ପ୍ରକାଶିତ 6 - ପବିତ୍ର ବାଇବଲ (Re-edited) - (BSI)ପ୍ରଥମରୁ ଷଷ୍ଠ ମୁଦ୍ରା ଭଗ୍ନ 1 ତହୁଁ ମୁଁ ମେଷଶାବକଙ୍କୁ ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣଙ୍କୁ ବଜ୍ରନିର୍ଘୋଷ ସ୍ଵରରେ ଏହା କହୁଥିବା ଶୁଣିଲି, ଆସ। 2 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ଶୁକ୍ଳବର୍ଣ୍ଣ ଅଶ୍ଵ, ପୁଣି ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ; ତାହାଙ୍କୁ ଏକ ମୁକୁଟ ଦତ୍ତ ଦେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଗଲେ। 3 ମେଷଶାବକ ଯେତେବେଳେ ଦ୍ଵିତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଦ୍ଵିତୀୟ ପ୍ରାଣୀଙ୍କି ଏହା କହୁଥିବା ଶୁଣିଲି, ଆସ। 4 ସେଥିରେ ଆଉ ଗୋଟିଏ ଅଶ୍ଵ ବାହାର ହେଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥିନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି ତାହାକୁ ଗୋଟିଏ ବୃହତ୍ ଖଡ଼୍ଗ ଦତ୍ତ ହେଲା। 5 ମେଷଶାବକ ଯେତେବେଳେ ତୃତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ତୃତୀୟ ପ୍ରାଣୀଙ୍କି ଏହା କହୁଥିବା ଶୁଣିଲି, ଆସ। ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ କୃଷ୍ଣବର୍ଣ୍ଣ ଅଶ୍ଵ, ପୁଣି ତାହାର ଆରୋହୀର ହସ୍ତରେ ଗୋଟିଏ ତରାଜୁ। 6 ଆଉ ମୁଁ ଚାରି ପ୍ରାଣୀଙ୍କ ମଧ୍ୟରୁ ନିର୍ଗତ ହେଲା ପରି ଏହି ସ୍ଵର ଶୁଣିଲି, ଟଙ୍କାକୁ ସେରେ ଗହମ ଓ ଟଙ୍କାକୁ ତିନି ସେର ଯବ ହେବ, କିନ୍ତୁ ତୁମ୍ଭେ ତୈଳ ଓ ଦ୍ରାକ୍ଷାରସ କ୍ଷତି କର ନାହିଁ। 7 ମେଷଶାବକ ଯେତେବେଳେ ଚତୁର୍ଥ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଚତୁର୍ଥ ପ୍ରାଣୀଙ୍କି ଏହା କହୁଥିବା ଶୁଣିଲି, ଆସ। 8 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ତୁବର୍ଣ୍ଣ ଅଶ୍ଵ, ତାହାର ଆରୋହୀର ନାମ ମୃତ୍ୟୁ, ପୁଣି ପାତାଳ ତାହାର ପଶ୍ଚାତ୍ଗମନ କରୁଥିଲା; ଖଡ଼୍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟପଶୁମାନଙ୍କ ଦ୍ଵାରା ବିନାଶ କରିବାକୁନ ପୃଥିବୀର ଚତୁର୍ଥାଂଶ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା। 9 ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ଵରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦତ୍ତ ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦି ତଳେ ଦେଖିଲି। 10 ସେମାନେ ଉଚ୍ଚ ସ୍ଵରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବୀନିବାସୀମାନଙ୍କଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ? 11 ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଶୁକ୍ଳ ବସ୍ତ୍ର ଦତ୍ତ ହେଲା, ପୁଣି ସେମାନଙ୍କର ଯେଉଁ ସହଦାସ ଓ ଭ୍ରାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବାଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା। 12 ମେଷଶାବକ ଷଷ୍ଠ ମୁଦ୍ରା ଭାଙ୍ଗିବା ସମୟରେ ମୁଁ ଦେଖିଲି, ମହାଭୂମିକମ୍ପ ହେଲା, ସୂର୍ଯ୍ୟ ଲୋମନିର୍ମିତ କମ୍ଵଳ ପରି କୃଷ୍ଣବର୍ଣ୍ଣ ଓ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତବର୍ଣ୍ଣ ହେଲା, 13 ପ୍ରବଳ ବାୟୁର ଆଘାତରେ ଡିମିରି ବୃକ୍ଷରୁ ଯେପରି ଅପକ୍ଵ ଫଳସବୁ ପତିତ ହୁଏ, ସେହିପରି ଆକାଶର ନକ୍ଷତ୍ରସବୁ ପୃଥିବୀରେ ପତିତ ହେଲେ, 14 ଆକାଶମଣ୍ତଳ ଚର୍ମପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି ପର୍ବତ ଓ ଦ୍ଵୀପସମସ୍ତ ସ୍ଥାନାନ୍ତରିତ ହେଲେ। 15 ଆଉ ପୃଥିବୀର ରାଜାମାନେ, ପାତ୍ରମନ୍ତ୍ରୀମାନେ, ପ୍ରଧାନ ସେନାପତି ଓ ଧନୀମାନେ, ବଳବାନ ଲୋକମାନେ ଏବଂ ପରାଧୀନ ଓ ସ୍ଵାଧୀନ ଲୋକସମସ୍ତେ ଗୁହା ଓ ପର୍ବତମାଳାର ଶୈଳମାନଙ୍କ ମଧ୍ୟରେ ଆପଣା ଆପଣାକୁ ଲୁଚାଇଲେ, 16 ପୁଣି, ସେମାନେ ପର୍ବତ ଓ ଶୈଳମାନଙ୍କୁ କହିଲେ, ଆମ୍ଭମାନଙ୍କ ଉପରେ ପଡ଼ି ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଚାଇ ରଖ, 17 କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି, ଆଉ କିଏ ଠିଆ ହୋଇ ପାରେ? |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India