Biblia Todo Logo
Bìoball air-loidhne

- Sanasan -

ଯାତ୍ରା ପୁସ୍ତକ 11 - ପବିତ୍ର ବାଇବଲ


ପ୍ରଥମଜାତ ସନ୍ତାନମାନଙ୍କର ମୃତ୍ୟୁ

1 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଆଉ ଏକ ଉତ୍ପାତ ମିଶର ଓ ଫାରୋଙ୍କ ବିରୁଦ୍ଧରେ ଆଣିବା। ଏହା ପରେ ସେ ତୁମ୍ଭକୁ ମିଶରରୁ ବାହାର କରିଦେବ। ଏପରିକି ସେ ତୁମ୍ଭକୁ ବଳପୂର୍ବକ ମିଶରରୁ ତଡ଼ି ଦେବ।

2 ତୁମ୍ଭେ ଏହି ବାର୍ତ୍ତା ଇସ୍ରାଏଲୀୟମାନଙ୍କୁ ଦିଅ। ‘ପ୍ରତ୍ୟେକ ପୁରୁଷ ଆପଣା ପ୍ରତିବାସୀଠାରୁ ଏବଂ ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀଠାରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ମାଗି ନିଅନ୍ତୁ।

3 ସଦାପ୍ରଭୁ ମିଶରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହ ପାତ୍ର କଲେ। ପୁଣି ମିଶର ଦେଶର ଅଧିକାରୀମାନଙ୍କ ଆଗରେ ଓ ମିଶରର ଲୋକମାନଙ୍କ ଆଗରେ ମୋଶା ଅତି ମହାନ୍ ଲୋକ ହେଲେ।’”

4 ମୋଶା ଲୋକମାନଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଦୁଇପ୍ରହର ରାତ୍ରିରେ ମୁଁ ଆଜି ମିଶର ମଧ୍ୟଦେଇ ଗମନ କରିବି।

5 ଏବଂ ମିଶରର ସମସ୍ତ ପ୍ରଥମଜାତ ସନ୍ତାନ ମରିବେ ଏପରିକି ଫାରୋଙ୍କର ପ୍ରଥମଜାତ ପୁତ୍ର, ଚକିପେଷଣକାରୀ ଦାସମାନଙ୍କର ପ୍ରଥମଜାତ ପୁତ୍ର ଓ ସମସ୍ତ ପଶୁମାନଙ୍କର ପ୍ରଥମଜାତମାନେ ମଧ୍ୟ ମରିବେ।

6 ମିଶରରେ ଏକ ମହାରୋଦନ ହେବ। ଯାହା ପୂର୍ବେ ହୋଇ ନାହିଁ କି କେବେ ହେବ ନାହିଁ।

7 କିନ୍ତୁ ଏପରି କୌଣସି ଇସ୍ରାଏଲୀୟମାନଙ୍କର ହେବ ନାହିଁ। ଏପରିକି ଇସ୍ରାଏଲର ଏକ କୁକୁର କୌଣସି ବ୍ୟକ୍ତି ବା ପଶୁକୁ ଭୁକିବ ନାହିଁ। ଏହିପରି କେହି ଇସ୍ରାଏଲୀୟ ମରିବେ ନାହିଁ।’ ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ଓ ମିଶରୀୟମାନଙ୍କୁ ଭିନ୍ନ ଭାବରେ ବ୍ୟବହାର କରୁଛନ୍ତି।

8 ଏହା ପରେ ତୁମ୍ଭମାନଙ୍କର ସମସ୍ତ ଅଧିକାରୀଗଣ ମୋ’ ନିକଟକୁ ଆସିବେ ଏବଂ ମୋ’ ଆଗରେ ମଥାନତ କରିବେ। ସେମାନେ କହିବେ, ‘ସମସ୍ତ ଲୋକମାନଙ୍କ ସହିତ ବାହାରି ଯାଅ।’ ଏହା ପରେ ମୁଁ ଯିବି।” ତା'ପରେ କ୍ରୋଧରେ ମୋଶା ଫାରୋଙ୍କୁ ପରିତ୍ୟାଗ କଲେ।

9 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, “ଫାରୋ ତୁମ୍ଭର କଥା ଶୁଣିବେ ନାହିଁ, ସେଥିପାଇଁ ମୁଁ ମିଶରରେ ଆହୁରି ବହୁତ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇ ପାରିବି।”

10 ମୋଶା ଏବଂ ହାରୋଣ, ଫାରୋଙ୍କ ଆଗରେ ଏହିସବୁ ଅ‌ଦ୍‌ଭୂତ କର୍ମମାନ କଲେ, କିନ୍ତୁ ସଦାପ୍ରଭୁ ଫାରୋଙ୍କୁ କଠୋର କଲେ, ତେଣୁ ସେ ଇସ୍ରାଏଲୀୟମାନଙ୍କୁ ତାଙ୍କର ଦେଶ ଛାଡ଼ି ଯିବା ପାଇଁ ଅନୁମତି ଦେଲେ ନାହିଁ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan