ପ୍ରକାଶିତ 10 - ପବିତ୍ର ବାଇବଲ (Re-edited) - (BSI)ସ୍ଵର୍ଗଦୂତ ଏବଂ କ୍ଷୁଦ୍ର ପୁସ୍ତକ 1 ତତ୍ପରେ ମୁଁ ଆଉ ଜଣେ ପରାକ୍ରମୀ ଦୂତଙ୍କୁ ସ୍ଵର୍ଗରୁ ଅବତରଣ କରିବାର ଦେଖିଲି; ସେ ମେଘବେଷ୍ଟିତ, ତାହାଙ୍କ ମସ୍ତକ ଉପରେ ମେଘଧନୁ, ତାହାଙ୍କ ମୁଖ ସୂର୍ଯ୍ୟ ସଦୃଶ ଓ ପାଦ ଅଗ୍ନିସ୍ତମ୍ଭ ତୁଲ୍ୟ ; 2 ତାହାଙ୍କ ହସ୍ତରେ ଗୋଟିଏ ମୁକ୍ତ କ୍ଷୁଦ୍ର ପୁସ୍ତକ। ସେ ଆପଣା ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ପୃଥିବୀ ଉପରେ ସ୍ଥାପନ କରି 3 ସିଂହଗର୍ଜ୍ଜନ ତୁଲ୍ୟ ହୁଙ୍କାର ଶଦ୍ଦରେ ଡାକ ପକାଇଲେ; ସେ ଡାକ ପକାନ୍ତେ ସପ୍ତ ମେଘଗର୍ଜ୍ଜନ ଆପଣା ଆପଣା ବାଣୀ ବ୍ୟକ୍ତ କଲେ। 4 ସେହି ସପ୍ତ ମେଘଗର୍ଜ୍ଜନ ଆପଣା ଆପଣା ବାଣୀ ବ୍ୟକ୍ତ କରନ୍ତେ ମୁଁ ଲେଖିବାକୁ ଉଦ୍ୟତ ହେଲି; ସେତେବେଳେ ମୁଁ ମୋʼ ପ୍ରତି ଆକାଶରୁ ଉକ୍ତ ଏହି ବାଣୀ ଶୁଣିଲି, ସେହି ସପ୍ତ ମେଘଗର୍ଜ୍ଜନ ଯାହାସବୁ ବ୍ୟକ୍ତ କଲେ, ସେହିସବୁ ଗୋପନ କରି ରଖ, ଲେଖ ନାହିଁ। 5 ତତ୍ପରେ ଯେଉଁ ଦୂତଙ୍କୁ ମୁଁ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହେବାର ଦେଖିଥିଲି, ସେ ଆପଣା ଦକ୍ଷିଣ ହସ୍ତ ସ୍ଵର୍ଗ ଆଡ଼େ ଉଠାଇ, 6 ଯେ ସ୍ଵର୍ଗ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେହି ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, ଆଉ ବିଳମ୍ଵ ନାହିଁ; 7 ମାତ୍ର ଈଶ୍ଵରଙ୍କ ଦ୍ଵାରା ଆପଣା ଦାସ ଭାବବାଦୀ-ମାନଙ୍କ ପ୍ରତି ପ୍ରକାଶିତ ଶୁଭସମ୍ଵାଦ ଅନୁସାରେ ସପ୍ତମ ଦୂତ ବାକ୍ୟ ଘୋଷଣା କରିବା ସମୟରେ, ଅର୍ଥାତ୍, ଯେତେବେଳେ ସେ ତୂରୀଧ୍ଵନୀ କରିବାକୁ ଉଦ୍ୟତ ହେବେ, ସେତେବେଳେ ଈଶ୍ଵରଙ୍କ ନିଗୂଢ଼ ସଂକଳ୍ପ ମଧ୍ୟ ସଫଳ ହେବ। 8 ପୁଣି ମୁଁ ଆକାଶରୁ ଯେଉଁ ବାଣୀ ଶୁଣିଥିଲି, ତାହା ପୁନର୍ବାର ମୋʼ ପ୍ରତି ବାକ୍ୟ ଉଚ୍ଚାରଣ କରି କହିଲା, ଯାଅ, ସମୁଦ୍ର ଓ ପୃଥିବୀ ଉପରେ ଦଣ୍ତାୟମାନ ଦୂତଙ୍କ ହସ୍ତରେ ଯେଉଁ ପୁସ୍ତକଟି ମୁକ୍ତ ହୋଇ ରହିଅଛି, ତାହା ଗ୍ରହଣ କର। 9 ସେଥିରେ ମୁଁ ସେହି ଦୂତଙ୍କ ନିକଟକୁ ଯାଇ କ୍ଷୁଦ୍ର ପୁସ୍ତକଟି ମୋତେ ଦେବାକୁ ତାହାଙ୍କୁ କହିଲି। ସେ ମୋତେ କହିଲେ, ଏହା ନେଇ ଭକ୍ଷଣ କର; ଏହା ତୁମ୍ଭ ଉଦରକୁ ତିକ୍ତ କରିଦେବ, କିନ୍ତୁ ତୁମ୍ଭ ମୁଖକୁ ଏହା ମଧୁ ପରି ମିଷ୍ଟ ଲାଗିବ। 10 ସେଥିରେ ମୁଁ ଦୂତଙ୍କ ହସ୍ତରୁ ସେହି କ୍ଷୁଦ୍ର ପୁସ୍ତକଟି ନେଇ ତାହା ଭକ୍ଷଣ କଲି; ତାହା ମୋʼ ମୁଖକୁ ମଧୁ ପରି ମିଷ୍ଟ ଲାଗିଲା, କିନ୍ତୁ ତାହା ଭକ୍ଷଣ କଲା ପରେ ମୋହର ଉଦର ତିକ୍ତ ହୋଇଗଲା। 11 ତତ୍ପରେ ମୋତେ କୁହାଗଲା, ଅନେକ ବଂଶ, ଜାତି, ଭାଷାବାଦୀ ଓ ରାଜାଙ୍କ ବିରୁଦ୍ଧରେ ତୁମ୍ଭକୁ ପୁନର୍ବାର ଭାବବାଣୀ କହିବାକୁ ହେବ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India