିଛନ୍ତି।

18 ଏଣୁ ଆମ୍ଭେ ସେମାନଙ୍କ ବିଷୟରେ ଆମ୍ଭର କ୍ରୋଧଭାବ ଦେଖାଇବା। ଆମ୍ଭେ ସେମାନଙ୍କୁ ଅନୁକମ୍ପା କରିବା ନାହିଁ କି ଦୟା ଦେଖାଇବା ନାହିଁ। ଏବଂ ଏପରିକି ଯଦି ସେମାନେ ଆମ୍ଭ କର୍ଣ୍ଣ ପାଖରେ ଉଚ୍ଚ ସ୍ୱରରେ ଡାକନ୍ତି, ତଥାପି ଆମ୍ଭେ ସେମାନଙ୍କ କଥା ଶୁଣିବା ନାହିଁ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan