Biblia Todo Logo
Bìoball air-loidhne

- Sanasan -

ପ୍ରକାଶିତ 9 - ପବିତ୍ର ବାଇବଲ (Re-edited) - (BSI)

1 ତତ୍ପରେ ପଞ୍ଚମ ଦୂତ ତୂରୀଧ୍ଵନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ତର ଚାବି ଦିଆଗଲା।

2 ସେ ସେହି ପାତାଳକୁଣ୍ତ ଫିଟାନ୍ତେ ସେଥିରୁ ବୃହତ୍ ଭାଟିର ଧୂମ ପରି ଧୂମ ଉଠିଲା, ଆଉ ସେହି ପାତାଳ-କୁଣ୍ତର ଧୂମ ହେତୁ ସୂର୍ଯ୍ୟ ପୁଣି ଆକାଶ ଅନ୍ଧକାରାଚ୍ଛନ୍ନ ହେଲା।

3 ଧୂମ ମଧ୍ୟରୁ ପଙ୍ଗପାଳ ବାହାର ହୋଇ ପୃଥିବୀକୁ ଆସିଲେ, ସେମାନଙ୍କୁ ପୃଥିବୀର ବିଛାର ଶକ୍ତି ପରି ଶକ୍ତି ଦିଆଗଲା।

4 ପୃଥିବୀର ତୃଣ କି ହରିଦ୍ବର୍ଣ୍ଣ ଶାକ କି କୌଣସି ବୃକ୍ଷର ଅନିଷ୍ଟ ନ କରି, ଯେଉଁମାନଙ୍କ କପାଳରେ ଈଶ୍ଵରଙ୍କ ମୁଦ୍ରାଙ୍କ ନାହିଁ, କେବଳ ସେମାନଙ୍କ ଅନିଷ୍ଟ କରିବାକୁ ସେମାନଙ୍କୁ କୁହାଗଲା।

5 ସେମାନଙ୍କୁ ବଧ ନ କରି ପାଞ୍ଚ ମାସ ପର୍ଯ୍ୟନ୍ତ ସେମାନଙ୍କର ଯନ୍ତ୍ରଣା ଘଟାଇବାକୁ ସେମାନଙ୍କୁ କ୍ଷମତା ଦିଆଗଲା; ବିଛା ମନୁଷ୍ୟକୁ ମାରିଲେ ଯେପରି ଯନ୍ତ୍ରଣା ହୁଏ, ଏହି ଯନ୍ତ୍ରଣା ସେହିପ୍ରକାର।

6 ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ଵେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ତାହାର ଉଦ୍ଦେଶ୍ୟ ପାଇବେ ନାହିଁ; ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କଠାରୁ ପଳାୟନ କରିବ।

7 ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧାର୍ଥେ ସଜ୍ଜିତ ଅଶ୍ଵମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି ସେମାନଙ୍କ ମୁଖ ମନୁଷ୍ୟ-ମାନଙ୍କ ମୁଖ ସଦୃଶ;

8 ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦ; ତୁଲ୍ୟ ସେମାନଙ୍କ ଦନ୍ତ;

9 ଲୌହ ଉରସ୍ତ୍ରାଣ ପରି ସେମାନଙ୍କର ଉରସ୍ତ୍ରାଣ, ପୁଣି ରଥ ଓ ରଣକ୍ଷେତ୍ରରେ ଧାବମାନ ଅନେକ ଅଶ୍ଵଙ୍କ ଶଦ୍ଦ ପରି ସେମାନଙ୍କ ପକ୍ଷର ଶଦ୍ଦ।

10 ବିଛାର ଲାଙ୍ଗୁଳ ଓ ନାହୁଡ଼ ପରି ସେମାନଙ୍କର ଲାଙ୍ଗୁଳ ଓ ନାହୁଡ଼; ପାଞ୍ଚ ମାସ ପର୍ଯ୍ୟନ୍ତ ମନୁଷ୍ୟମାନଙ୍କର କ୍ଷତି କରିବାକୁ ସେମାନଙ୍କ ଲାଙ୍ଗୁଳରେ ଶକ୍ତି ଥିଲା।

11 ପାତାଳକୁଣ୍ତର ଦୂତ ସେମାନଙ୍କର ରାଜା, ତାହାର ନାମ ଏବ୍ରୀ ଭାଷାରେ ଅବଦ୍ଦୋନ୍ ଓ ଗ୍ରୀକ୍ ଭାଷାରେ ଅପଲ୍ଲିୟୋନ୍।

12 ପ୍ରଥମ ସନ୍ତାପ ଗତ ହେଲା, ଦେଖ, ଏହା ପରେ ଆଉ ଦୁଇଟି ସନ୍ତାପ ଆସୁଅଛି।

13 ଷଷ୍ଠ ଦୂତ ତୂରୀଧ୍ଵନୀ କରନ୍ତେ ମୁଁ ଈଶ୍ଵରଙ୍କ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦିର ଶୃଙ୍ଗମାନଙ୍କ ମଧ୍ୟରୁ ଗୋଟିଏ ସ୍ଵର ଶୁଣିଲି,

14 ତାହା ତୂରୀ ଧରିଥିବା ସେହି ଷଷ୍ଠ ଦୂତଙ୍କୁ କହିଲା, ଫରାତ୍ ମହାନଦୀରେ ବନ୍ଦୀ ଥିବା ଚାରି ଦୂତଙ୍କୁ ମୁକ୍ତ କରିଦିଅ।

15 ସେଥିରେ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବା ନିମନ୍ତେ ଏହି ଯେଉଁ ଚାରି ଦୂତ ସେହି ଦଣ୍ତ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲେ, ସେମାନେ ମୁକ୍ତ କରାଗଲେ।

16 ଅଶ୍ଵାରୋହୀ ସୈନ୍ୟମାନଙ୍କ ସଂଖ୍ୟା କୋଡ଼ିଏ କୋଟି; ମୁଁ ସେମାନଙ୍କ ସଂଖ୍ୟା ଶୁଣିଲି।

17 ଆଉ ମୁଁ ଦର୍ଶନରେ ଅଶ୍ଵ ଓ ସେମାନଙ୍କ ଆରୋହୀମାନଙ୍କୁ ଏହିପ୍ରକାର ଦେଖିଲି, ସେମାନଙ୍କ ଉରସ୍ତ୍ରାଣ ଅଗ୍ନିବର୍ଣ୍ଣ, ନୀଳବର୍ଣ୍ଣ ଓ ଗନ୍ଧକବର୍ଣ୍ଣ; ଅଶ୍ଵମାନଙ୍କ ମସ୍ତକ ସିଂହମାନଙ୍କ ମସ୍ତକ ସଦୃଶ, ଆଉ ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକ ନିର୍ଗତ ହେଉଥିଲା।

18 ସେମାନଙ୍କ ମୁଖରୁ ନିର୍ଗତ ଅଗ୍ନି, ଧୂମ ଓ ଗନ୍ଧକରୂପ ଏହି ତିନି କ୍ଳେଶ ଦ୍ଵାରା ମନୁଷ୍ୟମାନଙ୍କର ଏକ ତୃତୀୟାଂଶ ବଧ କରାଗଲେ।

19 କାରଣ ଅଶ୍ଵମାନଙ୍କ ଶକ୍ତି ସେମାନଙ୍କ ମୁଖ ଓ ଲାଙ୍ଗୁଳରେ ଥିଲା, ଯେଣୁ ସେମାନଙ୍କ ଲାଙ୍ଗୁଳ ସର୍ପ ସଦୃଶ ଓ ମସ୍ତକବିଶିଷ୍ଟ; ତଦ୍ଦ୍ଵାରା ସେମାନେ କ୍ଷତି କରନ୍ତି।

20 ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହିସମସ୍ତ କ୍ଳେଶ ଦ୍ଵାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନ ପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍, ଭୂତମାନଙ୍କ ପୂଜା, ପୁଣି ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଷ୍ଠ ନିର୍ମିତ ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ,

21 ଆଉ ସେମାନେ ଆପଣାମାନଙ୍କର ନରହତ୍ୟା, କୁହୁକ, ବ୍ୟଭିଚାର ଓ ଚୌର୍ଯ୍ୟକର୍ମରୁ ମନ ପରିବର୍ତ୍ତନ କଲେ ନାହିଁ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan