Biblia Todo Logo
Bìoball air-loidhne

- Sanasan -

2 ରାଜାବଳୀ 24 - ପବିତ୍ର ବାଇବଲ


ନବୂଖ‌ଦ୍‌ନିତ୍ସରଙ୍କ ଯିହୁଦା ଆଗମନ

1 ଯିହୋୟାକୀ‌ମ୍‌ର ରାଜତ୍ୱ କାଳରେ, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିହୁଦା ଓ ଯିହୋୟାକୀ‌ମଙ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା'ପରେ ସେ ତାଙ୍କୁ ଅମାନ୍ୟ କରି ତାଙ୍କର ବିଦ୍ରୋହୀ ହେଲେ।

2 ତେଣୁ ସଦାପ୍ରଭୁ ଯିହୋୟାକୀ‌ମଙ୍କ ବିରୁଦ୍ଧରେ କ‌ଲ୍‌‌‌ଦୀୟ ସୈନ୍ୟଦଳ, ଅରାମୀୟ ସୈନ୍ୟଦଳ, ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ-ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଦ୍ୱାରା ଯାହା କହିଥିଲେ, ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତା’ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।

3 ମନଃଶିର ପାପ କର୍ମ ଯୋଗୁଁ ସଦାପ୍ରଭୁ ଯିହୁଦାରେ ଏହି ଘଟଣାସବୁ ଘଟିବାକୁ ଦେଲେ। ଏହିରୂପେ ସଦାପ୍ରଭୁ ସେମାନଙ୍କୁ ତାଙ୍କ ଦୃଷ୍ଟିରୁ ଦୂରେଇ ଦେଲେ।

4 କାରଣ ମନଃଶି ବହୁ ନିରୀହ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟାକରି ସେମାନଙ୍କ ରକ୍ତରେ ଯିରୁଶାଲମକୁ ପରିପୂର୍ଣ୍ଣ କଲା। ତେଣୁ ସଦାପ୍ରଭୁ ତାଙ୍କୁ ସେହି ପାପ ପାଇଁ କ୍ଷମା କରିବେ ନାହିଁ।

5 ଏହି ଯିହୋୟାକୀ‌ମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି।

6 ଯିହୋୟାକୀ‌ମଙ୍କ ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ରାଜ୍ୟ କଲେ।

7 ବାବିଲର ରାଜା ମିଶରର ନଦୀଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ମଧ୍ୟବର୍ତ୍ତି ସମସ୍ତ ଦେଶ ଅଧିକାର କଲେ। ଏହି ଦେଶ ପୂର୍ବରୁ ମିଶର ଅଧୀନରେ ଥିଲା। ତେଣୁ ମିଶରର ରାଜା ପୂନର୍ବାର ମିଶର ଛାଡ଼ି ଆସିଲେ ନାହିଁ।


ନବୂଖ‌ଦ୍‌ନିତ୍ସରଙ୍କ ଯିରୁଶାଲମ ଅଧିକାର

8 ଯିହୋୟାଖୀନ୍ ଅଷ୍ଟାଦଶ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ। ସେ ଯିରୁଶାଲମରେ ମାତ୍ର ତିନି ମାସ ରାଜତ୍ୱ କଲେ। ତାଙ୍କ ମାତାଙ୍କ ନାମ ନହୁଷ୍ଟା ଓ ସେ ଯିରୁଶାଲମ ନିବାସୀ ଇ‌ଲ୍‌‌‌ନାଥ‌ନ୍‌ର କନ୍ୟା।

9 ଯିହୋୟାଖୀନ୍ ତାଙ୍କ ପିତାଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମମାନ କଲେ।

10 ସେହି ସମୟରେ ନବୂଖ‌ଦ୍‌ନିତ୍ସରଙ୍କ ଅଧିକାରୀମାନେ ଯିରୁଶାଲମକୁ ଆସି ତାଙ୍କୁ ଅବରୋଧ କଲେ।

11 ତା'ପରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଅବରୋଧ ହୋଇଥିବା ନଗରରେ ତାଙ୍କର ଅଧିକାରୀମାନଙ୍କ ଦ୍ୱାରା ଉପସ୍ଥିତ ହେଲେ।

12 ତେଣୁ ଯିହୁଦାର ରାଜା ଯିହୋୟାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜାଙ୍କୁ ଭେଟିବାକୁ ଗଲେ। ମାତ୍ର ବାବିଲର ରାଜା ଯିହୋୟାଖୀ‌‌ନଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖ‌ଦ୍‌ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ୱ କାଳରେ ଘଟିଥିଲା।

13 ନବୂଖ‌ଦ୍‌ନିତ୍ସର ରାଜପ୍ରାସାଦରୁ ଏବଂ ଯିରୁଶାଲମର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନେଇଗଲେ। ସେ ରାଜା ଶଲୋମନଙ୍କ ଦ୍ୱାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ୱର୍ଣ୍ଣମୟ ପାତ୍ରଗୁଡ଼ିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।

14 ଆଉ ସେ ଯିରୁଶାଲମର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନେଇଗଲେ କେବଳ ଦେଶରେ ନିତାନ୍ତ ଦରିଦ୍ର ଲୋକ ଛଡ଼ା ଆଉ ଅବଶିଷ୍ଟ କେହି ରହିଲେ ନାହିଁ।

15 ପୁଣି ନବୂଖ‌ଦ୍‌ନିତ୍ସର ଯିହୋୟାଖୀ‌ନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନପୁଂସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କରି ଯିରୁଶାଲମରୁ ବାବିଲକୁ ନେଇ ଗଲେ।

16 ଆଉ ମଧ୍ୟ ସେ 7,000 ବଳବାନ ସୈନିକ ଓ 1,000 ଶିଳ୍ପୀ ଓ କର୍ମଗ୍ଭରୀମାନଙ୍କୁ ବନ୍ଦୀ କରି ଯିରୁଶାଲମରୁ ନେଇଗଲା। ଏମାନେ ସମସ୍ତେ ତାଲିମପ୍ରାପ୍ତ ସୈନିକ ଥିଲେ ଓ ଯୁଦ୍ଧ ଯୋଗ୍ୟ ଥିଲେ।


ରାଜା ସିଦିକିୟ

17 ପୁଣି ବାବିଲର ରାଜା ଯିହୋୟାଖୀ‌ନ୍‌ର ମାମୁଁ ମତ୍ତନିୟଙ୍କୁ ତାଙ୍କ ପଦରେ ରାଜା କଲେ ଓ ତାଙ୍କ ନାମ ବଦଳାଇ ସିଦିକିୟ ରଖିଲେ।

18 ସିଦିକିୟ ଶାସନ କଲା ବେଳକୁ ତାଙ୍କୁ ଏକୋଇଶ ବର୍ଷ ହୋଇଥିଲା। ସେ ଏଗାର ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। ତାଙ୍କ ମାତାଙ୍କ ନାମ ହମୂଟଲ ଓ ସେ ଲି‌ବ୍‌ନା ନିବାସୀ ଯିରିମିୟର କନ୍ୟା ଥିଲେ।

19 ସିଦିକିୟ ଯିହୋୟାଖୀ‌ନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମମାନ କଲେ।

20 ସଦାପ୍ରଭୁ ଯିରୁଶାଲମ ଓ ଯିହୁଦା ପ୍ରତି ଏତେ କ୍ରୋଧାନ୍ୱିତ ହେଲେ ଯେ ସେ ସେମାନଙ୍କୁ ଆପଣା ଛାମୁରୁ ଦୂରେଇ ଦେଲେ। ସିଦିକିୟ ବାବିଲ ରାଜାଙ୍କ ଶାସନ ବିରୁଦ୍ଧରେ ବିଦ୍ରୋହୀ କଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan