Biblia Todo Logo
Bìoball air-loidhne

- Sanasan -

ପ୍ରକାଶିତ 7 - ପବିତ୍ର ବାଇବଲ (Re-edited) - (BSI)


୧,୪୪,୦୦୦ ଇସ୍ରାଏଲୀୟ ମୁଦ୍ରାଙ୍କିତ

1 ତତ୍ପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ବୃକ୍ଷ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି।

2 ପୁଣି ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ଵରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପ୍ରାପ୍ତ ସେହି ଚାରି ଦୂତଙ୍କୁ ସେ ଉଚ୍ଚ ସ୍ଵରରେ ଡାକି କହିଲେ,

3 ଆମ୍ଭେମାନେ ଆପଣାମାନଙ୍କ ଈଶ୍ଵରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କ ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ବୃକ୍ଷସମୂହର କ୍ଷତି କର ନାହିଁ।

4 ତତ୍ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ସହସ୍ର ଲୋକ ମୁଦ୍ରାଙ୍କିତ ହେଲେ,

5 ଯିହୁଦା ବଂଶରୁ ଦ୍ଵାଦଶ ସହସ୍ର, ରୁବେନ ବଂଶରୁ ଦ୍ଵାଦଶ ସହସ୍ର, ଗାଦ ବଂଶରୁ ଦ୍ଵାଦଶ ସହସ୍ର,

6 ଆଶେର ବଂଶରୁ ଦ୍ଵାଦଶ ସହସ୍ର, ନପ୍ତାଲୀ ବଂଶରୁ ଦ୍ଵାଦଶ ସହସ୍ର, ମନଃଶି ବଂଶରୁ ଦ୍ଵାଦଶ ସହସ୍ର,

7 ଶିମୀୟୋନ ବଂଶରୁ ଦ୍ଵାଦଶ ସହସ୍ର, ଲେବୀ ବଂଶରୁ ଦ୍ଵାଦଶ ସହସ୍ର, ଇସାଖର ବଂଶରୁ ଦ୍ଵାଦଶ ସହସ୍ର,

8 ସବୂଲୂନ୍ ବଂଶରୁ ଦ୍ଵାଦଶ ସହସ୍ର, ଯୋଷେଫ ବଂଶରୁ ଦ୍ଵାଦଶ ସହସ୍ର, ବିନ୍ୟାମୀନ ବଂଶରୁ ଦ୍ଵାଦଶ ସହସ୍ର।


ସର୍ବ ଦେଶର ଏକ ବିରାଟ ଜନତା

9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହା ଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରି ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ତାୟମାନ ହୋଇଅଛନ୍ତି;

10 ସେମାନେ ଉଚ୍ଚ ସ୍ଵରରେ କହୁଅଛନ୍ତି, ପରିତ୍ରାଣ ସିଂହାସନୋପବିଷ୍ଟ ଆମ୍ଭମାନଙ୍କ ଈଶ୍ଵରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ।

11 ପୁଣି ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି, ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ଵରଙ୍କୁ ପ୍ରଣାମ କରି କହୁଅଛନ୍ତି,

12 ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ଵରଙ୍କର; ଆମେନ୍।

13 ପୁଣି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଶୁକ୍ଳ ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି?

14 ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଳେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି।

15 ସେଥିପାଇଁ ସେମାନେ ଈଶ୍ଵରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କର ଉପାସନା କରନ୍ତି, ପୁଣି ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ଵରୂପ ହେବେ।

16 ସେମାନଙ୍କର ଆଉ କେବେହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ,

17 କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇନେବେ, ପୁଣି ଈଶ୍ଵର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan