Biblia Todo Logo
Bìoball air-loidhne

- Sanasan -

ପ୍ରକାଶିତ 19 - ପବିତ୍ର ବାଇବଲ (Re-edited) - (BSI)


ସ୍ଵର୍ଗରେ ଆନନ୍ଦ

1 ଏଥିଉତ୍ତାରେ ମୁଁ ସ୍ଵର୍ଗରେ ମହା ଜନତାର ଶଦ୍ଦ ପରି ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା; ପରିତ୍ରାଣ, ଗୌରବ ଓ ପରାକ୍ରମ ଆମ୍ଭମାନଙ୍କ ଈଶ୍ଵରଙ୍କର,

2 କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାଯ୍ୟ; ଯେଉଁ ମହାବେଶ୍ୟା ଆପଣା ବ୍ୟଭିଚାର ଦ୍ଵାରା ପୃଥିବୀକୁ ଭ୍ରଷ୍ଟ କରିଥିଲା, ସେ ତାହାକୁ ଦଣ୍ତ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇଅଛନ୍ତି।

3 ପୁଣି ସେମାନେ ଦ୍ଵିତୀୟ ଥର କହିଲେ, ହାଲ୍ଲିଲୂୟା; ତାହାର ଦାହର ଧୂମ ଯୁଗେ ଯୁଗେ ଉଠୁଥିବ।

4 ସେଥିରେ ସେହି ଚବିଶ ପ୍ରାଚୀନ ଓ ଚାରି ପ୍ରାଣୀ ଉବୁଡ଼ ହୋଇ ସିଂହାସନୋପବିଷ୍ଟ ଈଶ୍ଵରଙ୍କୁ ପ୍ରଣାମ କରି କହିଲେ, ଆମେନ୍, ହାଲ୍ଲିଲୂୟା।


ମେଷଶାବକଙ୍କ ବିବାହ ଭୋଜ

5 ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, ହେ ଈଶ୍ଵରଙ୍କ ଦାସ ସମସ୍ତେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକ ସମସ୍ତେ, ତାହାଙ୍କର ପ୍ରଶଂସା କର।

6 ଆଉ ମୁଁ ମହାଜନତାର ଶଦ୍ଦ ପରି ଏବଂ ବହୁ ଜଳକଲ୍ଲୋଳ ଓ ଘୋର ମେଘଗର୍ଜ୍ଜନର ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ଵର ରାଜତ୍ଵ ଗ୍ରହଣ କରିଅଛନ୍ତି।

7 ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି।

8 ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା; ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧର୍ମକର୍ମ।

9 ସେତେବେଳେ ସେ ମୋତେ କହିଲେ, ଲେଖ, ଯେଉଁମାନେ ମେଷଶାବକଙ୍କ ବିବାହଭୋଜକୁ ନିମନ୍ତ୍ରିତ, ସେମାନେ ଧନ୍ୟ। ଆଉ ସେ ମୋତେ କହିଲେ, ଏହିସବୁ ଈଶ୍ଵରଙ୍କ ସତ୍ୟ ବାକ୍ୟ।

10 ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି। ସେଥିରେ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭ୍ରାତୃଗଣ, ସେମାନଙ୍କର ସହଦାସ; ଈଶ୍ଵରଙ୍କୁ ପ୍ରଣାମ କର। ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ଭାବବାଣୀର ସାର।


ଶ୍ଵେତ ଅଶ୍ଵ ଆରୋହୀ

11 ତତ୍ପରେ ମୁଁ ସ୍ଵର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ, ଗୋଟିଏ ଶ୍ଵେତବର୍ଣ୍ଣ ଅଶ୍ଵ; ତାହାର ଆରୋହୀଙ୍କ ନାମ ବିଶ୍ଵସ୍ତ ଓ ସତ୍ୟ ; ସେ ନ୍ୟାଯ୍ୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି।

12 ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେ ନାହିଁ।

13 ସେ ରକ୍ତନିମଜ୍ଜିତ ବସ୍ତ୍ର ପରିହିତ, ପୁଣି ତାହାଙ୍କର ନାମ ଈଶ୍ଵରଙ୍କ ବାକ୍ୟ।

14 ସ୍ଵର୍ଗସ୍ଥ ସୈନ୍ୟବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶ୍ଵେତବର୍ଣ୍ଣ ଅଶ୍ଵମାନଙ୍କ ଉପରେ ଆରୋହଣ କରି ତାହାଙ୍କ ପଶ୍ଚାତ୍ଗମନ କଲେ।

15 ତାହାଙ୍କ ମୁଖରୁ ତୀକ୍ଷ୍ମ ଖଡ଼୍‍ଗ ନିର୍ଗତ ହୁଏ, ତଦ୍ଦ୍ଵାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହଦଣ୍ତରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ଵରଙ୍କ ପ୍ରଚଣ୍ତ କ୍ରୋଧରୂପ ଦ୍ରାକ୍ଷାକୁଣ୍ତ ଦଳନ କରିବେ,।

16 ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଂଘଦେଶରେ ଏହି ନାମ ଲିଖିତ ଅଛି, ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।

17 ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଦଣ୍ତାୟମାନ ହୋଇଥିବାର ଦେଖିଲି; ସେ ଆକାଶରେ ଉଡ଼ିବା ସମସ୍ତ ପକ୍ଷୀଙ୍କି ଉଚ୍ଚ ସ୍ଵରରେ ଡାକି କହିଲେ, ଆସ, ଈଶ୍ଵରଙ୍କ ମହାଭୋଜରେ ଏକତ୍ର ହୁଅ,

18 ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତି-ମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ଵ ଓ ଅଶ୍ଵାରୋହୀ-ମାନଙ୍କର, ସ୍ଵାଧୀନ ଓ ପରାଧୀନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭକ୍ଷଣ କରିବ।

19 ପରେ ମୁଁ ପଶୁକୁ ଏବଂ ପୃଥିବୀର ରାଜାମାନଙ୍କୁ ଓ ସେମାନଙ୍କର ସୈନ୍ୟବାହିନୀକି, ସେହି ଅଶ୍ଵାରୋହୀ ଓ ତାହାଙ୍କ ସୈନ୍ୟବାହିନୀଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏକତ୍ର ହୋଇଥିବାର ଦେଖିଲି।

20 ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ତ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମସବୁ କରି ତଦ୍ଦ୍ଵାରା ପଶୁର ମୁଦ୍ରାଙ୍କପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ଵଳିତ ହ୍ରଦରେ ନିକ୍ଷିପ୍ତ ହେଲେ।

21 ଅବଶିଷ୍ଟ ଲୋକେ ସେହି ଅଶ୍ଵାରୋହୀଙ୍କ ମୁଖ ନିର୍ଗତ ଖଡ଼୍‍ଗ ଦ୍ଵାରା ହତ ହେଲେ; ସେଥିରେ ସମସ୍ତ ପକ୍ଷୀ ସେମାନଙ୍କର ମାଂସ ଭୋଜନ କରି ପରିତୃପ୍ତ ହେଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan