ପ୍ରକାଶିତ 16 - ପବିତ୍ର ବାଇବଲ (Re-edited) - (BSI)ଈଶ୍ଵରଙ୍କ କ୍ରୋଧର ସପ୍ତ ପାତ୍ର 1 ତତ୍ପରେ ମୁଁ ମନ୍ଦିର ମଧ୍ୟରୁ ଗୋଟିଏ ଉଚ୍ଚ ସ୍ଵର ଶୁଣିଲି, ତାହା ସପ୍ତ ଦୂତଙ୍କୁ କହିଲା, ଯାଅ, ଈଶ୍ଵରଙ୍କ କ୍ରୋଧର ସପ୍ତ ପାତ୍ର ପୃଥିବୀ ଉପରେ ଢାଳ। 2 ସେଥିରେ ପ୍ରଥମ ଦୂତ ଯାଇ ପୃଥିବୀ ଉପରେ ଆପଣା ପାତ୍ର ଢାଳିଲେ; ତହୁଁ ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ଓ ତାହାର ପ୍ରତିମାକୁ ପ୍ରଣାମ କରିଥିଲେ, ସେମାନଙ୍କ ଶରୀରରେ ଅତି କଷ୍ଟଦାୟକ ବିସ୍ପୋଟକ ହେଲା। 3 ଦ୍ଵିତୀୟ ଦୂତ ଆପଣା ପାତ୍ର ସମୁଦ୍ର ଉପରେ ଢାଳିଲେ; ତହୁଁ ତାହା ମୃତ ଲୋକର ରକ୍ତ ପରି ହେଲା, ଆଉ ସମୁଦ୍ରରେ ଥିବା ସମସ୍ତ ଜୀବ ମଲେ। 4 ତୃତୀୟ ଦୂତ ଆପଣା ପାତ୍ର ନଦୀ ଓ ନିର୍ଝରିଣୀଗୁଡ଼ିକ ଉପରେ ଢାଳିଲେ; ତହୁଁ ସେହିସବୁ ରକ୍ତ ହୋଇଗଲା। 5 ସେତେବେଳେ ମୁଁ ଜଳାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି, ହେ ବର୍ତ୍ତମାନ ଓ ଭୂତ, ପୁଣି ପବିତ୍ର ଯେ ତୁମ୍ଭେ, ତୁମ୍ଭେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛ; 6 ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀ-ମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିର ଯୋଗ୍ୟ। 7 ସେତେବେଳେ ମୁଁ ବେଦି ଏହା କହିବାର ଶୁଣିଲି, ହଁ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ଵର, ତୁମ୍ଭର ସମସ୍ତ ବିଚାର ସତ୍ୟ ଓ ଯଥାର୍ଥ। 8 ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ; ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା। 9 ସେତେବେଳେ ମନୁଷ୍ୟମାନେ ମହା ତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ଵରଙ୍କର ଏହିସମସ୍ତ କ୍ଳେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନ ପରିବର୍ତ୍ତନ କଲେ ନାହିଁ। 10 ପଞ୍ଚମ ଦୂତ ଆପଣା ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ; ତହୁଁ ତାହାର ରାଜ୍ୟ ଅନ୍ଧକାରମୟ ହେଲା, ଆଉ ଲୋକମାନେ ବେଦନା ହେତୁ ଆପଣା ଆପଣା ଜିଭ କାମୁଡ଼ିବାକୁ ଲାଗିଲେ; 11 ପୁଣି, ସେମାନେ ଆପଣା ଆପଣା ବେଦନା ଓ ବିସ୍ଫୋଟକ ସକାଶେ ସ୍ଵର୍ଗସ୍ଥ ଈଶ୍ଵରଙ୍କର ନିନ୍ଦା କଲେ, ଆଉ ଆପଣା ଆପଣା କର୍ମରୁ ମନ ପରିବର୍ତ୍ତନ କଲେ ନାହିଁ। 12 ଷଷ୍ଠ ଦୂତ ଆପଣା ପାତ୍ର ଫରାତ୍ ମହାନଦୀ ଉପରେ ଢାଳିଲେ; ତହୁଁ ପୂର୍ବଦିଗରୁ ଆଗମନକାରୀ ରାଜାମାନଙ୍କ ନିମନ୍ତେ ପଥ ପ୍ରସ୍ତୁତ ହେବା ପାଇଁ ତାହାର ଜଳ ଶୁଷ୍କ ହୋଇଗଲା। 13 ତତ୍ପରେ ମୁଁ ଦେଖିଲି, ସର୍ପର ମୁଖରୁ, ପଶୁର ମୁଖରୁ ଓ ଭଣ୍ତ ଭାବବାଦୀରବ ମୁଖରୁ ବେଙ୍ଗ ପରି ତିନୋଟି ଅପବିତ୍ର ଆତ୍ମା ବାହାରିଲେ; 14 ଏମାନେ ଆଶ୍ଚର୍ଯ୍ୟକର୍ମକାରୀ ଭୂତାତ୍ମା ହୋଇ ସର୍ବଶକ୍ତିମାନ ଈଶ୍ଵରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ ସେମାନଙ୍କ ନିକଟକୁ ବାହାରି ଯାଆନ୍ତି। 15 ଦେଖ, ଆମ୍ଭେ ଚୋର ପରି ଆସୁଅଛୁ; ଯେ ଜାଗ୍ରତ ଥାଇ ଆପଣା ବସ୍ତ୍ର ରକ୍ଷା କରେ, ସେ ଧନ୍ୟ, କାରଣ ତାହା କଲେ ସେ ଉଲଙ୍ଗ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ। 16 ସେହି ଅପବିତ୍ର ଆତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ ହର୍ମିଗିଦ୍ଦୋନ୍ ନାମକ ସ୍ଥାନରେ ଏକତ୍ର କଲେ। ସପ୍ତମ ପାତ୍ର 17 ସପ୍ତମ ଦୂତ ଆପଣା ପାତ୍ର ଆକାଶରେ ଢାଳିଲେ; ତହୁଁ ମନ୍ଦିର ମଧ୍ୟରୁ ସିଂହାସନଠାରୁ ଏହି ଉଚ୍ଚ ସ୍ଵର ହେଲା, ସମାପ୍ତ ହେଲା। 18 ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ଵର ଓ ବଜ୍ରଧ୍ଵନି ହେଲା, ପୁଣି ମହା ଭୂମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ମହା ଭୟଙ୍କର ଭୂମିକମ୍ପ ଆଉ କେବେ ହୋଇ ନ ଥିଲା। 19 ସେଥିରେ ସେହି ମହାନଗରୀ ତିନି ଭାଗରେ ବିଭକ୍ତ ହେଲା ଓ ବିଜାତିମାନଙ୍କର ନଗରସମୂହ ଭୂମିସାତ୍ ହେଲା; ଆଉ ମହାନଗରୀ ବାବିଲକୁ ଈଶ୍ଵର ଆପଣା ପ୍ରଚଣ୍ତ କ୍ରୋଧ-ରୂପ ମଦିରାପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ। 20 ପୁଣି ପ୍ରତ୍ୟେକ ଦ୍ଵୀପ ଦୂରୀଭୂତ ହେଲା ଓ ପର୍ବତଗଣ ଆଉ ଦେଖାଗଲେ ନାହିଁ। 21 ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା, ଶିଳାଗୁଡ଼ିକ ପ୍ରାୟ ଏକ ଏକ ମହଣ ଓଜନର, ଆଉ ଶିଳାବୃଷ୍ଟିର କ୍ଳେଶ ସକାଶୁ ମନୁଷ୍ୟମାନେ ଈଶ୍ଵରଙ୍କର ନିନ୍ଦା କଲେ, କାରଣ ସେହି କ୍ଳେଶ ଅତି ଭୟଙ୍କର। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India