Biblia Todo Logo
Bìoball air-loidhne

- Sanasan -

ଯିଖରୀୟ 7 - ପବିତ୍ର ବାଇବଲ (Re-edited) - (BSI)


ଛଳନାପୂର୍ଣ୍ଣ ଉପବାସ

1 ପୁଣି, ଦାରୀୟାବସ୍ ରାଜାର ଅଧିକାରର ଚତୁର୍ଥ ବର୍ଷରେ,କିଷ୍ଲେବ ନାମକ ନବମ ମାସର ଚତୁର୍ଥ ଦିନରେ ଯିଖରୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା।

2 ସେସମୟରେ ବୈଥେଲସ୍ଥ ଲୋକମାନେ ଶରେତ୍ସର, ରେଗମ୍ମେଲକ ଓ ସେମାନଙ୍କର ଲୋକମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ବିନତି କରିବା ପାଇଁ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହର ଯାଜକମାନଙ୍କୁ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ ଏହି କଥା ପଚାରିବା ପାଇଁ ପ୍ରେରଣ କରିଥିଲେ,

3 ଯଥା, ମୁଁ ଏତେ ବର୍ଷଯାଏ ଯେପରି କରି ଆସିଅଛି, ସେପରି ମୁଁ କି ପଞ୍ଚମ ମାସରେ ଆପଣାକୁ ପୃଥକ୍ କରି ବିଳାପ କରିବି?

4 ସେତେବେଳେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,

5 ଦେଶର ସମଗ୍ର ଲୋକଙ୍କୁ ଓ ଯାଜକମାନଙ୍କୁ ଏହି କଥା କୁହ, ତୁମ୍ଭେମାନେ ଏହି ସତୁରି ବର୍ଷଯାକ, ପଞ୍ଚମ ମାସରେ ଓ ସପ୍ତମ ମାସରେ ଉପବାସ ଓ ବିଳାପ କଲା ବେଳେ ତୁମ୍ଭେମାନେ କି ଆମ୍ଭ ଉଦ୍ଦେଶ୍ୟରେ, ପ୍ରକୃତରେ ଆମ୍ଭ ଉଦ୍ଦେଶ୍ୟରେ ଉପବାସ କଲ?

6 ପୁଣି, ତୁମ୍ଭେମାନେ ଭୋଜନ କଲା ବେଳେ ଓ ପାନ କଲା ବେଳେ କି ଆପଣାମାନଙ୍କ ପାଇଁ ଭୋଜନ କରୁ ନାହଁ ଓ ଆପଣାମାନଙ୍କ ପାଇଁ ପାନ କରୁ ନାହଁ?

7 ଯିରୂଶାଲମ ବସତିବିଶିଷ୍ଟ ଓ ସମୃଦ୍ଧ ଅବସ୍ଥାରେ ଥିବା ବେଳେ, ପୁଣି ତହିଁର ଚତୁର୍ଦ୍ଦିଗସ୍ଥ ନଗରସକଳ, ଆଉ ଦକ୍ଷିଣ ଦେଶ ଓ ନିମ୍ନଭୂମି ବସତିବିଶିଷ୍ଟ ଥିବା ବେଳେ ସଦାପ୍ରଭୁ ପୂର୍ବକାଳର ଭବିଷ୍ୟଦ୍ବକ୍ତାଗଣଙ୍କ ଦ୍ଵାରା ଯେଉଁସକଳ ବାକ୍ୟ ପ୍ରଚାର କରାଇଅଛନ୍ତି, ତାହା କି ତୁମ୍ଭମାନଙ୍କର ଶୁଣିବାର ଉଚିତ ନୁହେଁ?


ନିର୍ବାସନର କାରଣ - ଅବାଧ୍ୟତା

8 ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ଯିଖରୀୟଙ୍କ ନିକଟରେ ଉପସ୍ଥିତ ହେଲା,

9 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, ଯଥାର୍ଥ ବିଚାର କର, ପ୍ରତ୍ୟେକ ଲୋକ, ଆପଣା ଭ୍ରାତା ପ୍ରତି ଦୟା ଓ କରୁଣା ପ୍ରକାଶ କର;

10 ପୁଣି ବିଧବା, ପିତୃହୀନ, ବିଦେଶୀ ଓ ଦରିଦ୍ରର ପ୍ରତି ଉପଦ୍ରବ କର ନାହିଁ ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି ମନେ ମନେ ଆପଣା ଭ୍ରାତାର ଅନିଷ୍ଟ ଚିନ୍ତା ନ କରୁ।

11 ମାତ୍ର ସେମାନେ ଶୁଣିବାକୁ ଅସମ୍ମତ ହେଲେ ଓ ସ୍କନ୍ଧ ଘୁଞ୍ଚାଇ ନେଲେ ଓ ଯେପରି ଶୁଣି ନ ପାରିବେ, ଏଥିପାଇଁ ଆପଣା ଆପଣା କର୍ଣ୍ଣ ରୁଦ୍ଧ କଲେ।

12 ହଁ, ସେମାନେ ଯେପରି ବ୍ୟବସ୍ଥା ଓ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଆତ୍ମା ଦ୍ଵାରା ପୂର୍ବକାଳର ଭବିଷ୍ୟଦ୍-ବକ୍ତାଗଣର ହସ୍ତରେ ଯେଉଁ ଯେଉଁ ବାକ୍ୟ କହି ପଠାଇଲେ, ତାହା ଯେପରି ନ ଶୁଣିବେ, ଏଥିପାଇଁ ସେମାନେ ଆପଣା ଆପଣା ଅନ୍ତଃକରଣ ହୀରକ ପ୍ରସ୍ତର ତୁଲ୍ୟ କଠିନ କଲେ। ଏଥି ସକାଶୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରୁ ମହାକୋପ ଉପସ୍ଥିତ ହେଲା।

13 ପୁଣି, ସେ ଡାକିବା ବେଳେ ସେମାନେ ଯେପରି ଶୁଣିଲେ ନାହିଁ; ତଦନୁସାରେ ସେମାନେ ଡାକିବେ, ମାତ୍ର ସୈନ୍ୟାଧିପତି ସଦାପ୍ରଭୁ କହିଲେ, ଆମ୍ଭେ ଶୁଣିବା ନାହିଁ,

14 ମାତ୍ର ଯେଉଁ ଗୋଷ୍ଠୀଗଣକୁ ସେମାନେ ଜାଣି ନାହାନ୍ତି, ସେସମସ୍ତଙ୍କ ମଧ୍ୟରେ ଘୂର୍ଣ୍ଣିବାୟୁ ଦ୍ଵାରା ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ଏହି ପ୍ରକାରେ ସେମାନଙ୍କ ଉତ୍ତାରେ ଦେଶ ଧ୍ଵଂସସ୍ଥାନ ହେଲା, ତହିଁରେ କୌଣସି ମନୁଷ୍ୟ ତହିଁର ମଧ୍ୟଦେଇ ଗମନାଗମନ କଲା ନାହିଁ; କାରଣ ସେମାନେ ରମ୍ୟ ଦେଶକୁ ଧ୍ଵଂସସ୍ଥାନ କଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan