ପ୍ରକାଶିତ 15 - ପବିତ୍ର ବାଇବଲ (Re-edited) - (BSI)ସପ୍ତକ୍ଳେଶଧାରୀ ସପ୍ତ ଦୂତ 1 ତତ୍ପରେ ମୁଁ ସ୍ଵର୍ଗରେ ଆଉ ଏକ ମହା ଅଦ୍ଭୁତ ଲକ୍ଷଣ ଦେଖିଲି, ସପ୍ତ ଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଳେଶ, ଏହା ହିଁ ଶେଷ, କାରଣ ଏହି କ୍ଳେଶମାନଙ୍କରେ ଈଶ୍ଵରଙ୍କ କ୍ରୋଧ ସମାପ୍ତ। 2 ଆଉ, ମୁଁ ଦେଖିଲି, ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି ଯେଉଁମାନେ ପଶୁ, ତାହାର ପ୍ରତିମା, ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ଵରଙ୍କ ବୀଣା ଧାରଣ କରି ସେହି କାଚମୟ ସମୁଦ୍ର ତୀରରେ ଦଣ୍ତାୟମାନ ହୋଇଅଛନ୍ତି। 3 ସେମାନେ ଈଶ୍ଵରଙ୍କ ଦାସ ମୋଶା ଓ ମେଷଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ଵର, ତୁମ୍ଭର କର୍ମସମୂହ ମହତ୍ ଓ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାଯ୍ୟ ଓ ସତ୍ୟ। 4 ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ ; ତେଣୁ ତୁମ୍ଭର ନ୍ୟାଯ୍ୟ କର୍ମସମୂହ ପ୍ରକାଶିତ ହୋଇଅଛି। 5 ଏଥିଉତ୍ତାରେ ମୁଁ ଦେଖିଲି, ସ୍ଵର୍ଗସ୍ଥ ସାକ୍ଷ୍ୟତମ୍ଵୁର ମନ୍ଦିରର ଦ୍ଵାର ଉନ୍ମୁକ୍ତ ହେଲା, 6 ଆଉ ମନ୍ଦିରରୁ ସେହି ସପ୍ତକ୍ଳେଶଧାରୀ ସପ୍ତ ଦୂତ ବାହାରି ଆସିଲେ, ସେମାନେ ମଣିଖଚିତ ନିର୍ମଳ ଓ ଉଜ୍ଜ୍ଵଳ ମସୀନା ବସ୍ତ୍ର ପରିହିତ ପୁଣି ସେମାନଙ୍କ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ବଦ୍ଧ। 7 ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ଵରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ। 8 ଆଉ ଈଶ୍ଵରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଳେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India