Biblia Todo Logo
Bìoball air-loidhne

- Sanasan -

ପରମ ଗୀତ 2 - ପବିତ୍ର ବାଇବଲ (Re-edited) - (BSI)

1 ଓ ଦେବଦାରୁ କାଷ୍ଠ ଆମ୍ଭମାନଙ୍କର ବରଗା। ମୁଁ ଶାରୋଣର ଗୋଲାପ। ତଳଭୂମିର ଶୋଶନ୍ ପୁଷ୍ପ।


ବର

2 ଯେପରି କଣ୍ଟକ ମଧ୍ୟରେ ଶୋଶନ୍ ପୁଷ୍ପ, ସେପରି ଯୁବତୀଗଣ ମଧ୍ୟରେ ମୋହର ପ୍ରିୟା।


କନ୍ୟା

3 ଯେପରି ବନବୃକ୍ଷମାନଙ୍କ ମଧ୍ୟରେ ନାଗରଙ୍ଗ ବୃକ୍ଷ, ସେପରି ଯୁବାମାନଙ୍କ ମଧ୍ୟରେ ମୋହର ପ୍ରିୟତମ। ମୁଁ ପରମ ଆନନ୍ଦରେ ତାଙ୍କ ଛାୟା ତଳେ ବସିଲି ଓ ତାଙ୍କ ଫଳ ମୋʼ ତୁଣ୍ତକୁ ସ୍ଵାଦୁ ଲାଗିଲା।

4 ସେ ଆପଣା ଭୋଜନପାନର ଗୃହକୁ ମୋତେ ଆଣିଲେ, ମୋʼ ଉପରେ ପ୍ରେମ ହିଁ ତାଙ୍କର ପତାକା ହେଲା।

5 ତୁମ୍ଭେମାନେ ଦ୍ରାକ୍ଷାଫଳ ଦେଇ ମୋତେ ସୁସ୍ଥିର କର, ନାଗରଙ୍ଗ ଫଳରେ ମୋତେ ଆଶ୍ଵାସ ଦିଅ; କାରଣ ମୁଁ ପ୍ରେମ ପୀଡ଼ିତା।

6 ତାଙ୍କ ବାମ ହସ୍ତ ମୋʼ ମସ୍ତକ ତଳେ ଅଛି, ପୁଣି ତାଙ୍କ ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ।

7 ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ର-ସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜନା କର ନାହିଁ।


ପ୍ରିୟତମଙ୍କ ପ୍ରତି କନ୍ୟାର ଶ୍ରଦ୍ଧା

8 ଏ ତ ମୋʼ ପ୍ରିୟତମଙ୍କ ରବ ! ଦେଖ, ସେ ପର୍ବତଗଣ ଉପରେ କୁଦି କୁଦି, ଉପପର୍ବତଗଣ ଉପରେ ଡେଇଁ ଡେଇଁ ଆସୁଅଛନ୍ତି।

9 ମୋହର ପ୍ରିୟତମ ହରିଣ ଓ ତରୁଣ ମୃଗ ତୁଲ୍ୟ; ଦେଖ, ସେ ଆମ୍ଭମାନଙ୍କ ପ୍ରାଚୀର ପଛେ ଠିଆ ହେଉଅଛନ୍ତି, ସେ ଝରକାରେ ଅନାଉଅଛନ୍ତି, ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି।

10 ମୋହର ପ୍ରିୟତମ କଥା କହିଲେ ଓ ସେ ମୋତେ କହିଲେ, “ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ।

11 କାରଣ, ଦେଖ, ଶୀତକାଳ ଗତ ହେଲା, ବୃଷ୍ଟି ଶେଷ ହୋଇଗଲା;

12 ଭୂମିରେ ପୁଷ୍ପ ପ୍ରସ୍ଫୁଟିତ ହେଉଅଛି, ପକ୍ଷୀଗଣର ଗାୟନକାଳ ଉପସ୍ଥିତ, ଆମ୍ଭମାନଙ୍କ ଦେଶରେ ଘୁଘୁର ରବ ଶୁଣା ଯାଉଅଛି;

13 ଡିମିରି ବୃକ୍ଷ ସ୍ଵ ଅପକ୍ଵ ଫଳମାନ ପକ୍ଵ କରୁଅଛି ଓ ଦ୍ରାକ୍ଷାଲତା ପୁଷ୍ପିତ ହୋଇ ସୁବାସ ଦେଉଅଛି। ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ବାହାରି ଆସ।

14 ହେ ମୋହର କପୋତୀ, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ, ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ, ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ; କାରଣ ତୁମ୍ଭ ରବ ସୁମିଷ୍ଟ ଓ ତୁମ୍ଭ ରୂପ ମନୋହର।

15 ଆମ୍ଭମାନଙ୍କ ପାଇଁ ଦ୍ରାକ୍ଷାକ୍ଷେତ୍ରନାଶକ ଶୃଗାଳମାନଙ୍କୁ, କ୍ଷୁଦ୍ର ଶୃଗାଳମାନଙ୍କୁ ଧର; କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହୋଇଅଛି।”

16 ମୋʼ ପ୍ରିୟତମ ମୋହର ଓ ମୁଁ ତାଙ୍କର ଅଟେ; ସେ ଶୋଶନ୍ ପୁଷ୍ପବନ ମଧ୍ୟରେ ଆପଣା ପଲ ଚରାଉ-ଅଛନ୍ତି।

17 ହେ ମୋହର ପ୍ରିୟତମ, ଦିବସ ଶୀତଳ ହେବା ଓ ଛାୟା ବହିଯିବା ପର୍ଯ୍ୟନ୍ତ ତୁମ୍ଭେ ଫେରି ଆସି ବେଥର ପର୍ବତଶ୍ରେଣୀସ୍ଥ ହରିଣ ଓ ମୃଗଶାବକ ତୁଲ୍ୟ ହୁଅ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan