ରତର ବିବରଣ 4 - ପବିତ୍ର ବାଇବଲ (Re-edited) - (BSI)ବୋୟଜ-ରୂତ ବିବାହ 1 ଏଥି ଉତ୍ତାରୁ ବୋୟଜ ନଗରଦ୍ଵାରକୁ ଯାଇ ସେଠାରେ ବସିଲା, ତହିଁରେ ଦେଖ, ସେ ଯେଉଁ ମୁକ୍ତିକର୍ତ୍ତା ଜ୍ଞାତି ବିଷୟ କହିଥିଲା, ସେ ସେଠାକୁ ଆସନ୍ତେ, ବୋୟଜ ତାହାକୁ ଡାକି କହିଲା, ହେ ବନ୍ଧୁ, ଏଠିକି ଆସି ବସ; ଏଣୁ ସେ ଆସି ସେଠାରେ ବସିଲା। 2 ତହୁଁ ସେ ନଗରସ୍ଥ ଦଶ ଜଣ ପ୍ରାଚୀନଙ୍କୁ ନେଇ କହିଲା, ତୁମ୍ଭେମାନେ ଏଠାରେ ବସ, ତେଣୁ ସେମାନେ ବସିଲେ। 3 ଏଥିରେ ବୋୟଜ ସେହି ମୁକ୍ତିକର୍ତ୍ତା ଜ୍ଞାତିକି କହିଲା, ଆମ୍ଭମାନଙ୍କ ଭ୍ରାତା ଏଲିମେଲକର ଯେଉଁ ଭୂମିଖଣ୍ତ ଥିଲା, ତାହା ମୋୟାବ ଦେଶରୁ ବାହୁଡ଼ି ଆସିଥିବା ନୟମୀ ବିକ୍ରୟ କରୁଅଛି। 4 ଏଣୁ ମୁଁ ତୁମ୍ଭକୁ ଏହା ଜଣାଇବାକୁ ମନସ୍ଥ କଲି, ତୁମ୍ଭେ ନଗରଦ୍ଵାରରେ ଉପବିଷ୍ଟ ଲୋକମାନଙ୍କ ସାକ୍ଷାତରେ ଓ ଆମ୍ଭ ବଂଶୀୟ ପ୍ରାଚୀନଗଣର ସାକ୍ଷାତରେ ତାହା କ୍ରୟ କର। ଯେବେ ତୁମ୍ଭେ ମୁକ୍ତ କରିବ, ତେବେ କର, ମାତ୍ର ଯେବେ ନ କରିବ, ତେବେ ମୋତେ ଜଣାଅ, ମୁଁ ଜାଣିବାକୁ ଚାହେଁ; ଯେହେତୁ ତୁମ୍ଭେ ମୁକ୍ତ କଲେ ଆଉ କେହି କରି ନ ପାରେ, ମାତ୍ର ତୁମ୍ଭ ଉତ୍ତାରୁ ମୁଁ ଅଛି । ତହିଁରେ ସେ କହିଲା, ମୁଁ ତାହା ମୁକ୍ତ କରିବି। 5 ତେବେ ବୋୟଜ କହିଲା, ତୁମ୍ଭେ ଯେଉଁ ଦିନ ନୟମୀର ହସ୍ତରୁ ସେହି କ୍ଷେତ୍ର କିଣିବ, ସେହି ଦିନ ମୃତଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ନିମନ୍ତେ ତାହାର ଭାର୍ଯ୍ୟା ମୋୟାବ ଦେଶୀୟା ରୂତଠାରୁ ହିଁ ତାହା କିଣିବାକୁ ହେବ। 6 ଏଥିରେ ସେହି ମୁକ୍ତିକର୍ତ୍ତା ଜ୍ଞାତି କହିଲା, ମୁଁ ଆପଣା ନିମନ୍ତେ ତାହା ମୁକ୍ତ କରି ନ ପାରେ, ତାହା କଲେ, ମୋହର ନିଜ ଅଧିକାରର କ୍ଷତି ହେବ; ତୁମ୍ଭେ ମୋହର ମୁକ୍ତି କରିବା କ୍ଷମତା ନିଅ, କାରଣ ମୁଁ ମୁକ୍ତ କରି ନ ପାରେ। 7 ମୁକ୍ତି ଓ ପାଲଟ ବିଷୟକ ସବୁ କଥା ସ୍ଥିର କରିବା ପାଇଁ ପୂର୍ବକାଳରେ ଇସ୍ରାଏଲ ବଂଶର ଏହିରୂପ ରୀତି ଥିଲା ଯେ, ଜଣେ ଆପଣା ପାଦୁକା କାଢ଼ି ଆନ ଜଣକୁ ଦେଲା, ଆଉ ଏହା ଇସ୍ରାଏଲ ମଧ୍ୟରେ ସାକ୍ଷ୍ୟ ସ୍ଵରୂପ ହେଲା। 8 ଏଣୁ ସେ ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟଜକୁ କହିଲା, ତୁମ୍ଭେ ଆପେ ତାହା କିଣ, ସେତେବେଳେ ସେ ଆପଣା ପାଦୁକା କାଢ଼ି ଦେଲା। 9 ତହୁଁ ବୋୟଜ ପ୍ରାଚୀନଗଣକୁ ଓ ସମସ୍ତ ଲୋକଙ୍କୁ କହିଲା, ଏଲିମେଲକର ଯାହା ଯାହା ଥିଲା ଓ କିଲୀୟୋନର ଓ ମହଲୋନର ଯାହା ଯାହା ଥିଲା, ତାହା ମୁଁ ନୟମୀଠାରୁ କ୍ରୟ କଲି, ଏ ବିଷୟରେ ତୁମ୍ଭେମାନେ ଆଜି ମୋହର ସାକ୍ଷୀ ହେଲ। 10 ଆହୁରି ଆପଣା ଭ୍ରାତୃଗଣ ମଧ୍ୟରୁ ଓ ଆପଣା ବସତି-ସ୍ଥାନର ଦ୍ଵାରରୁ ସେହି ମୃତବ୍ୟକ୍ତିର ନାମ ଯେପରି ଲୋପ ନୋହିବ, ଏଥିପାଇଁ ସେହି ମୃତଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ପାଇଁ ମୁଁ ମହଲୋନର ଭାର୍ଯ୍ୟା ମୋୟାବ ଦେଶୀୟା ରୂତକୁ ଆପଣା ଭାର୍ଯ୍ୟା ରୂପେ ଲାଭ କଲି; ଆଜି ତୁମ୍ଭେମାନେ ଏ ବିଷୟର ସାକ୍ଷୀ ହେଲ। 11 ତହିଁରେ ନଗରଦ୍ଵାରବର୍ତ୍ତୀ ସମସ୍ତ ଲୋକ ଓ ପ୍ରାଚୀନଗଣ କହିଲେ, ଆମ୍ଭେମାନେ ସାକ୍ଷୀ ହେଲୁ, ସଦାପ୍ରଭୁ ଇସ୍ରାଏଲ ବଂଶର ବୃଦ୍ଧିକାରିଣୀ ରାହେଲ ଓ ଲେୟା, ଦୁଇ ସ୍ତ୍ରୀର ତୁଲ୍ୟ ତୁମ୍ଭ ଗୃହକୁ ଆଗତା ଏହି ସ୍ତ୍ରୀକି କରନ୍ତୁ; ଆଉ, ତୁମ୍ଭେ ଏଫ୍ରାଥାରେ ବିକ୍ରମଶାଳୀ ହୁଅ ଓ ବେଥ୍ଲିହିମରେ ତୁମ୍ଭର ସୁଖ୍ୟାତି ହେଉ। 12 ସଦାପ୍ରଭୁ ଏହି ଯୁବତୀ ଦ୍ଵାରା ତୁମ୍ଭକୁ ଯେଉଁ ସନ୍ତାନ ଦେବେ, ତାହା ଦ୍ଵାରା ତୁମ୍ଭର ବଂଶ ତାମର ଗର୍ଭରେ ଯିହୁଦାର ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ। ବୋୟଜ ଏବଂ ତାଙ୍କ ବଂଶଧର 13 ଏରୂପେ ବୋୟଜ ରୂତକୁ ବିବାହ କରନ୍ତେ, ସେ ତାହାର ଭାର୍ଯ୍ୟା ହେଲା, ପୁଣି ତାହାର ସହବାସ କରନ୍ତେ, ସେ ସଦାପ୍ରଭୁଙ୍କଠାରୁ ଗର୍ଭଧାରଣ ଶକ୍ତି ପାଇ ପୁତ୍ର ପ୍ରସବ କଲା। 14 ଏଣୁ ସ୍ତ୍ରୀମାନେ ନୟମୀକି କହିଲେ, ଧନ୍ୟ ସଦାପ୍ରଭୁ, ସେ ଆଜି ତୁମ୍ଭକୁ ମୁକ୍ତିକର୍ତ୍ତା ଜ୍ଞାତିହୀନ କରି ନାହାନ୍ତି; ଇସ୍ରାଏଲ ବଂଶରେ ଏହି ବାଳକର ନାମ ବିଖ୍ୟାତ ହେଉ। 15 ପୁଣି ସେ ତୁମ୍ଭର ପ୍ରାଣ ସଜୀବକାରୀ ଓ ତୁମ୍ଭ ବୃଦ୍ଧାବସ୍ଥାରେ ତୁମ୍ଭର ପ୍ରତିପାଳକ ହେବ; ଯେହେତୁ ଯେ ତୁମ୍ଭକୁ ପ୍ରେମ କରେ ଓ ସାତ ପୁତ୍ରଠାରୁ ତୁମ୍ଭ ପ୍ରତି ଅଧିକ ଉତ୍ତମା ଯେ ତୁମ୍ଭର ପୁତ୍ରବଧୂ, ସେ ତାହାକୁ ପ୍ରସବ କରିଅଛି। 16 ସେତେବେଳେ ନୟମୀ ବାଳକକୁ ଘେନି ଆପଣା କୋଳରେ ରଖିଲା ଓ ତାହାକୁ ପ୍ରତିପାଳନ କଲା। 17 ଏଉତ୍ତାରୁ ନୟମୀର ଏକ ପୁତ୍ର ଜନ୍ମିଅଛି, ଏହି କଥା କହି ପ୍ରତିବାସିନୀ ସ୍ତ୍ରୀମାନେ ତାହାର ନାମକରଣ କଲେ; ସେମାନେ ତାହାର ନାମ ଓବେଦ୍ (ସେବକ) ରଖିଲେ। ସେ ଦାଉଦର ପିତାମହ ଯିଶୀର ପିତା। ଦାଉଦଙ୍କର ବଂଶାବଳୀ 18 ପେରସର ବଂଶାବଳୀ ଏହି, ପେରସର ପୁତ୍ର ହିଷ୍ରୋଣ; 19 ହିଷ୍ରୋଣର ପୁତ୍ର ଅରାମ ଓ ଅରାମର ପୁତ୍ର ଅମ୍ମୀନାଦବ 20 ଓ ଅମ୍ମୀନାଦବର ପୁତ୍ର ନହଶୋନ୍ ଓ ନହଶୋନର ପୁତ୍ର ସଲମୋନ 21 ଓ ସଲମୋନର ପୁତ୍ର ବୋୟଜ ଓ ବୋୟଜର ପୁତ୍ର ଓବେଦ୍ 22 ଓବେଦ୍ର ପୁତ୍ର ଯିଶୀ ଓ ଯିଶୀର ପୁତ୍ର ଦାଉଦ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India