ଯିହିଜିକଲ 24 - ପବିତ୍ର ବାଇବଲପାତ୍ର ଓ ମାଂସ 1 ଅନନ୍ତର ନବମ ବର୍ଷର ଦଶମ ମାସର ଦଶମ ଦିନରେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଆଜିର ତାରିଖ ଲେଖି ରଖ। ‘ଏହି ଦିନରେ ବାବିଲର ରାଜା ଯିରୁଶାଲମକୁ ଅବରୋଧ କରିବାକୁ ଅଗ୍ରସର ହେଲା।’ 3 ଏହି ବିଦ୍ରୋହୀ ଲୋକମାନଙ୍କ ବିରୁଦ୍ଧରେ ଗୋଟିଏ ନୀତିଗଳ୍ପ କୁହ। ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “‘ହଣ୍ଡା ନିଆଁରେ ବସାଅ ଓ ତାହା ମଧ୍ୟରେ ପାଣି ଢାଳି ଦିଅ। 4 ଉତ୍ତମ ମାଂସ ଖଣ୍ଡ ସବୁ ଯଥା: ଉରୁ ଓ ସ୍କନ୍ଧ ତହିଁ ମଧ୍ୟରେ ରଖ ଓ ଭଲ ଅସ୍ଥିରେ ତାହା ପୂର୍ଣ୍ଣ କର। 5 ପଲ ମଧ୍ୟରୁ ଏକ ମେଷ ବାଛ। ହଣ୍ଡାତଳ ଜାଳେଣି ଦିଅ। ମାଂସକୁ ଉତ୍ତମରୂପେ ସିଦ୍ଧ କର ଓ ଅସ୍ଥିସବୁ ତହିଁ ମଧ୍ୟରେ ପାକ ହେଉ।’ 6 “‘ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ଯିରୁଶାଲମ, ଏକ ରକ୍ତାକ୍ତ ନଗରୀ। ସେହି ହଣ୍ଡା, ଯାହା ମଧ୍ୟରେ କଳଙ୍କ ରହିଛି ଓ ଯାହାର କଳଙ୍କ ତା’ ମଧ୍ୟରୁ ଦୂର ହୋଇ ନାହିଁ। ପାତ୍ର ମଧ୍ୟରୁ ପ୍ରତ୍ୟେକ ମାଂସ ଖଣ୍ଡ ବାହାର କର। କ’ଣ ଖାଇବାକୁ ହେବ ଓ କ’ଣ ଖାଇବାକୁ ନ ହେବ ସେଥିପାଇଁ ଗୁଲିବାଣ୍ଟ କର ନାହିଁ, ଏହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ୟ କରିଦିଅ। 7 କାରଣ ସେହି ରକ୍ତ ପାତ୍ର ମଧ୍ୟରେ ଅଛି। ଯିରୁଶାଲମ ଏହାକୁ ପଥର ଚଟାଣ ଉପରେ ଢାଳିଲା, ସେ ଧୂଳି ଭୂମିରେ ନୁହେଁ, ଯେଉଁଠାରେ ଧୂଳି ଆଚ୍ଛାଦିତ ହେବ। 8 ସେ ରକ୍ତ ପ୍ରତିଶୋଧ ନେବା ପାଇଁ ଯେପରି ଲୋକମାନଙ୍କର କ୍ରୋଧ ଜାଗ୍ରତ କରିବ, ଏଥିପାଇଁ ତାକୁ ଆଚ୍ଛାଦିତ ନ କରି ଶୁଷ୍କ ତୈଳ ଉପରେ ତାହା ରଖିଅଛୁ। 9 “‘ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ସେହି ରକ୍ତପୂର୍ଣ୍ଣ ନଗରୀ ସହିତ ଏହା ଖରାପ ହେବାକୁ ଯାଉଛି। ମୁଁ ନିଆଁ ପାଇଁ ପ୍ରଚୁର କାଠ ସଜାଇବି। 10 ପାତ୍ର ତଳେ ପ୍ରଚୁର କାଠ ଗଦା କରି ଅଗ୍ନି ସଂଯୋଗ କର। ମାଂସ ଉତ୍ତମ ରୂପେ ସିଦ୍ଧ କର ଓ ମସଲା ମିଶାଅ। ଅସ୍ଥିସବୁ ଦଗ୍ଧ କର। ଯେପର୍ଯ୍ୟନ୍ତ ସେମାନେ ପୋଡ଼ିଯାଇ ନାହାନ୍ତି। 11 ଖାଲି ହଣ୍ଡାକୁ ଜ୍ୱଳନ୍ତ ଅଙ୍କାର ଉପରେ ରଖ। ତହିଁରେ ହଣ୍ଡା ଉତ୍ତପ୍ତ ହେବ ଓ ପିତ୍ତଳ ଉତ୍ତପ୍ତ ଦଗ୍ଧ ହେବ। ତେଣୁ ଅଶୌଚ ତରଳି ଯିବ ଓ କଳଙ୍କ ଉଭେଇଯିବ। 12 “‘ଅତିରିକ୍ତ ‘ମଇଳା’ ଏଥିରୁ ବାହାରି ଆସିବ ନାହିଁ। କେବଳ ଅଗ୍ନି କଳଙ୍କକୁ ପୋଡ଼ିବ। 13 “‘ତୁମ୍ଭର ପାପ ତୁମ୍ଭକୁ ଅଶୌଚ କରେ। ମୁଁ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ। ତେଣୁ ତୁମ୍ଭେ ପୁନର୍ବାର ଶୁଚି ନ ହେଲେ, ମୁଁ ମୋର କ୍ରୋଧ ତୁମ୍ଭ ବିରୁଦ୍ଧରେ ପଠାଇବି। 14 “‘ମୁଁ ସଦାପ୍ରଭୁ ଏହା କହିଅଛି, ଏହା ସିଦ୍ଧ ହେବ ଓ ମୁଁ ଏହା ସାଧନ କରିବି। ମୁଁ ପଛକୁ ଫେରିବି ନାହିଁ କିମ୍ବା ମୁଁ ଦୁଃଖ ପ୍ରକାଶ କରିବି ନାହିଁ। ଆଉ ମୁଁ ଦୟା ମଧ୍ୟ କରିବି ନାହିଁ। ମୁଁ ତୁମ୍ଭର ବିଗ୍ଭର ଓ ଦଣ୍ଡ ତୁମ୍ଭର ଆଚରଣ ଏବଂ କୁକର୍ମ ଅନୁସାରେ କରିବି। ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।’” ଯିହିଜିକଲଙ୍କ ସ୍ତ୍ରୀର ମୃତ୍ୟୁ 15 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 16 “ହେ ମନୁଷ୍ୟ ପୁତ୍ର, ତୁମ୍ଭର ପ୍ରିୟତମା ପତ୍ନୀକୁ ହଠାତ୍ ନେଇଯିବି। ସେ ମରିଯିବ କିନ୍ତୁ ତୁମ୍ଭେ ତା’ ପାଇଁ ଶୋକ କରିବ ନାହିଁ କିମ୍ବା କ୍ରନ୍ଦନ କରିବ ନାହିଁ। ତୁମ୍ଭ ଚକ୍ଷୁରୁ ଲୁହ ନ ପଡ଼ୁ। 17 ଦୁଃଖରେ ଦୀର୍ଘ ନିଶ୍ୱାସ ଛାଡ଼, ମାତ୍ର ଉଚ୍ଚ ସ୍ୱରରେ ନୁହେଁ। ମୃତ ପତ୍ନୀ ପାଇଁ ବିଳାପ କର ନାହିଁ। ସବୁଦିନ ବସ୍ତ୍ର ପରିଧାନ କଲାପରି ବସ୍ତ୍ର ପିନ୍ଧ, ମସ୍ତକରେ ଶିରୋଭୂଷଣ ବାନ୍ଧ, ପାଦରେ ପାଦୁକା ପିନ୍ଧ ଓ ତୁମ୍ଭର ଓଷ୍ଠାଧର ଆଚ୍ଛାଦନ କର ନାହିଁ। ଶୋକକାରୀମାନଙ୍କର ପ୍ରଥାନୁମୋଦିତ ଖାଦ୍ୟ ଖାଅ ନାହିଁ।” 18 ମୁଁ ପ୍ରାତଃକାଳରେ ପରମେଶ୍ୱରଙ୍କ ବାକ୍ୟ ଲୋକମାନଙ୍କୁ କହିଲି। ପୁଣି ସନ୍ଧ୍ୟାବେଳେ ମୋର ପତ୍ନୀ ମଲା। ପରଦିନ ପ୍ରାତଃକାଳରେ ମୁଁ ପରମେଶ୍ୱରଙ୍କ ଆଜ୍ଞାନୁସାରେ କର୍ମ କଲି। 19 ତହୁଁ ଲୋକମାନେ ମୋତେ କହିଲେ, “ଏସବୁ ତୁମ୍ଭେ କାହିଁକି କରୁଅଛ? ଏହାର ଅର୍ଥ ଆମ୍ଭମାନଙ୍କୁ ବୁଝାଇବ କି?” 20 ସେତେବେଳେ ମୁଁ ସେମାନଙ୍କୁ କହିଲି, “ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ ମୋତେ କହିଲେ, 21 ଇସ୍ରାଏଲର ଲୋକମାନଙ୍କୁ କହିବା ପାଇଁ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ମୁଁ ମୋର ଅଗଣାକୁ ଅପବିତ୍ର କରିବା ପାଇଁ ଯାଉଅଛି। ଯାହା ପାଇଁ ତୁମ୍ଭେ ବହୁତ ଗର୍ବ କରୁଛ, ଯାହା ତୁମ୍ଭେ ଦେଖିବା ପାଇଁ ଗ୍ଭହଁ ଏବଂ ଯାହା ତୁମ୍ଭର ଅତି ପ୍ରିୟ। ଏବଂ ତୁମ୍ଭମାନଙ୍କର ଯେଉଁ ପୁତ୍ରକନ୍ୟାଗଣଙ୍କୁ ପଛରେ ଛାଡ଼ି ଯାଇଅଛ, ସେମାନେ ଖଡ଼୍ଗରେ ପତିତ ହେବେ। 22 ତୁମ୍ଭେମାନେ ମଧ୍ୟ ସେହିପରି ଜିନିଷଗୁଡ଼ିକ ମୁଁ କଲାପରି କରିବ, ତୁମ୍ଭେମାନେ ନିଜ ନିଜ ନିଶ ଆଚ୍ଛାଦନ କରିବ ନାହିଁ କିମ୍ବା ଶୋକକାରୀମାନଙ୍କର ପ୍ରଥାନୁମୋଦିତ ଖାଦ୍ୟ ଖାଇବ ନାହିଁ। 23 ଏବଂ ତୁମ୍ଭେମାନେ ତୁମ୍ଭର ମସ୍ତକରେ ଶିରୋଭୂଷଣ ଆଚ୍ଛାଦନ କରିବ, ଜୋତା ପିନ୍ଧିବ। ତୁମ୍ଭେମାନେ ତୁମ୍ଭର ଶୋକ ପ୍ରକାଶ କରିବ ନାହିଁ, କ୍ରନ୍ଦନ କରିବ ନାହିଁ। କିନ୍ତୁ ତୁମ୍ଭେମାନେ ନିଜ ନିଜ ପାପ ଯୋଗୁଁ କ୍ଷୟ ହୋଇଯିବ। ଜଣେ ଅନ୍ୟ ନିକଟରେ ନୀରବରେ ବିଳାପ କରିବ। 24 ଏହିରୂପେ ଯିହିଜିକଲ ତୁମ୍ଭମାନଙ୍କ ପାଇଁ ଏକ ଉଦାହରଣ ଅଟନ୍ତି। ସେ ଯାହାକିଛି କଲେ ତୁମ୍ଭେମାନେ କରିବ। ଏହା ଯେତେବେଳେ ଘଟିବ, ସେତେବେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।’” 25-26 “ହେ ମନୁଷ୍ୟ ପୁତ୍ର, ଯେଉଁ ଦିନ ମୁଁ ସେମାନଙ୍କର ବଳ, ଗୌରବ, ଆନନ୍ଦ ଓ ନୟନର ଖୁସୀ, ସେମାନେ ଭଲ ପାଉଥିବା ସ୍ଥାନ, ସେମାନଙ୍କର ସନ୍ତାନଗଣଙ୍କୁ ସେମାନଙ୍କଠାରୁ ନେଇଯିବି, ସେହି ଦିନ ସେହି ଦୁଃସମ୍ବାଦ ତୁମ୍ଭର କର୍ଣ୍ଣଗୋଚର କରାଇବା ନିମନ୍ତେ ଏକ ଉତ୍ତରାଧିକାରୀ ତୁମ୍ଭ ନିକଟକୁ ଆସିବ। 27 ସେଦିନ ସେହି ଉତ୍ତରାଧିକାରୀ ଲୋକ ନିକଟରେ ତୁମ୍ଭର ମୁଖ ଫିଟିଯିବ ଓ ତୁମ୍ଭେ ଆଉ ନୀରବ ନ ରହି କଥା କହିବ। ଏହିରୂପେ ତୁମ୍ଭେ ସେମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ହେବ ଏବଂ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।” |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International