Biblia Todo Logo
Bìoball air-loidhne

- Sanasan -

ଯିହିଜିକଲ 28 - ପବିତ୍ର ବାଇବଲ


ସୋର ନିଜକୁ ପରମେଶ୍ୱର ମନେ କଲା

1 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “‘ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି, ତୁମ୍ଭେ କହିଅଛ, “ମୁଁ ପରମେଶ୍ୱର ଅଟେ, ମୁଁ ସମୁଦ୍ରମାନଙ୍କ ମଧ୍ୟସ୍ଥାନରେ ପରମେଶ୍ୱରଙ୍କ ଆସନରେ ବସିଅଛି;” “‘ମାତ୍ର ନିଜ ଚିତ୍ତକୁ ଦେବତାଙ୍କ ଚିତ୍ତ ତୁଲ୍ୟ ମନେ କଲେ ମଧ୍ୟ ତୁମ୍ଭେ ପରମେଶ୍ୱର ନୁହଁ, ତୁମ୍ଭେ ମନୁଷ୍ୟ ମାତ୍ର।

3 ଏବଂ ତୁମ୍ଭେ ଭାବୁଛ ଯେ, ତୁମ୍ଭେ ଦାନିୟେଲଠାରୁ ଅଧିକ ଜ୍ଞାନୀ, ସମସ୍ତ ନିଗୂଢ଼ କଥା ଲୋକମାନଙ୍କଠାରୁ ତୁମ୍ଭେ ଜାଣି ପାରିବ।

4 ତୁମ୍ଭେ ଆପଣା ଜ୍ଞାନଦ୍ୱାରା ଓ ଆପଣା ବୁଦ୍ଧିଦ୍ୱାରା ଧନ ପ୍ରାପ୍ତ ହୋଇଅଛ ଓ ଆପଣା ଭଣ୍ଡାରରେ ସୁନା ଓ ରୂପା ସଞ୍ଚୟ କରିଅଛ।

5 ତୁମ୍ଭେ ଆପଣା ମହାଜ୍ଞାନ ଦ୍ୱାରା ଓ ବାଣିଜ୍ୟ ଦ୍ୱାରା ଆପଣାର ଧନ ବଢ଼ାଇ ଅଛ। ଆଉ ତୁମ୍ଭର ଏହି ଧନ ସକାଶେ ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି।

6 “‘ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ହେ ସୋର, ତୁମ୍ଭେ ଆପଣା ଚିତ୍ତକୁ ପରମେଶ୍ୱରଙ୍କ ଚିତ୍ତ ତୁଲ୍ୟ କରିଅଛ।

7 ମୁଁ ତୁମ୍ଭମାନଙ୍କ ବିପକ୍ଷରେ ବିଦେଶୀମାନଙ୍କୁ ଆଣିବି, ବାହାର ଦେଶରୁ ନିର୍ଦ୍ଦୟଲୋକମାନଙ୍କୁ ଆଣିବି। ତେଣୁ ସେମାନେ ତୁମ୍ଭର ସୁନ୍ଦର ବସ୍ତୁ ବିପକ୍ଷରେ ଶତ୍ରୁ ଉତ୍ତୋଳନ କରିବେ ଯାହା ତୁମ୍ଭକୁ ତୁମ୍ଭର ଜ୍ଞାନ ଆଣିଦେଇଥିଲା, ଏବଂ ତୁମ୍ଭର ଶୋଭା ବିଧ୍ୱସ୍ତ ହେବ।

8 ସେମାନେ ତୁମ୍ଭକୁ କବର ଭିତରକୁ ଘେନି ଆସିବେ। ଆଉ ତୁମ୍ଭେ ସମୁଦ୍ରର ମଧ୍ୟସ୍ଥାନରେ ହତ ଲୋକମାନଙ୍କ ମୃତ ତୁଲ୍ୟ ମୃତ୍ୟୁ ଭୋଗ କରିବ।

9 ତୁମ୍ଭେ କ’ଣ ତୁମ୍ଭ ଯାଜକ ସମ୍ମୁଖରେ “ମୁଁ ପରମେଶ୍ୱର” ବୋଲି କହିବ? କିନ୍ତୁ ତୁମ୍ଭେ ନିଜ ଘାତକ ନିକଟରେ ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, ପରମେଶ୍ୱର ନୁହଁ।

10 ତୁମ୍ଭମାନଙ୍କୁ ବିଦେଶୀୟମାନଙ୍କ ଦ୍ୱାରା ହତ୍ୟା କରାଯିବ ଏବଂ ତୁମ୍ଭେମାନେ ଆଗନ୍ତୁକ ପରି ମୃତ୍ୟୁବରଣ କରିବ। ଏହା ମୋର ଆଦେଶ।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

11 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

12 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ରାଜାଙ୍କ ପାଇଁ ସୋରରେ ଏହି ବିଳାପ ସଙ୍ଗୀତ ଗାନ କର ଏବଂ ତାକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି; “‘ତୁମ୍ଭେ ଜଣେ ଆଦର୍ଶ ପୁରୁଷ ଥିଲ ଓ ତୁମ୍ଭେ ଜ୍ଞାନରେ ପରିପୂର୍ଣ୍ଣ ଥିଲ ଏବଂ ତୁମ୍ଭେ ସୌନ୍ଦର୍ଯ୍ୟରେ ପୂର୍ଣ୍ଣତା ଲାଭ କଲ।

13 ତୁମ୍ଭେ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ ଥିଲ। ଚୁଣୀ, ପିତମଣି, ହୀରକ, ବୈଦୁର୍ଯ୍ୟମଣି, ଗୋମେଦକମଣି, ସୂର୍ଯ୍ୟକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମରକତ ଆଦି ଯାବତୀୟ ବହୁମୂଲ୍ୟ ପ୍ରସ୍ତର ସୁବର୍ଣ୍ଣରେ ଖଚିତ ହୋଇଥିଲ। ତୁମ୍ଭେ ସୃଷ୍ଟି ହେବା ଦିନରୁ ସମସ୍ତ ସୌନ୍ଦର୍ଯ୍ୟ ଶିଳ୍ପ ଗ୍ଭତୁରୀରେ ପରିପୂର୍ଣ୍ଣ ଥିଲ।

14 ତୁମ୍ଭେ ଆଚ୍ଛାଦନକାରୀ ଅଭିଷିକ୍ତ କିରୂବ ଥିଲ; ପୁଣି ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କ ପବିତ୍ର ପର୍ବତ ଉପରେ ସ୍ଥାପନ କଲୁ। ତୁମ୍ଭେ ଅଗ୍ନିମୟ ପ୍ରସ୍ତର ସକଳ ମଧ୍ୟରେ ଗମନାଗମନ କଲ।

15 ଯେତେବେଳେ ତୁମ୍ଭେମାନେ ସୃଷ୍ଟି ହେଲେ, ତୁମ୍ଭେମାନେ ନିର୍ଦ୍ଦୋଷ ଥିଲ। କିନ୍ତୁ ପରେ ତୁମ୍ଭେମାନେ ଦୁଷ୍ଟ ହୋଇଗଲ।

16 ତୁମ୍ଭେ ବାଣିଜ୍ୟ କରି ବହୁ ଧନ ସମ୍ପଦ ଆଣିଥିଲ। ମାତ୍ର ସେହି ଧନସମ୍ପଦ ଯୋଗୁଁ ତୁମ୍ଭର ଅଭ୍ୟନ୍ତର ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହେଲା। ଆଉ ତୁମ୍ଭେ ପାପ କଲ। ଏଣୁ ମୁଁ ଅଶୁଚି ବସ୍ତୁ ତୁଲ୍ୟ ତୁମ୍ଭକୁ ପରମେଶ୍ୱରଙ୍କ ପର୍ବତରୁ ପକାଇ ଦେଇଅଛି। ଆଉ ମନୋନୀତ କିରୂବଦୂତ, ମୁଁ ତୁମ୍ଭକୁ ଉନ୍ନତ ପ୍ରସ୍ତରରୁ ବିତାଡ଼ିତ କଲି।

17 ତୁମ୍ଭର ସୌନ୍ଦର୍ଯ୍ୟ ହେତୁ ତୁମ୍ଭେ ଅହଙ୍କାରୀ ହୋଇଅଛ। ତୁମ୍ଭର ଜ୍ଞାନ ତୁମ୍ଭର ମହିମା ଦ୍ୱାରା ଭ୍ରଷ୍ଟ ହୋଇଅଛି। ମୁଁ ତୁମ୍ଭକୁ ଧୂଳିକୁ ଫିଙ୍ଗି ଦେଲି ଯେପରି ରାଜା ତୁମ୍ଭର ଧ୍ୱଂସ ଦେଖିଲେ।

18 ତୁମ୍ଭେ ନିଜର ଅଧର୍ମର ବାହୁଲ୍ୟରେ, ନିଜ ବାଣିଜ୍ୟ ବିଷୟକ ଅନ୍ୟାୟ ଦ୍ୱାରା ନିଜର ପବିତ୍ର ସ୍ଥାନସବୁ ଅପବିତ୍ର କରିଅଛ। ଏଣୁ ମୁଁ ତୁମ୍ଭ ମଧ୍ୟରୁ ଅଗ୍ନି ବାହାର କଲି ଓ ତାହା ତୁମ୍ଭକୁ ଗ୍ରାସ କଲା। ପୁଣି ମୁଁ ସମସ୍ତଙ୍କୁ ଦେଖାଇବା ପାଇଁ ତୁମ୍ଭକୁ ଧୂଳିରେ ପରିଣତ କରିଛି।

19 “‘ସେହିସବୁ ଦେଖ ଯେଉଁମାନେ ତୁମ୍ଭକୁ ଜାଣିଥିଲେ, ସେମାନେ ତୁମ୍ଭଠାରୁ ଆତଙ୍କିତ ହେବେ। ତୁମ୍ଭର ପରିସମାପ୍ତି ଲୋକମାନଙ୍କୁ କମ୍ପିତ କରାଇବ ଏବଂ ତୁମ୍ଭେ କେବେ ପୂର୍ବବସ୍ଥାକୁ ଫେରିବ ନାହିଁ।’”


ସୀଦୋନ ବିରୁଦ୍ଧରେ ବାର୍ତ୍ତା

20 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

21 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୀଦୋନ ଆଡ଼କୁ ମୁହଁ ବୁଲାଇ ତାହା ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର।

22 ଆଉ କୁହ, ‘ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “‘ହେ ସୀଦୋନ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ। ପୁଣି ମୁଁ ତୁମ୍ଭମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବି। ଆଉ ମୁଁ ନଗରକୁ ଦଣ୍ଡିତ ଓ ମୋର ନିଜକୁ ସେଠାରେ ପବିତ୍ର ରୂପେ ଦେଖାଇବି ପରେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।

23 ପୁଣି ମୁଁ ନଗର ମଧ୍ୟକୁ ମହାମାରୀ ଓ ମୃତ୍ୟୁ ପଠାଇବି, ଫଳରେ ବହୁ ଲୋକ ନଗର ମଧ୍ୟରେ ମରିବେ। ନଗରର ପ୍ରାଚୀର ବାହାରେ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ବହୁ ଲୋକ ମୃତ୍ୟୁବରଣ କରିବେ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ଲୋକମାନେ ଜାଣିବେ।


ଦେଶୀୟମାନେ ଇସ୍ରାଏଲକୁ ଉପହାସ କରିବାରୁ ବିରତ ହେବେ

24 “‘ଏବଂ ଇସ୍ରାଏଲ ଦେଶ ଆଉ ପଡ଼ୋଶୀମାନଙ୍କ ଦ୍ୱାରା ବେଷ୍ଟିତ ହେବ ନାହିଁ, ଯେଉଁମାନେ କି ତିକ୍ଷଣ ଛୁରୀ ଓ ମୁନିଆ କଣ୍ଟାବୁଦା ତୁଲ୍ୟ। ଏବଂ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କର ପ୍ରଭୁ ଅଟେ।’”

25 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ଇସ୍ରାଏଲ ବଂଶକୁ ନାନା ଗୋଷ୍ଠୀଗଣ ମଧ୍ୟରେ ଛିନ୍ନଭିନ୍ନ କରିଥିଲି। କିନ୍ତୁ ପୁନର୍ବାର ଯେତେବେଳେ ମୁଁ ସେମାନଙ୍କୁ ଏକତ୍ରିତ କରିବି। ସେତେବେଳେ ମୁଁ ନିଜକୁ ନାନା ଦେଶୀୟମାନଙ୍କ ଦୃଷ୍ଟିରେ ପବିତ୍ର ରୂପେ ଦେଖାଇବି ଏବଂ ମୁଁ ନିଜ ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ସେମାନେ ସେହି ଦେଶରେ ବାସ କରିବେ।

26 ସେମାନେ ତାହା ମଧ୍ୟରେ ନିରାପଦରେ ବାସ କରିବେ। ସେମାନେ ଗୃହ ନିର୍ମାଣ କରିବେ ଓ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବେ। ମୁଁ ତା'ର ଚତୁର୍ଦ୍ଦିଗସ୍ଥିତ ସମସ୍ତ ଦେଶକୁ ଦଣ୍ଡିତ କରିବି ଯେଉଁମାନେ ସେମାନଙ୍କୁ ତିରସ୍କାର କଲେ, ତା'ପରେ ସେମାନେ ନିରାପଦରେ ବାସ କରିବେ, ତହିଁରେ ମୁଁ ଯେ ସଦାପ୍ରଭୁ ଓ ସେମାନଙ୍କର ପରମେଶ୍ୱର ଅଟେ ଏହା ସେମାନେ ଜାଣିବେ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan