Biblia Todo Logo
Bìoball air-loidhne

- Sanasan -

1 ଶାମୁୟେଲ 29 - ପବିତ୍ର ବାଇବଲ


“ଦାଉଦ ଆମ ସହିତ ଯାଇ ପାରିବ ନାହିଁ!”

1 ପଲେଷ୍ଟୀୟମାନେ ସେମାନଙ୍କର ସୈନ୍ୟସାମନ୍ତଙ୍କ ସହିତ ଅଫେକରେ ଏକତ୍ରିତ ହେଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ଝରଣା ନିକଟରେ ଛାଉଣି ସ୍ଥାପନ କଲେ।

2 ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶହ ଶହ, ହଜାର ହଜାର ସୈନ୍ୟ ନେଇ କ୍ରମେ କ୍ରମେ ଅଗ୍ରସର ହେଲେ। ଦାଉଦ ଏବଂ ତାଙ୍କର ସୈନ୍ୟମାନେ ଆଖୀଶ୍ ସହିତ ପଛେ ପଛେ ଆଗେଇଲେ।

3 ପଲେଷ୍ଟୀୟ ଅଧିପତିମାନେ କହିଲେ, “ଏବ୍ରୀୟମାନେ ଏଠାରେ କ’ଣ କରୁଛନ୍ତି?” ଅଖୀଶ୍ ପଲେଷ୍ଟୀୟ ଶାସକମାନଙ୍କୁ କହିଲେ, “ଏ ହେଉଛନ୍ତି ଦାଉଦ। ଦାଉଦ ହେଉଛନ୍ତି ଜଣେ ଇସ୍ରାଏଲର ରାଜା ଶାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ। ଦାଉଦ ମୋ’ ସହିତ ବହୁତ ଦିନ ହେଲା ରହିଲେଣି। ସେ ଶାଉଲଙ୍କୁ ଛାଡ଼ି ମୋ’ ପାଖରେ ରହିବା ଦିନଠାରୁ ମୁଁ ତାଙ୍କଠାରେ କୌଣସି ଦୋଷ ପାଇ ନାହିଁ।”

4 କିନ୍ତୁ ପଲେଷ୍ଟୀୟ ଶାସକଗଣ ଆଖୀଶ୍ ଉପରେ ରାଗିଲେ। ସେମାନେ କହିଲେ, “ଦାଉଦକୁ ଫେରାଇ ଦିଅ। ତୁମ୍ଭେ ତା’ ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ, ସେ ନିଜର ସେହି ସ୍ଥାନକୁ ଫେରି ଯାଉ। ସେ ଆମ୍ଭ ସହିତ ଯୁଦ୍ଧକୁ ଯାଇ ପାରିବ ନାହିଁ। ସେ ଯଦି ଆମ୍ଭ ସହିତ ରହେ, ତେବେ ସେ ଆମ୍ଭ ନିଜ ଛାଉଣି ମଧ୍ୟରେ ଜଣେ ଶତ୍ରୁ ହୋଇ ରହିବ। ସେ ତା'ର ରାଜା ଶାଉଲଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମ୍ଭ ନିଜର ଲୋକଙ୍କୁ ମାରିବ।

5 ଦାଉଦ ହେଉଛନ୍ତି ସେହି ଲୋକ ଯାହା ପାଇଁ ଇସ୍ରାଏଲୀୟ ଲୋକମାନେ ତାଙ୍କ ସମ୍ବନ୍ଧରେ ଗୀତଟିଏ ବୋଲନ୍ତି, ତାହା ହେଲା, ‘ଶାଉଲ ହତ୍ୟା କଲେ ସହସ୍ର ସହସ୍ର, ଦାଉଦ ହତ୍ୟା କଲେ ଅୟୁତ ଅୟୁତ’”

6 ତେଣୁ ଆଖୀଶ୍ ଦାଉଦଙ୍କୁ ଡାକି କହିଲେ, “ନିଶ୍ଚିତ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ, ତୁମ୍ଭେ ମୋର ଅନୁଗତ ରହିବ। ତୁମ୍ଭେ ମୋର ସୈନ୍ୟବାହିନୀରେ ଯୋଗ ଦେଲେ ମୁଁ ବହୁତ ଖୁସୀ ହେବି। ମୋ’ ସହିତ ରହିବା ଦିନଠାରୁ ମୁଁ ତୁମ୍ଭର କୌଣସି ଦୋଷ ପାଇ ନାହିଁ। ତଥାପି ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟିରେ ତୁମ୍ଭେ ଉତ୍ତମ ନୁହଁ।

7 ଶାନ୍ତିରେ ଫେରିଯାଅ। ପଲେଷ୍ଟୀୟ ଶାସକମାନଙ୍କ ବିରୁଦ୍ଧରେ କିଛି କର ନାହିଁ।”

8 ତେଣୁ ଦାଉଦ ଆଖୀ‌ଶ୍‌‌କୁ କହିଲେ, “ମୁଁ କ’ଣ ତୃଟି କରିଅଛି କି? ମୁଁ ତୁମ୍ଭର ଦାସ ତୁମ୍ଭ ପାଖକୁ ଆସିଲା ଦିନରୁ ମୋର କିଛି ଭୁଲ୍ କାମ ତୁମ୍ଭେ ଦେଖିଛ କି? ନାଁ, କାହିଁକି ମୁଁ ମୋର ସଦାପ୍ରଭୁଙ୍କ ବିରୁଦ୍ଧରେ ଥିବା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରି ପାରିବି ନାହିଁ?”

9 ଆଖୀଶ୍ ଉତ୍ତର ଦେଲେ, “ମୁଁ ବିଶ୍ୱାସ କରୁଛି ତୁମ୍ଭେ ଜଣେ ଉତ୍ତମ ଲୋକ। ତୁମ୍ଭେ ଜଣେ ପରମେଶ୍ୱରଙ୍କର ଦୂତ ସ୍ୱରୂପ। ତଥାପି ପଲେଷ୍ଟୀୟ ଶାସକମାନେ କହୁଛନ୍ତି, ‘ଦାଉଦ କେବେ ଆମ୍ଭମାନଙ୍କ ସହିତ ଯୁଦ୍ଧକୁ ଯାଇ ପାରିବେ ନାହିଁ।’

10 ଆସନ୍ତା କାଲି ସକାଳେ ତୁମ୍ଭେ ଓ ତୁମ୍ଭର ଲୋକମାନେ ମୁଁ ଦେଇଥିବା ଜାଗାକୁ ଫେରିଯିବା ଉଚିତ୍। ଦୟାକରି ଅଧିପତିମାନେ କହିଥିବା କଥା ପ୍ରତି ଦୃଷ୍ଟି ଦେବ ନାହିଁ। ତୁମ୍ଭେ ଜଣେ ଭଲ ଲୋକ, ତେଣୁ ତୁମ୍ଭେ ସୂର୍ଯ୍ୟୋଦୟ ମାତ୍ରେ ଫେରିଯିବା ଭଲ।”

11 ଦାଉଦ ଏବଂ ତାଙ୍କର ଲୋକମାନେ ପ୍ରତ୍ୟୁଷରୁ ଉଠି ପଲେଷ୍ଟୀୟ ଦେଶକୁ ଫେରିଗଲେ ଆଉ ପଲେଷ୍ଟୀୟମାନେ ଯିଷ୍ରିୟେଲକୁ ଗମନ କଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Lean sinn:



Sanasan