Biblia Todo Logo
Bìoball air-loidhne

- Sanasan -

ଦ୍ଵିତୀୟ ବିବରଣ 34 - ପବିତ୍ର ବାଇବଲ


ମୋଶାଙ୍କର ମୃତ୍ୟୁ

1 ମୋଶା ନବୋ ପର୍ବତ ଉପରକୁ ଚଢ଼ିଲେ। ମୋୟାବର ପାଦ ଦେଶରୁ ପି‌ସ୍‌ଗା ପର୍ବତର ଶିର୍ଷ ପର୍ଯ୍ୟନ୍ତ ଆରୋହଣ କଲେ, ଯାହା ଯିରୀହୋ ସମ୍ମୁଖରେ ଥିଲା। ସଦାପ୍ରଭୁ ମୋଶାଙ୍କୁ ଗିଲିୟଦରୁ ଦାନ୍ ପର୍ଯ୍ୟନ୍ତ ସମସ୍ତ ଦେଶ ତାଙ୍କୁ ଦେଖାଇଲେ।

2 ସଦାପ୍ରଭୁ ତାଙ୍କୁ ନପ୍ତାଲିଙ୍କର ସମସ୍ତ ଭୂମି ଇଫ୍ରୟିମ ଏବଂ ମନଃଶିଙ୍କର ସମସ୍ତ ଭୂମି ଦେଖାଇଲେ। ସେ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ଯିହୁଦାର ସମସ୍ତ ଦେଶ ତାଙ୍କୁ ଦେଖାଇଲେ।

3 ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ।

4 ପୁଣି ସଦାପ୍ରଭୁ ତାହାଙ୍କୁ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି, ଯେଉଁ ଦେଶ ବିଷୟରେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ନିକଟରେ ଶପଥ କରିଥିଲୁ, ସେହି ଦେଶମାନ ଏହି। ‘ଆମ୍ଭେ ତାହା ତୁମ୍ଭକୁ ସ୍ୱଚକ୍ଷୁରେ ଦେଖାଇଲୁ। ମାତ୍ର ତୁମ୍ଭେ ଯର୍ଦ୍ଦନ ପାର ହୋଇ ସେଠାକୁ ଯିବ ନାହିଁ।‌’”

5 ତେଣୁ ସଦାପ୍ରଭୁଙ୍କର ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ।

6 ସଦାପ୍ରଭୁ ମୋୟାବ ଦେଶରେ ବୈ‌‌‌ତ୍‌‌‌ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାହାଙ୍କୁ କରବ ଦେଲେ। ମାତ୍ର ତାଙ୍କର କବର ସ୍ଥାନ ଆଜି ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି।

7 ମୋଶା ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳେ ତାଙ୍କୁ 120 ବର୍ଷ ବୟସ ହୋଇଥିଲା। ସେ ସେତେବେଳେ ତାଙ୍କର ଶକ୍ତି ହରାଇ ନ ଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା।

8 ଇସ୍ରାଏଲ ଲୋକମାନେ ମୋଶାଙ୍କ ପାଇଁ ତିରିଶ୍ ଦିନ ଧରି କାନ୍ଦିଲେ। ସେମାନେ ତାଙ୍କର ସମସ୍ତ ଦୁଃଖଦ ଦିନସବୁ ମୋୟାବର ସମତଳ ଭୂମିରେ କଟାଇଲେ।


ଯିହୋଶୂୟ ନୂତନ ନେତା ହେଲେ

9 ସେ ମଲା ପୂର୍ବରୁ ମୋଶା ଯିହୋଶୂୟଙ୍କର ମସ୍ତକରେ ହାତ ରଖିଲେ ଏବଂ ତାଙ୍କୁ ନୂଆ ପ୍ରତିନିଧି ରୂପେ ନିଯୁକ୍ତି କଲେ। ଏବଂ ସେ ତାଙ୍କୁ ନୂତନ ନେତାରୂପେ ନିଯୁକ୍ତି କଲେ। ଏହା ପରେ ନୂନର ପୁତ୍ର ଯିହୋଶୂୟ ଜ୍ଞାନ ଦାୟକ ଆତ୍ମାରେ ପରିପୂର୍ଣ୍ଣ ହେଲେ। ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଯିହୋଶୂୟଙ୍କ କଥା ଶୁଣିଲେ, ଯେପରି ସେମାନେ ମୋଶାଙ୍କ କଥା ଶୁଣିଥିଲେ ଓ ସେହି ଅନୁସାରେ କାର୍ଯ୍ୟ କରୁଥିଲେ।

10 ଇସ୍ରାଏଲ ଆଉ ଏପରି ଭବିଷ୍ୟ‌ଦ୍‌ବକ୍ତା ଦେଖି ନ ଥିଲେ। ଯିଏକି ସଦାପ୍ରଭୁଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ ଓ ସଦାପ୍ରଭୁଙ୍କ ସହିତ ମୁହାଁମୁହିଁ କଥା ହୋଇଥିଲେ।

11 ସଦାପ୍ରଭୁ ମୋଶାଙ୍କୁ ମିଶରରେ ମହାନ ଆଶ୍ଚର୍ଯ୍ୟ କର୍ମମାନ କରିବାକୁ ପଠାଇଲେ। ଫାରୋ, ତାଙ୍କର ସମସ୍ତ ଦାସ ଏବଂ ମିଶରର ସମସ୍ତ ଲୋକ ସେହିସବୁ ଆଶ୍ଚର୍ଯ୍ୟ କର୍ମମାନ ଦେଖିଲେ।

12 କୌଣସି ଭବିଷ୍ୟ‌ଦ୍‌ବକ୍ତା ଆଜି ପର୍ଯ୍ୟନ୍ତ ଏପରି ମହା ଆଶ୍ଚର୍ଯ୍ୟ କର୍ମମାନ କରି ନାହାନ୍ତି ଯାହା ମୋଶା କରି ଦେଖାଇଛନ୍ତି। ମୋଶାଙ୍କ ଦ୍ୱାରା ହୋଇଥିବା ସେହି ସମସ୍ତ ଆଶ୍ଚର୍ଯ୍ୟ କର୍ମମାନ ସମସ୍ତ ଇସ୍ରାଏଲ ଲୋକ ଦେଖିଛନ୍ତି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan