ପ୍ରକାଶିତ 11 - ପବିତ୍ର ବାଇବଲ (Re-edited) - (BSI)ଦୁଇ ସାକ୍ଷୀ 1 ପରେ ମୋତେ ପଦିକା ପରି ଗୋଟିଏ ନଳ ଦତ୍ତ ହେଲା। ଜଣେ ମୋତେ କହିଲେ, ଉଠ, ଈଶ୍ଵରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ। 2 କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡ଼ିଦିଅ, ତାହା ମାପ ନାହିଁ, କାରଣ ତାହା ବିଜାତିମାନଙ୍କୁ ଦତ୍ତ ହୋଇଅଛି, ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପୁଣ୍ୟ ନଗରୀକୁ ପଦ ତଳେ ଦଳିତ କରିବେ। 3 ଆଉ ଆମ୍ଭେ ଆମ୍ଭର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟ ପରିଧାନ କରି ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ। 4 ସେମାନେ ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ଦଣ୍ତାୟମାନ ହୋଇଥିବା ଦୁଇ ଜୀତ ବୃକ୍ଷ ଓ ଦୁଇ ପ୍ରଦୀପ ସଦୃଶ। 5 କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କ ଶତ୍ରୁମାନଙ୍କୁ ଗ୍ରାସ କରେ; କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରିବ, ତାହାକୁ ଏହିପରିଭାବେ ହତ ହେବାକୁ ହେବ। 6 ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥିନିମନ୍ତେ ଆକାଶ ରୁଦ୍ଧ କରିବାକୁ ସେମାନଙ୍କର କ୍ଷମତା ଅଛି, ପୁଣି ଯେତେ ଥର ଇଚ୍ଛା, ସେତେ ଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ଵାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି। 7 ସେମାନଙ୍କ ସାକ୍ଷ୍ୟ ସମାପ୍ତ ହେଲା ଉତ୍ତାରେ ପାତାଳକୁଣ୍ତରୁ ଯେଉଁ ପଶୁ ଉତ୍ଥିତ ହେବ, ସେ ସେମାନଙ୍କ ସହିତ ଯୁଦ୍ଧ କରିବ ଓ ସେମାନଙ୍କୁ ଜୟ କରି ବଧ କରିବ। 8 ସେଥିରେ ଯେଉଁ ମହାନଗରୀକୁ ଆତ୍ମିକ ଭାବରେ ସଦୋମ ଓ ମିସର ବୋଲି କୁହାଯାଏ, ଯେଉଁଠାରେ ସେମାନଙ୍କର ପ୍ରଭୁ ମଧ୍ୟ କ୍ରୁଶରେ ହତ ହୋଇଥିଲେ, ସେହି ମହାନଗରୀର ରାଜପଥରେ ସେମାନଙ୍କ ଶବ ପଡ଼ି ରହିବ। 9 ଆଉ ନାନା ବଂଶ, ଗୋଷ୍ଠୀ, ଭାଷାବାଦୀ ଓ ଜାତିର ଲୋକେ ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସେମାନଙ୍କ ଶବକୁ ଦେଖିବେ ଓ ସମାଧିସ୍ଥ ହେବାକୁ ଦେବେ ନାହିଁ। 10 ସେତେବେଳେ ପୃଥିବୀ ନିବାସୀମାନେ ସେମାନଙ୍କର ମୃତ୍ୟୁ ସମ୍ଵାଦ ଶୁଣି ଆନନ୍ଦ ଓ ଆମୋଦ-ପ୍ରମୋଦ କରିବେ, ପୁଣି ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ,। 11 ସାଢ଼େ ତିନି ଦିନ ଉତ୍ତାରେ ଈଶ୍ଵରଙ୍କଠାରୁ ଜୀବନ-ବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲା, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ମହାଭୟଗ୍ରସ୍ତ ହେଲେ। 12 ସେତେବେଳେ ସେମାନେ ଆକାଶରୁ ଉଚ୍ଚ ସ୍ଵରରେ ଉକ୍ତ ଏହି ବାଣୀ ଶୁଣିଲେ, ଏଠାକୁ ଉଠିଆସ। ସେଥିରେ ସେମାନେ ମେଘାରୂଢ଼ ହୋଇ ସ୍ଵର୍ଗାରୋହଣ କଲେ , ଆଉ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ଦେଖିଲେ। 13 ସେହି ସମୟରେ ମହା ଭୂମିକମ୍ପ ହେଲା ଓ ନଗରୀର ଦଶମାଂଶ ଭୂମିସାତ୍ ହେଲା, ପୁଣି ଭୂମିକମ୍ପରେ ସାତ ସହସ୍ର ଲୋକ ନିହତ ହେଲେ ଏବଂ ଅବଶିଷ୍ଟ ଲୋକ ଭୀତ ହୋଇ ସ୍ଵର୍ଗସ୍ଥ ଈଶ୍ଵରଙ୍କ ମହିମା କୀର୍ତ୍ତନ କଲେ। 14 ଦ୍ଵିତୀୟ ସନ୍ତାପ ଗତ ହେଲା; ଦେଖ, ତୃତୀୟ ସନ୍ତାପ ଶୀଘ୍ର ଆସୁଅଛି। ସପ୍ତମ ତୂରୀ ବାଦନ 15 ସପ୍ତମ ଦୂତ ତୂରୀଧ୍ଵନୀ କରନ୍ତେ ସ୍ଵର୍ଗରେ ମହାଶଦ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ଵ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ଵ କରିବେଙ୍କ। 16 ସେଥିରେ ଈଶ୍ଵରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ଵରଙ୍କୁ ପ୍ରଣାମ କରି କହିଲେ, 17 ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ଵର, ବର୍ତ୍ତମାନ ଓ ଭୂତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ଵ ଗ୍ରହଣ କରିଅଛ। 18 ବିଜାତିମାନେ କ୍ରୁଦ୍ଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲା, ପୁଣି ମୃତମାନଙ୍କ ବିଚାର କରିବା ସମୟ ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଓ ତୁମ୍ଭ ନାମର ଭୟକାରୀ ସାନ ଓ ବଡ଼ ସମସ୍ତ ଲୋକଙ୍କୁସ ପୁରସ୍କାର ଦେବାର ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା। 19 ସେତେବେଳେ ସ୍ଵର୍ଗରେ ଥିବା ଈଶ୍ଵରଙ୍କ ମନ୍ଦିର ଉନ୍ମୁକ୍ତ ହେଲା ଓ ତାହାଙ୍କ ମନ୍ଦିର ମଧ୍ୟରେ ତାହାଙ୍କ ନିୟମସିନ୍ଦୁକ ଦୃଷ୍ଟ ହେଲା, ପୁଣି ବିଦ୍ୟୁତ୍, ବିଭିନ୍ନ ସ୍ଵର, ମେଘଗର୍ଜ୍ଜନ, ଭୂମିକମ୍ପ ଓ ମହା ଶିଳାବୃଷ୍ଟି ହେଲା। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India