Biblia Todo Logo
Bìoball air-loidhne

- Sanasan -

ରୋମୀୟ 16 - ପବିତ୍ର ବାଇବଲ (Re-edited) - (BSI)


ବ୍ୟକ୍ତିଗତ ଅଭିବାଦନ

1 କେଙ୍କ୍ରେୟାସ୍ଥ ମଣ୍ତଳୀର ସେବିକା ଆମ୍ଭମାନଙ୍କ ଭଗ୍ନୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି,

2 ତୁମ୍ଭେମାନେ ସାଧୁମାନଙ୍କ ଯଥାଯୋଗ୍ୟ ଭାବରେ ତାଙ୍କୁ ପ୍ରଭୁଙ୍କ ନାମରେ ଗ୍ରହଣ କରିବ, ଆଉ ଯେକୌଣସି ବିଷୟରେ ତୁମ୍ଭମାନଙ୍କଠାରୁ ତାଙ୍କର ସାହାଯ୍ୟ ଆବଶ୍ୟକ ହେବ, ସେବିଷୟରେ ତାଙ୍କୁ ସାହାଯ୍ୟ କରିବ; କାରଣ ସେ ନିଜେ ମଧ୍ୟ ଅନେକଙ୍କର ଓ ମୋʼ ନିଜର ଉପକାର କରିଅଛନ୍ତି।

3 ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ମୋହର ସହକର୍ମୀ ପ୍ରୀସ୍କା ଓ ଆକ୍ଵିଲାଙ୍କୁ ନମସ୍କାର ଜଣାଅ;

4 ସେମାନେ ମୋହର ପ୍ରାଣ ନିମନ୍ତେ ଆପଣା ଆପଣା ପ୍ରାଣକୁ ବିପଦଗ୍ରସ୍ତ କଲେ; କେବଳ ମୁଁ ଯେ ସେମାନଙ୍କୁ ଧନ୍ୟବାଦ ଦେଉଅଛି, ତାହା ନୁହେଁ, କିନ୍ତୁ ବିଜାତିମାନଙ୍କ ମଣ୍ତଳୀସମୂହ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଦେଉଅଛନ୍ତି;

5 ଆଉ ସେମାନଙ୍କ ଗୃହରେ ଥିବା ମଣ୍ତଳୀକି ନମସ୍କାର ଜଣାଅ। ମୋହର ପ୍ରିୟ ଏପାଇନେତଙ୍କୁ ନମସ୍କାର ଜଣାଅ, ସେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଆସିଆର ପ୍ରଥମ ଫଳସ୍ଵରୂପ।

6 ମରୀୟମଙ୍କୁ ନମସ୍କାର ଜଣାଅ, ସେ ତୁମ୍ଭମାନଙ୍କ ନିମନ୍ତେ ବହୁ ପରିଶ୍ରମ କରିଥିଲେ।

7 ମୋହର ସ୍ଵଜାତୀୟ ଓ ସହବନ୍ଦୀ ଆନ୍ଦ୍ରନିକ ଓ ଯୂନିୟାଙ୍କୁ ନମସ୍କାର ଜଣାଅ; ସେମାନେ ପ୍ରେରିତମାନଙ୍କ ମଧ୍ୟରେ ବିଖ୍ୟାତ ଓ ମୋହର ପୂର୍ବରେ ସୁଦ୍ଧା ଖ୍ରୀଷ୍ଟଙ୍କ ଆଶ୍ରିତ ହୋଇଅଛନ୍ତି।

8 ପ୍ରଭୁଙ୍କଠାରେ ମୋହର ପ୍ରିୟ ଆମ୍ପ୍ଳିୟାତାଙ୍କୁ ନମସ୍କାର ଜଣାଅ।

9 ଖ୍ରୀଷ୍ଟଙ୍କ ସେବାରେ ଆମ୍ଭମାନଙ୍କ ସହକର୍ମୀ ଉର୍ବାଣଙ୍କୁ ଓ ମୋହର ପ୍ରିୟ ସ୍ତାଖୁଙ୍କୁ ନମସ୍କାର ଜଣାଅ।

10 ଖ୍ରୀଷ୍ଟଙ୍କଠାରେ ପରୀକ୍ଷାସିଦ୍ଧ ଆପେଲ୍ଲାଙ୍କୁ ନମସ୍କାର ଜଣାଅ। ଆରିସ୍ତବୂଲଙ୍କ ପରିବାରସ୍ଥ ଲୋକମାନଙ୍କୁ ନମସ୍କାର ଜଣାଅ।

11 ମୋହର ସ୍ଵଜାତୀୟ ହେରୋଦୀୟୋନଙ୍କୁ ନମସ୍କାର ଜଣାଅ। ନାର୍କିସଙ୍କ ପରିବାର ମଧ୍ୟରେ ଯେଉଁମାନେ ପ୍ରଭୁଙ୍କ ଆଶ୍ରିତ ଅଛନ୍ତି, ସେମାନଙ୍କୁ ନମସ୍କାର ଜଣାଅ।

12 ପ୍ରଭୁଙ୍କ କାର୍ଯ୍ୟରେ ପରିଶ୍ରମ କରୁଥିବା କ୍ରୁଫେଣା ଓ କ୍ରୁଫୋସାଙ୍କୁ ନମସ୍କାର ଜଣାଅ। ପ୍ରିୟ ପର୍ଶିଙ୍କି ନମସ୍କାର ଜଣାଅ, ସେ ପ୍ରଭୁଙ୍କ କାର୍ଯ୍ୟରେ ବହୁ ପରିଶ୍ରମ କରିଅଛନ୍ତି।

13 ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋର ମାତା ସ୍ଵରୂପ।

14 ଅସୁଙ୍କ୍ରିତ, ଫ୍ଳେଗୋନ୍, ହର୍ମୀସ୍, ପାତ୍ରବା, ହର୍ମାସ୍, ଆଉ ସେମାନଙ୍କ ସାଙ୍ଗରେ ଥିବା ଭାଇମାନଙ୍କୁ ନମସ୍କାର ଜଣାଅ।

15 ଫିଲଲଗ ଓ ଯୂଲିଆ, ନୀରୂସ୍ ଓ ତାଙ୍କ ଭଗ୍ନୀ; ପୁଣି ଅଲୁମ୍ପା ଓ ସେମାନଙ୍କ ସାଙ୍ଗରେ ଥିବା ସମସ୍ତ ସାଧୁଙ୍କୁ ନମସ୍କାର ଜଣାଅ।

16 ପବିତ୍ର ଚୁମ୍ଵନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କ ସମସ୍ତ ମଣ୍ତଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।


ଶେଷ ନିର୍ଦ୍ଦେଶ ଓ ସମ୍ଭାଷଣ

17 ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି;

18 କାରଣ ଏହିପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳହୃଦୟ ଲୋକଙ୍କର ମନ ଭୁଲାନ୍ତି।

19 ଯେଣୁ ତୁମ୍ଭମାନଙ୍କ ଆଜ୍ଞାବହତାର କଥା ସମସ୍ତ ଲୋକଙ୍କ ମଧ୍ୟରେ ବ୍ୟାପିଯାଇଅଛି; ଅତଏବ, ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, କିନ୍ତୁ ତୁମ୍ଭେମାନେ ଯେପରି ସତ୍ ବିଷୟରେ ଜ୍ଞାନୀ ଓ ଅସତ୍ ବିଷୟରେ ଅମାୟିକ ହୁଅ, ଏହା ମୋହର ଇଚ୍ଛା।

20 ଆଉ ଶାନ୍ତିଦାତା ଈଶ୍ଵର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ। ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।

21 ମୋହର ସହକର୍ମୀ ତୀମଥି, ପୁଣି ମୋହର ସ୍ଵଜାତୀୟ ଲୂକୀୟ, ଯାସୋନ୍,,ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।

22 ଏହି ପତ୍ର ଲେଖକ ଯେ ମୁଁ ତର୍ତ୍ତୀୟ, ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛି।

23 ମୋହର ଓ ସମସ୍ତ ମଣ୍ତଳୀର ଆତିଥ୍ୟକାରୀ ଗାୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ଏହି ନଗରର କୋଷାଧ୍ୟକ୍ଷ ଏରାଷ୍ଟ ଓ ଭ୍ରାତା କ୍ଵାର୍ତ୍ତ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।

24 [ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍।]


ସ୍ତବ ଗାନ

25 ଯେଉଁ ଈଶ୍ଵର ମୋହର ସୁସମାଚାର ଓ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍ ଯେଉଁ ନିଗୂଢ଼ତତ୍ତ୍ଵ ଅନାଦି କାଳରୁ ଅବ୍ୟକ୍ତ ଥିଲା,

26 ମାତ୍ର ଏବେ ବ୍ୟକ୍ତ ହୋଇଅଛି, ପୁଣି ବିଶ୍ଵାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ଵରଙ୍କ ଆଜ୍ଞାନୁସାରେ ଭାବବାଦୀମାନଙ୍କ ଶାସ୍ତ୍ର ସାହାଯ୍ୟରେ ସମସ୍ତ ଜାତୀୟ ଲୋକଙ୍କ ନିକଟରେ ଜ୍ଞାତ କରାଯାଇଅଛି, ସେହି ନିଗୂଢ଼ ତତ୍ତ୍ଵର ପ୍ରକାଶ ଅନୁସାରେ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ସକ୍ଷମ ଅଟନ୍ତି ,

27 ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଯୁଗେ ଯୁଗେ ସେହି ଏକମାତ୍ର ଜ୍ଞାନବାନ ଈଶ୍ଵରଙ୍କ ଗୌରବ ହେଉ। ଆମେନ୍।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan