Biblia Todo Logo
Bìoball air-loidhne

- Sanasan -

ପ୍ରକାଶିତ 14 - ପବିତ୍ର ବାଇବଲ (Re-edited) - (BSI)


ମେଷଶାବକ ଏବଂ ୧,୪୪,୦୦୦ ଭକ୍ତ

1 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସିୟୋନ ପର୍ବତ ଉପରେ ମେଷଶାବକ, ଆଉ ଯେଉଁମାନଙ୍କ କପାଳରେ। ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି ଏକ ଲକ୍ଷ ଚୌରାଳିଶ ସହସ୍ର ଲୋକଙ୍କୁ ତାହାଙ୍କ ସହିତ ଦଣ୍ତାୟମାନ ଥିବାର ଦେଖିଲି।

2 ପୁଣି ମୁଁ ସ୍ଵର୍ଗରୁ ବହୁଜଳକଲ୍ଲୋଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ଵର ଶୁଣିଲି; ଯେଉଁ ସ୍ଵର ମୁଁ ଶୁଣିଲି; ତାହା ବୀଣାବାଦ୍ୟକାରୀମାନଙ୍କ ବୀଣାର ଶଦ୍ଦ ପରି।

3 ସେମାନେ ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନ-ମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାନ କଲେ, ପୁଣି ପୃଥିବୀରୁ କ୍ରୀତ ସେହି ଏକ ଲକ୍ଷ ଚୌରାଳିଶ ସହସ୍ର ଲୋକଙ୍କ ବିନା ଆଉ କେହି ସେ ଗୀତ ଶିଖି ପାରିଲେ ନାହିଁ।

4 ସେମାନେ ସ୍ତ୍ରୀସଂସର୍ଗରେ ଆପଣା ଆପଣାକୁ କଳୁଷିତ କରି ନ ଥିଲେ, କାରଣ ସେମାନେ ଶୁଚି। ମେଷଶାବକ ଯେକୌଣସି ସ୍ଥାନକୁ ଗମନ। କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି। ସେମାନେ ଈଶ୍ଵର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳସ୍ଵରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି;

5 ସେମାନଙ୍କ ମୁଖରେ କୌଣସି ମିଥ୍ୟାକଥା ନାହିଁ, ସେମାନେ ନିର୍ଦ୍ଦୋଷ।


ତିନି ଦୂତଙ୍କର ସମ୍ଵାଦ

6 ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀ ନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚ ସ୍ଵରରେ କହିଲେ,

7 ଈଶ୍ଵରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ପ୍ରଦାନ କର, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀସମୂହ, ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର।

8 ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍, ଦ୍ଵିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ମଦିରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି।

9 ସେମାନଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ତୃତୀୟ ଦୂତ ଆସି ଉଚ୍ଚ ସ୍ଵରରେ କହିଲେ, ଯଦି କେହି ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ, ପୁଣି ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ, ଣପ୍ରକା. ୧୩:୧୬

10 ତେବେ ସେ ମଧ୍ୟ ଈଶ୍ଵରଙ୍କ କୋପରୂପ ଯେଉଁ ମଦିରା ଅମିଶ୍ରିତ ଭାବେ ତାହାଙ୍କ କ୍ରୋଧର ପାତ୍ରରେ ପ୍ରସ୍ତୁତ କରାଯାଇଅଛି, ତାହା ପାନ କରିବ ପୁଣି ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ଵାରା ଯନ୍ତ୍ରଣା ପ୍ରାପ୍ତ ହେବ।

11 ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି, ପୁଣି ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ।

12 ଏଠାରେ ସାଧୁମାନଙ୍କର, ଅର୍ଥାତ୍, ଯେଉଁମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ଵାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ।

13 ପୁଣି ମୁଁ ସ୍ଵର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ।


ପୃଥିବୀର ଶସ୍ୟ ଅମଳ

14 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ତେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ସୁତୀକ୍ଷ୍ମ ଦାଆ।

15 ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାରୂଢ଼ ବ୍ୟକ୍ତିଙ୍କି ଉଚ୍ଚ ସ୍ଵରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ଅତିରିକ୍ତ ପରିପକ୍ଵ ହୋଇଅଛି।

16 ତହୁଁ ସେହି ମେଘାରୂଢ଼ ବ୍ୟକ୍ତି ପୃଥିବୀରେ ଆପଣା ଦାଆ ଲଗାନ୍ତେ ସେଥିର ଶସ୍ୟ କଟାଗଲା।

17 ତତ୍ପରେ ସ୍ଵର୍ଗସ୍ଥ ମନ୍ଦିରରୁ ଆଉ ଜଣେ ଦୂତ ବାହାର ହେଲେ, ତାହାଙ୍କ ହସ୍ତରେ ମଧ୍ୟ ଗୋଟିଏ ସୁତୀକ୍ଷ୍ମ ଦାଆ ଥିଲା।

18 ପୁଣି, ବେଦି ନିକଟରୁ ଆଉ ଜଣେ ଦୂତ ବାହାର ହେଲେ, ସେ ଅଗ୍ନି ଉପରେ କ୍ଷମତାପ୍ରାପ୍ତ; ଯାହାଙ୍କ ହସ୍ତରେ ସୁତୀକ୍ଷ୍ମ ଦାଆ ଥିଲା, ତାହାଙ୍କୁ ସେ ଉଚ୍ଚ ସ୍ଵରରେ ଡାକି କହିଲେ, ତୁମ୍ଭର ସୁତୀକ୍ଷ୍ମ ଦାଆ ଲଗାଅ ଓ ପୃଥିବୀର ଦ୍ରାକ୍ଷାପେଣ୍ତାସବୁ ସଂଗ୍ରହ କର, କାରଣ ସେଥିରେ ଦ୍ରାକ୍ଷାଫଳସବୁ ପରିପକ୍ଵ ହୋଇଅଛି।

19 ତହିଁରେ ସେହି ଦୂତ ପୃଥିବୀରେ ଆପଣା ଦାଆ ଲଗାଇ ସେଥିରେ ଦ୍ରାକ୍ଷାଫଳସବୁ ସଂଗ୍ରହ କଲେ ଓ ଈଶ୍ଵରଙ୍କ କ୍ରୋଧରୂପ ମହା ଦ୍ରାକ୍ଷାକୁଣ୍ତରେ ସେହିସବୁ ନିକ୍ଷେପ କଲେ।

20 ନଗରର ବାହାରେ ସେହି ଦ୍ରାକ୍ଷାକୁଣ୍ତ ଦଳିତ ହେଲା, ଆଉ ସେଥିରୁ ରକ୍ତ ବାହାର ହୋଇ ଅଶ୍ଵମାନଙ୍କ ଲଗାମ ପର୍ଯ୍ୟନ୍ତ ଉଠି ଏକଶହ କୋଶ ପର୍ଯ୍ୟନ୍ତ ବ୍ୟାପ୍ତ ହେଲା।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan