2 ବଂଶାବଳୀ 3 - ପବିତ୍ର ବାଇବଲଶଲୋମନ ମନ୍ଦିର ନିର୍ମାଣ କରନ୍ତି 1 ଯିରୁଶାଲମର ମୋରିୟା ପର୍ବତ ଉପରେ ଶଲୋମନ ସଦାପ୍ରଭୁଙ୍କର ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ଏହି ମୋରିୟା ପର୍ବତ ଉପରେ ସଦାପ୍ରଭୁ ଶଲୋମନଙ୍କ ବାପା ଦାଉଦଙ୍କ ନିକଟରେ ଆବିର୍ଭାବ ହୋଇଥିଲେ। ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ଶଲୋମନ ସେହି ସ୍ଥାନ ଉପରେ ମନ୍ଦିର ନିର୍ମାଣ କଲେ। ସେହି ସ୍ଥାନଟି ଯିବୂଷୀୟ ଅରୁଣାହଃ ଗହମ ଦଳନ ସ୍ଥାନ ଥିଲା। 2 ଶଲୋମନଙ୍କର ରାଜତ୍ୱର ଚତୁର୍ଥ ବର୍ଷର ଦ୍ୱିତୀୟ ମାସରେ ସେ କାର୍ଯ୍ୟ ଆରମ୍ଭ କଲେ। 3 ପରମେଶ୍ୱରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ନିମନ୍ତେ ଶଲୋମନ ଏହି ପ୍ରକାରର ମାପ ବ୍ୟବହାର କରିଥିଲେ। ଭିତ୍ତିମୂଳ ଷାଠିଏ ହାତ ଲମ୍ବ ଓ କୋଡ଼ିଏ ହାତ ପ୍ରସ୍ଥ ଥିଲା। ଶଲୋମନ ମନ୍ଦିରର ମାପ ନେଲାବେଳକୁ ପୁରୁଣା ମାପର ବ୍ୟବହାର କରିଥିଲେ। 4 ମନ୍ଦିରର ସମ୍ମୁଖ ଭାଗ ଅଗଣା କୋଡ଼ିଏ ହାତ ମନ୍ଦିର ସହିତ ସମାନ ପ୍ରସ୍ଥ ଥିଲା ଓ 120 ହାତ ଉଚ୍ଚତା ବିଶିଷ୍ଟ ଥିଲା। ଏହି ଅଗଣାର ସମ୍ମୁଖ ଭାଗର ଭିତର ଅଂଶକୁ ଶଲୋମନ ଶୁଦ୍ଧ ସୁବର୍ଣ୍ଣରେ ଢାଙ୍କି ଥିଲେ। 5 ବଡ଼ କୋଠରୀର କାନ୍ଥରେ ଶଲୋମନ ଦେବଦାରୁ କାଠର ଆସ୍ତରଣ ଦେଇ ତା’ ଉପରେ ଶୁଦ୍ଧ ସୁବର୍ଣ୍ଣ ଆଚ୍ଛାଦନ କଲେ। ଏବଂ ସେଥିରେ ଖଜୁରୀ ଗଛ ଓ ଜଞ୍ଜିରର ଛବି ଦେଲେ। 6 ସୌନ୍ଦର୍ଯ୍ୟତା ନିମନ୍ତେ ମନ୍ଦିରରେ ଶଲୋମନ ଦାମୀ ପଥରସବୁ ଲଗାଇଲେ। ଶଲୋମନ ଯେଉଁ ସୁନା ବ୍ୟବହାର କରୁଥିଲେ, ସେଗୁଡ଼ିକ ପର୍ବୟିମ ଦେଶରୁ ଆସିଥିଲା। 7 କଡ଼ିକାଠ, ଚୌକାଠ, କାନ୍ଥ ଓ ଦ୍ୱାରସବୁ ଶଲୋମନ ସୁବର୍ଣ୍ଣରେ ଆଚ୍ଛାଦନ କଲେ। କାନ୍ଥରେ କିରୁବଦୂତଗଣଙ୍କର ଛବି ଶଲୋମନ ଖୋଦାଇଲେ। 8 ଏହା ପରେ ଶଲୋମନ ମହାପବିତ୍ର ସ୍ଥାନ ନିର୍ମାଣ କଲେ। ଏହା ମହାପବିତ୍ର ସ୍ଥଳର ଦୈର୍ଘ୍ୟ କୋଡ଼ିଏ ହାତ ଏବଂ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଏହି ସ୍ଥାନ ମନ୍ଦିରର ଅବଶିଷ୍ଟ ସ୍ଥାନ ଭଳି ଥିଲା। ଏହି ମହାପବିତ୍ର ସ୍ଥଳର କାନ୍ଥରେ ଶଲୋମନ ଶୁଦ୍ଧ ସୁବର୍ଣ୍ଣ ମଡ଼ାଇଲେ। ଏହି ସୁନାର ଓଜନ 20,580 କିଲୋଗ୍ରାମରୁ ଅଧିକ ଥିଲା। 9 ସ୍ୱର୍ଣ୍ଣ କଣ୍ଟକର ଓଜନ 575 ଗ୍ରାମ ଥିଲା। ଶଲୋମନ ଉପରିସ୍ଥ କୋଠରୀଗୁଡ଼ିକୁ ମଧ୍ୟ ସୁନାରେ ଆଚ୍ଛାଦନ କଲେ। 10 ଶଲୋମନ ମହାପବିତ୍ର ସ୍ଥାନରେ ସ୍ଥାପନ କରିବା ନିମନ୍ତେ ଦୁଇଟି କିରୂବ ମୂର୍ତ୍ତି ନିର୍ମାଣ କଲେ। କାରିଗରମାନେ ଏହି କିରୁବଦୂତଗଣଙ୍କର ମୂର୍ତ୍ତିଗୁଡ଼ିକୁ ସୁନାରେ ଆଚ୍ଛାଦନ କଲେ। 11 ଏହି କିରୁବଦୂତଗଣଙ୍କ ଡେଣା ପାଞ୍ଚ ହାତ ଲମ୍ବ ଥିଲା। ଡେଣାମାନଙ୍କର ସମ୍ପୂର୍ଣ୍ଣ ଲମ୍ବ କୋଡ଼ିଏ ହାତ ଥିଲା। ପ୍ରଥମ କିରୂବ ଦୂତଗଣର ଗୋଟିଏ ଡେଣା କୋଠରୀର ଏକ ପାଖ କାନ୍ଥକୁ ସ୍ପର୍ଶ କରୁଥିଲା। ଯେଉଁଟା କି ପାଞ୍ଚ ହାତ ଦୂରରେ ଥିଲା। 12 ଦ୍ୱିତୀୟ କିରୁବଦୂତଗଣର ଗୋଟିଏ ଡେଣା କୋଠରୀର ଆର ପାର୍ଶ୍ୱର କାନ୍ଥକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂରରେ ଥିଲା। ଦ୍ୱିତୀୟ କିରୁବଦୂତଗଣର ଅନ୍ୟ ଡେଣାଟି ପ୍ରଥମ କିରୁବଦୂତଗଣର ଗୋଟିଏ ଡେଣାକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂରରେ ଥିଲା। 13 ଏହି କିରୁବଦୂତଗଣଙ୍କର ଡେଣା ମୋଟରେ କୋଡ଼ିଏ ହାତ ସ୍ଥାନ ଆଚ୍ଛାଦନ କରୁଥିଲା। ଏହି କିରୁବଦୂତଗଣ ମନ୍ଦିର ଆଡ଼କୁ ମୁହଁକରି ଛିଡ଼ା ହୋଇଥିଲେ। 14 ଶଲୋମନ ନୀଳ, ବାଇବଗଣୀ, ଏବଂ ଲାଲ୍ ରଙ୍ଗର ଦାମୀ ବସ୍ତ୍ର ବ୍ୟବହାର କରି ପରଦା ବନାଇଲେ। ଏହି ପରଦା ଉପରେ ଶଲୋମନ କିରୁବଦୂତଗଣର ଆକୃତି ବୁଣିଲେ। 15 ଶଲୋମନ ମନ୍ଦିରର ସମ୍ମୁଖରେ ଦୁଇଟି ସ୍ତମ୍ଭ ରଖିଲେ। ଏହି ସ୍ତମ୍ଭ ପଞ୍ଚତିରିଶ୍ ହାତ ଉଚ୍ଚ ଥିଲା। ଏହି ସ୍ତମ୍ଭ ଦୁଇଟିର ଅଗ୍ରଭାଗ ପାଞ୍ଚ ହାତରୁ ଟିକେ ଅଧିକ ଲମ୍ବ ଥିଲା। 16 ଶଲୋମନ ହାର ପରି ଜଞ୍ଜିର ବନାଇଲେ। ଏହି ଜଞ୍ଜିରକୁ ସ୍ତମ୍ଭ ଦୁଇଟିର ଉପରି ଭାଗରେ ରଖିଲେ। ଶଲୋମନ 100ଟି ଡାଳିମ୍ବ ଆକୃତି ଚିତ୍ର ବନାଇଲେ ଏବଂ ସେଗୁଡ଼ିକୁ ଜଞ୍ଜିରରେ ଲଗାଇଲେ। 17 ଏହା ପରେ ଶଲୋମନ ମନ୍ଦିର ସମ୍ମୁଖରେ ସ୍ତମ୍ଭ ଦୁଇଟିକୁ ଛିଡ଼ା କରାଇଲେ। ଗୋଟିଏ ସ୍ତମ୍ଭ ବାମ ପାର୍ଶ୍ୱରେ ଓ ଅନ୍ୟଟି ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହେଲା। ଦକ୍ଷିଣ ପାର୍ଶ୍ୱରେ ଥିବା ସ୍ତମ୍ଭର ନାମ ଶଲୋମନ “ଯାଖୀନ୍” ରଖିଲେ। ଏବଂ ବାମ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ଶଲୋମନ “ବୋୟସ୍” ରଖିଲେ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International