ପରମ ଗୀତ 5 - ପବିତ୍ର ବାଇବଲ (Re-edited) - (BSI)ଏକତ୍ର ପ୍ରେମୋଦ୍ୟାନରେ କନ୍ୟା 1 ମୋହର ପ୍ରିୟତମ ଆପଣା ଉଦ୍ୟାନକୁ ଆସନ୍ତୁ ଓ ଆପଣାର ବହୁମୂଲ୍ୟ ଫଳସବୁ ଭୋଜନ କରନ୍ତୁ। ଆଗୋ ମୋହର ଭଗିନୀ, ମୋହର କନ୍ୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି; ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି; ମୁଁ ଆପଣା ମଧୁଚାକ ଓ ମଧୁ ଭୋଜନ କରିଅଛି; ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧ ପାନ କରିଅଛି। ହେ ବନ୍ଧୁଗଣ, ଭୋଜନ କର; ହେ ପ୍ରିୟତମଗଣ, ପାନ କର, ହଁ, ଯଥେଷ୍ଟ ପାନ କର। ବର ଅନ୍ୟମାନେ ପ୍ରିୟତମଙ୍କୁ କନ୍ୟାର ଅନ୍ଵେଷଣ କନ୍ୟା 2 ମୁଁ ନିଦ୍ରିତା ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା; ଏ ତ ମୋʼ ପ୍ରିୟତମଙ୍କ ରବ, ସେ ଦ୍ଵାରରେ ଆଘାତ କରି କହୁଅଛନ୍ତି, “ଆଗୋ ମୋହର ଭଗିନୀ, ମୋହର ପ୍ରିୟେ, ମୋହର କପୋତୀ, ମୋହର ଶୁଦ୍ଧମତେ; ମୋʼ ପାଇଁ ଦ୍ଵାର ଫିଟାଅ; କାରଣ ମୋହର ମସ୍ତକ ଶିଶିରରେ, ମୋହର କ୍ଳେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ।” 3 ମୁଁ ଆପଣା ଜାମା କାଢ଼ି ପକାଇଅଛି, କିପରି କରି ତାହା ପିନ୍ଧିବି? ମୁଁ ଆପଣା ପାଦ ଧୋଇଅଛି; କିପରି କରି ତାହା ମଳିନ କରିବି? 4 ମୋʼ ପ୍ରିୟତମ ଦ୍ଵାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉଚ୍ଚାଟ ହେଲା। 5 ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ଵାର ଫିଟାଇବାକୁ ଉଠିଲି; କିଳିଣୀର ବେଣ୍ଟ ଉପରେ ମୋʼ ହସ୍ତରୁ ଗନ୍ଧରସ, ମୋʼ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା। 6 ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ଵାର ଫିଟାଇଲି; ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରେ ଚାଲି ଯାଇଥିଲେ। ସେ କଥା କହିବା ବେଳେ ମୋହର ପ୍ରାଣ ଉଡ଼ିଗଲା; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇପାରିଲି ନାହିଁ; ମୁଁ ତାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ। 7 ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ, ସେମାନେ ମୋତେ ପ୍ରହାର କଲେ, ସେମାନେ ମୋତେ କ୍ଷତବିକ୍ଷତ କଲେ। ପ୍ରାଚୀର-ରକ୍ଷକମାନେ ମୋʼଠାରୁ ମୋହର ଆଚ୍ଛାଦନ-ବସ୍ତ୍ର କାଢ଼ି ନେଇଗଲେ। 8 ଆଗୋ ଯିରୂଶାଲମର କନ୍ୟାଗଣ, ଯେବେ ତୁମ୍ଭେମାନେ ମୋʼ ପ୍ରିୟତମଙ୍କର ଦେଖା ପାଇବ, ତେବେ ମୁଁ ତୁମ୍ଭମାନଙ୍କୁ ଶପଥ ଦେଇ କହୁଅଛି, ମୁଁ ପ୍ରେମପୀଡ଼ିତା ବୋଲି ତୁମ୍ଭେମାନେ ତାଙ୍କୁ କହିବ। ଅନ୍ୟମାନେ 9 ଆଗୋ ନାରୀଗଣ ମଧ୍ୟରେ ପରମା ସୁନ୍ଦରୀ, ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମଠାରୁ ଅଧିକ? ତୁମ୍ଭେ ଯେ ଆମ୍ଭମାନଙ୍କୁ ଶପଥ ଦେଉଅଛ, ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମଠାରୁ ଅଧିକ? ପ୍ରିୟତମଙ୍କୁ କନ୍ୟାର ପ୍ରଶଂସା 10 ମୋହର ପ୍ରିୟତମ ଶ୍ଵେତ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧ୍ୟରେ ପ୍ରଧାନ। 11 ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ, ତାଙ୍କର କେଶ କୁଞ୍ଚିତ ଓ ଡାମରାକୁଆ ତୁଲ୍ୟ କୃଷ୍ଣବର୍ଣ୍ଣ। 12 ତାଙ୍କର ନେତ୍ରଯୁଗଳ ଜଳସ୍ରୋତ ନିକଟସ୍ଥ କପୋତ ତୁଲ୍ୟ; ଦୁଗ୍ଧରେ ଧୌତ ଓ ଯଥା ସ୍ଥାନରେ ସ୍ଥାପିତ। 13 ତାଙ୍କର ଗଣ୍ତଦେଶ ସୁଗନ୍ଧି ଲତାର କିଆରି ସ୍ଵରୂପ, ସୁଗନ୍ଧି ତୃଣର ତଟ ସ୍ଵରୂପ; ତାଙ୍କର ଓଷ୍ଠାଧର ଶୋଶନ୍ ପୁଷ୍ପ ତୁଲ୍ୟ, ତହିଁରୁ ଦ୍ରବ ଗନ୍ଧରସ କ୍ଷରେ। 14 ତାଙ୍କ ହସ୍ତଦ୍ଵୟ ବୈଦୁର୍ଯ୍ୟ ମଣିରେ ଖଚିତ ସୁବର୍ଣ୍ଣ ମୁଦ୍ରିକା ତୁଲ୍ୟ; ତାଙ୍କ ଶରୀର ନୀଳକା; ମଣି-ମଣ୍ତିତ ଗଜଦନ୍ତମୟ ଶିଳ୍ପକର୍ମ ତୁଲ୍ୟ। 15 ତାଙ୍କ ଚରଣଯୁଗଳ ଶୁଦ୍ଧ ସୁବର୍ଣ୍ଣ ଚୁଙ୍ଗିରେ ସ୍ଥାପିତ ମର୍ମର ପ୍ରସ୍ତରର ସ୍ତମ୍ଭ ତୁଲ୍ୟ; ତାଙ୍କର ଦୃଶ୍ୟ ଲିବାନୋନ ସଦୃଶ, ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ। 16 ତାଙ୍କ ମୁଖ ଅତ୍ୟ; ସୁମିଷ୍ଟ; ହଁ, ସେ ସର୍ବତୋଭାବେ ମନୋହର। ଆଗୋ ଯିରୂଶାଲମର କନ୍ୟାଗଣ, ଏହି ମୋହର ପ୍ରିୟତମ, ଏହି ମୋହର ସଖା। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India